Unknown

 

 

 

 

 

 

 

 

 

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ

ଚିନ୍ତାମଣି ମହାନ୍ତି

 

ସୁସାଧକ କର୍ମପୁରୁଷମାନଙ୍କ ଜୀବନସୂତ୍ରରେ ଅନେକ ମଣିମାଣିକ୍ୟ ଗୁନ୍ଥା ହୋଇ ରହିଥିଏ, ମୃତ୍ୟୁପରେ ସେଥିରେ ପ୍ରଚ୍ଛନ୍ନ ଜ୍ୟୋତି ଦାଉ ଦାଉ ହୋଇଉଠେ । ବର୍ତ୍ତମାନ ଯାହାଙ୍କ ଜୀବନଚରିତ ଲେଖାହେଉଅଛି, ସେହି ଅକ୍ଳାନ୍ତକର୍ମା ସ୍ୱର୍ଗତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଉତ୍କଳର ଜଣେ ତେଜସ୍ୱୀ କର୍ମବୀର ଥିଲେ । ଶିକ୍ଷା, ସାହିତ୍ୟ, ସମ୍ୱାଦପତ୍ର, କୃଷି, ଶିଳ୍ପ, ଚିକିତ୍ସା ପ୍ରଭୃତି ନାନା ବିଭାଗରେ ତାଙ୍କର କାର୍ଯ୍ୟ ମୂର୍ତ୍ତି ଧରି ରହିଅଛି । ତାଙ୍କର କର୍ମତାଲିକା ଦେଖିଲେ ବୋଧହୁଏ, ସତେ ଯେପରି ବିଧାତା ଉତ୍କଳୀୟ ଦେହରେ ଗୋଟିଏ ବହୁ ସାଧନାପକ୍ୱ ଉନ୍ନତ ବିଦେଶୀୟ ମସ୍ତକ ଆଣି ଯୋଡ଼ି ଦେଇଥିଲା । ସେ ଗରିବ ଘରେ ଜନ୍ମଗ୍ରହଣ କରିଥିଲେ; ମାତ୍ର ତାଙ୍କର ବହୁମୁଖୀ ପ୍ରତିଭା ବଣର ମାଳତୀ ପରି ବଣରେ ଫୁଟି ବଣରେ ଝଡ଼ିପଡ଼ି ନ ଥିଲା । ଉପଯୁକ୍ତ ଗୁଣଗ୍ରାହୀଙ୍କ ଶୁଭଦୃଷ୍ଟିରେ ପଡ଼ି ସେ ପ୍ରତିଭା ଯଥେଷ୍ଟ ସୌରଭ ବିସ୍ତାର କରିଥିଲା । ବିଦ୍ୟାରତ୍ନଙ୍କ ହୃଦୟରେ ଯୌବନରେ ଦେଶସେବାର ଯେଉଁ ପବିତ୍ର ଆକାଙ୍‌କ୍ଷା ଜାଗ୍ରତ ହୋଇଉଠିଥିଲା, ସ୍ୱଦେଶପ୍ରାଣ ସାହିତ୍ୟଭରସା ଉତ୍କଳ-ଗୌରବ ମହାରାଜା ସୁଢ଼ଳଦେବଙ୍କ ସଂସର୍ଗରେ ତାହା ଅଧିକତର ଉଦ୍ଦୀପ୍ତ ହୋଇଉଠିଲା । ସାହିତ୍ୟ-ସେବା ପରି ତୀବ୍ର ଅଝାଡ଼ୁଆ ନିଶା ଆଉ ନାହିଁ । ବିଦ୍ୟାରତ୍ନେ ସେହି ଅମଳରେ ଘାରିହୋଇ ସାହିତ୍ୟ-ସେବା ତଥା ଦେଶସେବାରେ ଉନ୍ମତ୍ତ ହୋଇ ଉଠିଲେ । ଭବିଷ୍ୟତ ସମାଲୋଚକ ତାଙ୍କୁ ଯେଉଁ ସ୍ଥାନ ପ୍ରଦାନ କରନ୍ତୁ; ମାତ୍ର ଉତ୍କଳ-ସାହିତ୍ୟର ଇତିହାସରେ ତାଙ୍କ ପାଇଁ ଗୋଟିଏ ଗୌରବମୟ ସ୍ୱତନ୍ତ୍ର ଅଧ୍ୟାୟ ରହିବ । ତାଙ୍କର ଉତ୍ସାହ-ବାରି ପାଇ ନ ଥିଲେ କେତେ ଜଣଙ୍କର ପ୍ରତିଭା ମୁକୁଳ ଅବସ୍ଥାରେ ଶୁଖିଯାଇଥାଆନ୍ତା । ଦେଶର ଲେଖକସଂଖ୍ୟା ବୃଦ୍ଧି କରିବା ତାଙ୍କର ଅନ୍ୟତମ ଲକ୍ଷ୍ୟ ଥିଲା । ସେ ସ୍ୱୟଂ ଜଣେ ଲବ୍‌ଧପ୍ରତିଷ୍ଠ ଲେଖକ ମଧ୍ୟ ଥିଲେ । ତାଙ୍କର ଭାଷା ସ୍ୱତନ୍ତ୍ର, ସେଥିରେ ପାଣ୍ଡିତ୍ୟର ଅଭିମାନ ବା ଶବ୍ଦର ଆଡ଼ମ୍ୱର ନାହିଁ । ତାହା ସହଜ ସରଳ ଭାବରେ ପାଠକର ପ୍ରାଣ ଭିତରେ ପ୍ରବେଶ କରି ଆତ୍ମାକୁ ସ୍ପର୍ଶକରେ । ତାଙ୍କର ଗଦ୍ୟ ଲେଖା ପରି ପଦ୍ୟ ଲେଖା ବି ସ୍ୱତନ୍ତ୍ର । ସେଥିରେ ଇନ୍ଦ୍ରଧନୁର ମାଧୁରୀ, ପାରିଜାତର ସୁଗନ୍ଧ କିମ୍ୱା କୋକିଳର କୁହୁ କୁହୁ ପଞ୍ଚମତାନ ନାହିଁ । ତାହା ବୈରାଗ୍ୟଗୀତିକା ପରି ଶୁଷ୍କ ଓ ନୀରସ; କିନ୍ତୁ ତାକୁ ଘୋରିଲେ ଚନ୍ଦନକାଷ୍ଠ ପରି ଆତ୍ମଶୀତଳକାରୀ ମଧୁର ସୁବାସ ମହକି ଉଠେ ।

 

ନୀଳମଣି ବିଦ୍ୟାରତ୍ନ ଜଣେ ଯୋଗଜନ୍ମା ପୁରୁଷ । ଦେଶ ସକାଶେ ସର୍ବଦା ତାଙ୍କ ପ୍ରାଣ ବ୍ୟାକୁଳ ହେଉଥିଲା । ସେ ଦେଶମିଶ୍ରଣ ଆନ୍ଦୋଳନର ମୂଳଭିତ୍ତିର ମୂଳ ପଥର । ଆଜିକାଲି ଯେଉଁ ଗ୍ରାମସଂଗଠନର ଚହଳ ଉଠୁଅଛି, ବହୁଦିନ ପୂର୍ବରୁ ନୀଳମଣି ସେ ବିଷୟରେ ‘ଗ୍ରାମ୍ୟସମିତି’ ନାମକ ପୁସ୍ତକ ପ୍ରଚାର କରିଯାଇଅଛନ୍ତି । ଗ୍ରାମସଂଗଠନର ସହଜ ପ୍ରଣାଳୀ ସେଥିରେ ବିସ୍ତୃତ ଭାବରେ ପ୍ରଦର୍ଶିତ ହୋଇଅଛି । ସେ କାଳର ଉତ୍ସାହ, ସେ କାଳର ଉଦ୍ୟମ, ସେ କାଳର ଏକତା ଏବେ ଦୁର୍ଲଭ ହୋଇଅଛି । ବାସ୍ତବରେ ସେ କାଳର କଥା ସ୍ମରଣ କଲେ ମନ ମଧ୍ୟରୁ ଗୋଟାଏ ବିରାଟ ଶୂନ୍ୟତା କରୁଣ ଚିତ୍କାର କରିଉଠେ ।

 

ବିଦ୍ୟାରତ୍ନ ବିବିଧ ବିଷୟରେ ପ୍ରାୟ ଅର୍ଦ୍ଧଶତାଧିକ ପୁସ୍ତକ ଲେଖିଯାଇଅଛନ୍ତି । ଉନ୍ନତ ପ୍ରଣାଳୀର କୃଷି-ପୁସ୍ତକମାନ ସୁଲଭ ମୂଲ୍ୟରେ ପ୍ରକାଶ କରି ସେ ଦେଶର ବହୁ ଉପକାର କରିଅଛନ୍ତି । ତାଙ୍କର ଜ୍ୱରଚିକିତ୍ସା, ବସନ୍ତଚିକତ୍ସା, ବିସୂଚିକାଚିକିତ୍ସା, ଦେଶରେ ଖୁବ୍‌ଆଦର ଲାଭ କରିଅଛି । ବିବିଧ ପୁସ୍ତକ ପତ୍ରିକାରୁ ସଂଗ୍ରହ କରି ସେ ଏହି ପୁସ୍ତକମାନ ଲେଖିଥିଲେ । ତାଙ୍କ ପ୍ରାଣ ସବୁବେଳେ ମଧୁପ ପରି ମଧୁ ସଂଗ୍ରହ କରି ବୁଲୁଥିଲା । ପୁସ୍ତକ-ପତ୍ରିକା ବା ଲୋକମୁଖରୁ କିଛି ଟିକିଏ ସାର ପାଇଲେ ସେ ତାହା ଟିପି ରଖୁଥିଲେ । ତାଙ୍କ ପରି ସାରସଂଗ୍ରହକାରୀ ଉତ୍କଳରେ କେହି ନାହାନ୍ତି ବୋଲି କହିଲେ ଅତିରଞ୍ଜିତ ହେବ ନାହିଁ । କାର୍ଯ୍ୟରେ ଲାଗିପଡ଼ିବା ଶକ୍ତି ତାଙ୍କର ଅସାଧାରଣ ଥିଲା । ସଭାସମିତିରେ ହିତକର ପ୍ରସ୍ତାବ କରିଦେଇ ସେ ନିଶ୍ଚିନ୍ତ ହେଉ ନ ଥିଲେ । ପ୍ରସ୍ତାବକୁ ଜୀବନ ଏବଂ ଆକୃତି ଦାନ କରିବା ସକାଶେ ସେ ପ୍ରାଣପଣେ ଚେଷ୍ଟା କରୁଥିଲେ । ଅସାଧ୍ୟ ଉଗ୍ର ପ୍ରସ୍ତାବ ସେ କରୁ ନ ଥିଲେ । ତାଙ୍କର ବ୍ୟବହାର ଅତି ସରଳ ଓ ମଧୁର । ସେ ଶିଶୁ, ଯୁବକ, ବୃଦ୍ଧ ସମସ୍ତଙ୍କ ପ୍ରାଣରେ ସହଜରେ ମିଶିଯାଉଥିଲେ । ଉଦାର ସାଧୁ ବ୍ୟବହାର ତାଙ୍କର ଜୀବନକୁ ଅଳଙ୍କୃତ କରିଥିଲା; କିନ୍ତୁ ଦେଶକାଳପାତ୍ର ଦୃଷ୍ଟିରେ ଯେଉଁଠାରେ ଔଦ୍ଧତ୍ୟର ଆବଶ୍ୟକତା ବୁଝୁଥିଲେ, ସେଠାରେ ସେ ଟାଣଲୁହାକୁ ଟାଣପାଣି ଦେବାକୁ କୁଣ୍ଠିତ ହେଉ ନ ଥିଲେ । ନୈତିକ ସାହସ ଓ ସ୍ପଷ୍ଟବାଦିତା ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ପ୍ରିୟସହଚର ଥିଲା । କୌତୁକସ୍ପୃହା ମାନବର ସ୍ୱାଭାବିକ, ବିଦ୍ୟାରତ୍ନେ ନିର୍ଦ୍ଦୋଷ ଆମୋଦ ବା କୌତୁକକୁ ଖୁବ୍‌ ସୁଖ ମଣୁଥିଲେ ।

 

ବିଦ୍ୟାରତ୍ନଙ୍କର ଧର୍ମମତ ନିରୂପଣ କରିବା ସହଜ ନୁହେଁ । ସେ କାହାକୁ ସ୍ୱଧର୍ମ ବୋଲି ପ୍ରଶଂସା କରି ପରଧର୍ମ ବୋଲି ନିନ୍ଦା କରନ୍ତି ନାହିଁ । ବାସ୍ତବରେ ଯେଉଁମାନେ ଏହିପରି ସମଦର୍ଶୀ, ସେହିମାନେହିଁ ପ୍ରକୃତ ଧର୍ମଜ୍ଞ ଓ ଧାର୍ମିକ । ନିଜର ବିବେକ ନିଜକୁ ଶିକ୍ଷା ଦିଏ, ତାହା ଏକା ଧର୍ମ ।

 

ବିଦ୍ୟାରତ୍ନଙ୍କ ଗୁପ୍ତଦାନ କଥା ତାଙ୍କର କେହି କେହି ଅନ୍ତରଙ୍ଗ ବନ୍ଧୁ କେହି ପ୍ରଶଂସା କରନ୍ତି । ପ୍ରକୃତରେ ତାଙ୍କର ଦକ୍ଷିଣ ହସ୍ତର କାର୍ଯ୍ୟ ବାମ ହସ୍ତ ଜାଣିପାରେ ନାହିଁ । ଦାନ କରିବା ବେଳେ ସେ ନିଜର ଅବସ୍ଥା ଓ ପାତ୍ରାପାତ୍ର ଭୁଲିଯାଆନ୍ତି । ବିପନ୍ନ ଦେଖିଲେ ସେ ସ୍ୱତଃପ୍ରବୃତ୍ତ ହୋଇ ଦାନ କରନ୍ତି । ରମ୍ଭାରେ ଥିବାବେଳେ ସେ ବିପନ୍ନ ବା ଅର୍ଥଶୂନ୍ୟ ବ୍ୟକ୍ତିଙ୍କୁ ଆଦରପୂର୍ବକ ଡାକିଆଣି ନିଜ ବସାରେ ଖୁଆଇ ରେଳଖର୍ଚ୍ଚ ଦେଇ ବିଦାୟ କରିଥିବା ଅନେକେ ଜାଣନ୍ତି । ଦିନେ ଜଣେ ଭଦ୍ରବଂଶୀୟ ଯୁବକ ଗୋଟିଏ ଭଦ୍ରବଂଶୀୟା ସ୍ତ୍ରୀକୁ ଘେନି ରମ୍ଭା ଛତ୍ରଘରେ ଆସି ଆଶ୍ରୟ ନେଲେ । ଉଭୟେ ଶୂନ୍ୟହସ୍ତ, ଅଧିକନ୍ତୁ ସ୍ତ୍ରୀଲୋକଟି ଅନ୍ତଃସତ୍ତ୍ୱା । ଏହି ଲଜ୍ଜା ଲୁଚାଇବା ପାଇଁ ରସିକରସିକା ଦୁହେଁ ପ୍ରେମସନ୍ନ୍ୟାସ ଗ୍ରହଣ କରି ବୁଲୁଅଛନ୍ତି । ଦୁଇଦିନ ନିର୍ଜଳା ଉପବାସ ପରେ ସ୍ତ୍ରୀ ଲୋକଟି ଅଶକ୍ତ ହୋଇପଡ଼ିଲା । ବିଦ୍ୟାରତ୍ନେ ଛତ୍ରଘର ହାଡ଼ିଆଣୀଠାରୁ ଏ ସମ୍ୱାଦ ଶୁଣିଲେ । ଆଉ କେହି ହୋଇଥିଲେ ପାପଗର୍ଭ କଥା ଶୁଣି ଘୃଣାରେ ନାସିକା କୁଞ୍ଚନ କରିଥାନ୍ତା; ମାତ୍ର ବିଦ୍ୟାରତ୍ନ ମନରେ କିଛି ନ ବିଚାରି କେବଳ ସେମାନଙ୍କୁ ବିପନ୍ନ ଜାଣି ସାହାଯ୍ୟ କରିବାକୁ ପ୍ରବୃତ୍ତ ହେଲେ । ସେହିକ୍ଷଣି ଛତ୍ରଘରକୁ ରୋଷାଇର ସଞ୍ଚା ପଠାଗଲା । ଜଣେ ଅପରିଚିତାର ଏଭଳି ସହାନୁଭୂତି ଦେଖି ସ୍ତ୍ରୀଲୋକଟି କାନ୍ଦିପକାଇ କହିଲା–‘‘ଏତେ ଦୟା ମନୁଷ୍ୟର ହୋଇପାରେ ନାହିଁ, ବିଦ୍ୟାରତ୍ନ ନିଶ୍ଚୟ ଦେବତା ।’’ ତହିଁ ପର ଦିନ ସେମାନଙ୍କୁ ଦୁଇଖଣ୍ଡ ଲୁଗା ଏବଂ ରେଳଖର୍ଚ୍ଚ ଦେଇ ସେମାନଙ୍କ ଇଚ୍ଛାନୁସାରେ ପୁରୀ ପଠାଇଦିଆଗଲା । ହଠାତ୍‌ ପୁରୀରେ ପହଞ୍ଚି କାଳେ ହତାଶ ହୋଇପଡ଼ିବେ, ସେଥିପାଇଁ କିଛି ହାତଖର୍ଚ୍ଚ ମଧ୍ୟ ଦିଆଗଲା । ତାଙ୍କ ଜୀବନରେ ଏହିପରି ଦୟାଦାକ୍ଷିଣ୍ୟର ଘଟଣା ଅନେକ ଅଛି, ସେ ସବୁ ଲେଖିଲେ ଖଣ୍ଡିଏ ପୁସ୍ତକ ହେବ । ସ୍ଥୂଳତଃ ତାଙ୍କ ହୃଦୟ ଦୟାରେ ଉର୍ବର ଏବଂ ଦାନରେ ସରଳ ଥିଲା । ସମୟର ସଦ୍‌ବ୍ୟବହାରରେ ସେ ଖୁବ ଜାଗ୍ରତ ଥିଲେ । ନିତ୍ୟକର୍ମାଦିରେ ତାଙ୍କର ଅତି ଅଳ୍ପମାତ୍ର ସମୟ ବ୍ୟୟିତ ହୁଏ । ଅବଶିଷ୍ଟ ସମୟ ଲେଖାପଢ଼ା ଓ ସଦାଳାପରେ ଅତିବାହିତ ହୁଏ । ତାଙ୍କର ଜୀବନ ସର୍ବଦା କର୍ତ୍ତବ୍ୟରେ ଖଟି ରହିଥାଏ ।

 

ସୌରିଚରଣଙ୍କର ଜ୍ୟେଷ୍ଠପୁତ୍ର ନୀଳମଣି ଓଡ଼ିଶାର ଭୟାବହ ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ଅର୍ଥାତ୍‌୧୮୬୭ ମସିହା ଡ଼ିସେମ୍ୱର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । କଟକ ଜିଲା ଅନ୍ତର୍ଗତ ବାଙ୍କି ନୀଳମଣିଙ୍କର ଜନ୍ମଭୂମି । ତାଙ୍କର ମାତାଙ୍କ ନାମ ରେହିଣୀ ଦେବୀ । ସୌରିଚରଣ ମିଶ୍ର କର୍ମକାଣ୍ଡ ଓ ଧର୍ମଶାସ୍ତ୍ରରେ ଉତ୍ତମ ଯୋଗ୍ୟତା ଲାଭ କରିଥିଲେ । ପିତାମାତା ପୁତ୍ରର ଶ୍ୟାମଳ କାନ୍ତି ନିରୀକ୍ଷଣ କରି ତାଙ୍କୁ ନୀଳମଣି ନାମରେ ଅଭିହିତ କଲେ । ବାଙ୍କିରେ ସେତେବେଳେ ସ୍କୁଲ ନ ଥିବାରୁ ସେ ଗ୍ରାମ୍ୟପାଠଶାଳାରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ନୀଳମଣି ପାଠଶାଳାର ପାଠ ଶେଷ କରି ବୈଦ୍ୟେଶ୍ୱର ପ୍ରାଇମେରୀ ସ୍କୁଲରେ ଯାଇ ପଢ଼ିଲେ । ସେ ନିଜର ପ୍ରତିଭା, ଅଧ୍ୟବସାୟ, ସୁଶୀଳତା ଓ ନିରହଙ୍କାର ସ୍ୱଭାବଦ୍ୱାରା କି ଶିକ୍ଷିକ, କି କି ସହାଧ୍ୟାୟୀ ସମସ୍ତଙ୍କର ପ୍ରିୟପାତ୍ର ହୋଇଉଠିଲେ । ସେ ବର୍ଷକୁ ବର୍ଷ ଗୋଟିଏ ଗୋଟିଏ ଶ୍ରେଣୀରୁ ଉନ୍ନୀତ ହୋଇ ଉଚ୍ଚଶ୍ରେଣୀରେ ଉପସ୍ଥିତ ହେଲେ । ସେ ପଢ଼ିବାବେଳେ ସାହିତ୍ୟରେ ଅନ୍ୟାନ୍ୟ ଛାତ୍ରଙ୍କ ତୁଳନାରେ ତାଙ୍କର ଅସାଧାରଣ ଶକ୍ତିମତ୍ତା ଦେଖି ତାଙ୍କର ଅଧ୍ୟାପକ ବିଦ୍ୟାଧର ଦାଶ ପରମ ପରିତୋଷ ଲାଭ କରିଥିଲେ । ସେ ୧୮୮୦ ମସିହାରେ ବୈଦ୍ୟେଶ୍ୱର ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ମାସିକ ତିନିଟଙ୍କା ଲେଖାଏଁ ଉଚ୍ଚପ୍ରାଇମେରୀ ବୃତ୍ତି ପାଇଲେ । ତତ୍ପରେ ଚର୍ଚ୍ଚିକା ମିଡ଼ିଲଭର୍ଣ୍ଣକୁଲର ସ୍କୁଲରେ ପ୍ରବିଷ୍ଟ ହେଲେ । ସେଠାରେ ପାଠ୍ୟପୁସ୍ତକ ବ୍ୟତୀତ ସେ ସ୍କୁଲ ଲାଇବ୍ରେରୀରୁ ବଙ୍ଗଳା ଓ ଓଡ଼ିଆ ପୁସ୍ତକ ନେଇ ପାଠ କରୁଥିଲେ । ସେ ସମୟରେ ବାହାରୁଥିବା ଓଡ଼ିଆ ଓ ବଙ୍ଗଳାଭାଷାର ସପ୍ତାହିକ ଓ ମାସିକ ପତ୍ରିକା ଯେତେବେଳେ ଯାହା ପାଉଥିଲେ, ତାହା ମନୋଯୋଗ ସହକାରେ ପଠନ କରୁଥିଲେ । କୈଶୋରାବସ୍ଥାରୁ ତାଙ୍କର ଅଧ୍ୟୟନରେ ଏପରି ଅନୁରାଗ ଥିଲା ଯେ, ସେ ତୈଳାଭାବ ହେଲେ ଅନେକ ସମୟରେ ଚନ୍ଦ୍ରାଲୋକରେ ବସି ଗ୍ରନ୍ଥପାଠ କରୁଥିଲେ ।

 

ସେ ଚର୍ଚ୍ଚିକାରେ ନିଜେ ରନ୍ଧନ କରି ଖାଇଲେ ଶିକ୍ଷାର ବ୍ୟାଘାତ ହେବ ବୋଲି ତାଙ୍କର ପିତା ସ୍କୁଲ ଇନ୍‌ସପେକଟିଙ୍ଗ୍‌ ପଣ୍ଡିତ ରାମଚନ୍ଦ୍ର ମିଶ୍ରଙ୍କ ଘରେ ଖାଦ୍ୟର ବ୍ୟବସ୍ଥା କରିଦେଲେ । ସ୍କୁଲକୁ ଯିବା ସମୟକୁ ରୋଷାଇ ଶେଷ ହୋଇ ନ ଥିଲେ, କେବେ କେବେ ପଇସାକର ମୁଢ଼ି, କେବେ ବା କେବଳ ଜଳପାନ କରି ସ୍କୁଲକୁ ଯାଉଥିଲେ । ମାସ ମଧ୍ୟରେ ୭।୮ ଦିନ ସେ ଏହିପରି ସମସ୍ତ ଦିବସ ଉପବାସରେ ରହି ସ୍କୁଲକୁ ଯାଉଥିଲେ । ଏହି ସମୟରେ ସ୍ଥାନୀୟ ସବ୍‌ରେଜିଷ୍ଟ୍ରାର ଅଫିସର ଦଲିଲ ଲେଖକଙ୍କ ସଙ୍ଗେ ତାଙ୍କର ସହୃଦୟତା ଜାତ ହୋଇଥିଲା । ନୀଳମଣିଙ୍କ ହସ୍ତଲିପିଗୁଡ଼ିକ ସୁନ୍ଦର ଥିବାରୁ ସେ ବେଳେ ବେଳେ ଦଲିଲ ଦରଖାସ୍ତ ପ୍ରଭୃତି ଲେଖି କିଛି କିଛି ଉପାର୍ଜନ କରୁଥିଲେ ଏବଂ ସେହି ଅର୍ଥକୁ ବ୍ୟୟ ନକରି ଭବିଷ୍ୟତ୍‌ଶିକ୍ଷା ଉଦ୍ଦେଶ୍ୟରେ ସେଭିଙ୍ଗ୍‌ସ ବ୍ୟାଙ୍କରେ ଜମା କରି ରଖୁଥିଲେ ।

 

୧୮୮୨ ମସିହାରେ ସେ ଚର୍ଚ୍ଚିକା ମି.ଭ. ସ୍କୁଲରୁ ଦ୍ୱିତୀୟ ବିଭାଗରେ ଉତ୍ତୀର୍ଣ୍ଣ ହୋଇ କଟକ ନର୍ମାଲସ୍କୁଲରେ ପଢ଼ିବା ଉଦ୍ଦେଶ୍ୟରେ ପୂର୍ବସଞ୍ଚିତ ଅର୍ଥତକ ସମ୍ୱଳ କରି କଟକକୁ ଆସି ବାଙ୍କିର ସ୍ୱନାମଧନ୍ୟ ପଣ୍ଡିତ ଗୋବିନ୍ଦ ରଥଙ୍କ ବସାରେ ରହିଲେ । ନର୍ମାଲସ୍କୁଲର ସୁପରିଣ୍ଟେଣ୍ଡେଣ୍ଟ ବାବୁ ଦ୍ୱାରକାନାଥ ଚକ୍ରବର୍ତ୍ତୀଙ୍କ ସଙ୍ଗେ ନୀଳମଣି ସାକ୍ଷାତ୍‌କରି ଅଧ୍ୟୟନ କଥାର କହିବାରୁ ସେ କହିଲେ–ତୁମ୍ଭେ ଛଅମାସ ସ୍ୱବ୍ୟୟରେ ପଢ଼ିବା ପରେ ସରକାରୀ ବୃତ୍ତି ମିଳିବ । ତହୁଁ ନୀଳମଣି ଗୋବିନ୍ଦ ରଥଙ୍କ ସାହାଯ୍ୟରେ ଟ୍ରେନିଙ୍ଗ୍‌ସ୍କୁଲ ପାଠ୍ୟପୁସ୍ତକମାନ ଏବଂ ଅନ୍ୟାନ୍ୟ ପୁସ୍ତକ ଅଧ୍ୟୟନ କଲେ । ନୀଳମଣି ଘରେ କାହାରିକୁ କିଛି ନ କହି ମାଆଙ୍କଠାରୁ ପୁସ୍ତକ କିଣିବା ଛଳନାରେ ଛଅଅଣା ମାତ୍ର ପଇସା ନେଇ କଟକ ବାହାରି ଆସିଥିଲେ । ପିତିମାତା ଏହା ଜାଣି ନ ଥିବାରୁ ବହୁତ ଖୋଜିଲେ । ସେମାନଙ୍କର ଦୁଃଖର ସୀମା ରହିଲା ନାହିଁ, ସଂସାର ଅନ୍ଧକାର ଦିଶିଲା । ବନ୍ଧୁବାନ୍ଧବଙ୍କ ଘର ଅନ୍ୱେଷଣ ମନ ଦୁଃଖରେ କାଳେ ପୁତ୍ର ପ୍ରାଣ ହରାଇଦେଇଥିବ, ଏହି ଆଶଙ୍କାରେ ଅକୂଳ ଶୋକସମୁଦ୍ରରେ ଭାସିଲେ । ଏମନ୍ତ ସମୟରେ ଗୋବିନ୍ଦ ରଥଙ୍କ ପତ୍ର ମିଳିଲା-। ସେ ଲେଖିଲେ–‘‘ମିଶ୍ର ଅବଧାନେ, ଆପଣଙ୍କର ପୁତ୍ର ନୀଳମଣି ପଢ଼ିବା ଉଦ୍ଦେଶ୍ୟରେ କଟକ ଆସି ମୋ ବସାରେ ଅଛି । ମୁଁ ମହାମେଳାକୁ କଲିକତା ଯାଉଅଛି, ସଙ୍ଗରେ ସେ ଯିବ । ତା ସକାଶେ କୌଣସି ଭାବନା କରିବ ନାହିଁ । ଫେରିବାମାତ୍ରେ ତାକୁ ଆପଣଙ୍କ ନିକଟକୁ ପଠାଇଦେବି-।’’

 

୧୮୮୩ ମସିହାରେ ପ୍ରାତଃସ୍ମରଣୀୟ ଗଭର୍ଣ୍ଣର ଜେନେରାଲ ଲର୍ଡ ରିପନଙ୍କ ଆଦେଶରେ ଭାରତୀୟ ଶ୍ରମଶିଳ୍ପର ଉନ୍ନତି ପାଇଁ କଲିକତା ମହାନଗରୀରେ ଆନ୍ତର୍ଜାତିକ ପ୍ରଦର୍ଶନୀ (Inter-national Exhibition) ଅନୁଷ୍ଠିତ ହେଲା । ଗୋବିନ୍ଦ ରଥେ ଉକ୍ତ ଅନୁଷ୍ଠାନରେ ଯୋଗ ଦେବା ପାଇଁ କଲିକତା ବାହାରିବାର ଦେଖି ନୀଳମଣି ତାଙ୍କୁ କହିଲା–‘‘ମୁଁ କେବେ କଲିକତା ଯାଇ ନାହିଁ, ତେଣୁ ଆପଣଙ୍କ ସାଙ୍ଗରେ ଯିବାକୁ ଇଚ୍ଛା । ମୋହର ଖର୍ଚ୍ଚ ମୁଁ ନିଜେ ଚଳାଇନେବି, ମୋତେ କେବଳ ସଙ୍ଗରେ ନିଅନ୍ତୁ ।’’ ରଥେ ଏହା ଶୁଣି ଆଉ ଚାକର ଆଦି କାହାରିକୁ ସଙ୍ଗରେ ନ ନେଇ ନୀଳମଣିଙ୍କୁ ସହଯାତ୍ରୀ କରି କଲିକତା ଯାତ୍ରା କଲେ । ତେତେବେଳେ ସେହି ମହାମେଳା ଦର୍ଶନ କରିବା ପାଇଁ କଟକରୁ ଅନେକ ଲୋକ କଳଇକତା ଯାଉଥିଲେ । ସପ୍ତଦଶବର୍ଷୀୟ ନୀଳମଣିଙ୍କ ମନରେ ସେହି ପ୍ରଦର୍ଶନୀ-ଦର୍ଶନାକାଙ୍‌କ୍ଷା ବଳବତୀ ହୋଇଉଠିଲା । ସେ ପୂର୍ବସଞ୍ଚିତ ଅର୍ଥ ସାହାଯ୍ୟରେ ଚାନ୍ଦବାଲି ବାଟେ ଜାହାଜରେ ଚଢ଼ି କଲିକତା ଯାତ୍ରା କଲେ ଏବଂ କଲିକତାରୁ ଫେରିଆସିଲା ବେଳକ ସଞ୍ଚିତ ଅର୍ଥ ନିଃଶେଷ ହୋଇଯାଇଥିଲା; ତେଣୁ ସେ ସ୍ୱବ୍ୟୟରେ କଟକ ଟ୍ରେନିଙ୍ଗ୍ ସ୍କୁଲରେ ପଢ଼ିବାର ଆଶା ବିସର୍ଜନ କଲେ ।

 

ସେ ଗ୍ରାମକୁ ଯିବା ପୂର୍ବରୁ ଦିନେ ସହର ଭିତରଦେଇ ଯାଉଥିବାବେଳେ କବିବର ରାଧାନାଥ ରାୟବାହାଦୂର ତାଙ୍କ ଅଫିସକୁ ଯାଉଁ ଯାଉଁ ବାଟରେ ନୀଳମଣିଙ୍କୁ ଦେଖି ତାଙ୍କର ପରିଚୟ ଜିଜ୍ଞାସା କଲେ । ନୀଳମଣି ତାଙ୍କର ଯାବତୀୟ ବୃତ୍ତାନ୍ତ ବର୍ଣ୍ଣନ କରୁ କରୁ ଅଫିସରେ ଉପସ୍ଥିତ ହେଲେ । କବିବର ସମସ୍ତ ଶ୍ରବଣ ପରେ ଖଣ୍ଡିଏ କାଗଜ ଦେଇ ତାଙ୍କର ଲିପି ଦେଖିବା ଅଭିପ୍ରାୟରେ କେତେକ କଥା ଲେଖାଇଲେ । ତାଙ୍କର ଘନ ବିରଳ, ବିଶୁଦ୍ଧ ରମଣୀୟ ଲିପି ଦର୍ଶନ କରି ପ୍ରସନ୍ନ ହୃଦୟରେ ତାଙ୍କ ଖାଦ୍ୟପାନ ନିମନ୍ତେ ତତ୍‌କ୍ଷଣାତ୍‌୧୦ଟଙ୍କା ପ୍ରଦାନ କରି କହିଲେ–‘‘ତୁମ୍ଭେ କଟକରେ କିଛିଦିନ ରହି ପ୍ରତିଦିନ ମୋ ନିକଟକୁ ଆସୁଥାଅ, ମୋର ଖଣ୍ଡେ ପୁସ୍ତକ ପେନ୍‌ସିଲରେ ଲେଖା ହୋଇଅଛି, ତାହା କାଳିରେ ଲେଖି ମୋହର ଟିକିଏ ଉପକାର କର, ମୁଁ କେଉଁଠାରେ କାର୍ଯ୍ୟ ଖାଲି ଅଛି ଅନୁସନ୍ଧାନ କରି ତୁମ୍ଭ ସମ୍ୱନ୍ଧେ ଚେଷ୍ଟା କରିବି ।’’

 

ନୀଳମଣି ଏହି ଆଶାବାଣୀ ଶୁଣି ଆଶ୍ୱସ୍ତ ହୋଇ କବିବରଙ୍କ କବିତା ଲେଖୁ ଲେଖୁ ତାଙ୍କର ବଡ଼ାମ୍ୱାବାସୀ କୃଷ୍ଣଚନ୍ଦ୍ର ମିଶ୍ରଙ୍କଠାରୁ ପତ୍ର ପାଇଲେ ଯେ, ‘‘ବଡ଼ମ୍ୱାରେ ଶୀଘ୍ର ଚାରିଗୋଟି ପ୍ରାଇମେରୀ ସ୍କୁଲ ଫିଟିବ, ମୁଁ ତାଙ୍କ ମଣ୍ଡଳୀ ସ୍କୁଲ ସକାଶେ ଦରଖାସ୍ତ କରିଅଛି, ଆପଣଙ୍କ ଇଚ୍ଛା ହେଲେ ଗୋପୀନାଥପୁର ସ୍କୁଲ ସକାଶେ ଚେଷ୍ଟା କରନ୍ତୁ ।’’ ସେ ପତ୍ର ରାଧାନାଥ ବାବୁ ଦେଖି ସେ ଅଞ୍ଚଳ ସବ୍‌ଇନ୍‌ସପେକ୍‌ଟର ମଥୁରାନାଥ ସେନଙ୍କୁ କହି ବଡ଼ାମ୍ୱା ମେନେଜର ମଦନମୋହନ ପଟ୍ଟନାୟକଙ୍କଠାକୁ ଖଣ୍ଡିଏ ପତ୍ର ତାଙ୍କ ହସ୍ତରେ ଦେଇ ଏବଂ ପାଥେୟ ପାଞ୍ଚଟଙ୍କା ପ୍ରଦାନ କରି ପଠାଇଦେଲେ । ନୀଳମଣି ସ୍ୱଗ୍ରାମକୁ ଯାଇ ଦୁଇଦିନ ରହି ବଡ଼ମ୍ୱା ଗମନ କଲେ । ମେନେଜର କବିବରଙ୍କ ପତ୍ର ପାଇବାମାତ୍ରେ ନୀଳମଣିଙ୍କୁ ଗୋପୀନାଥପୁର ସ୍କୁଲଶିକ୍ଷକରୂପେ ନିଯୁକ୍ତି-ପତ୍ର ଦେଲେ ଏବଂ ସବୁ ସୁବିଧା କରିବାସକାଶେ ସେ ଗ୍ରାମ ସରବରାକାରଙ୍କୁ ଆଦେଶ ଦେଲେ । ନୀଳମଣି ନୂତନ ସ୍କୁଲରେ ନୂତନ ଶିକ୍ଷକ ହୋଇ ମନପ୍ରାଣ ଢାଳି କାର୍ଯ୍ୟ କରିବାକୁ ଲାଗିଲେ । ଏହାଙ୍କ ଶିକ୍ଷାପ୍ରଣାଳୀ ଦେଖି ଗ୍ରାମବାସୀମାନେ ସନ୍ତୁଷ୍ଟ ହେଲେ । ଅଳ୍ପଦିନ ମଧ୍ୟରେ ଛାତ୍ର ସଂଖ୍ୟା ଶତାଧିକ ହୋଇଥିଲା । ଯେଉଁମାନେ ଦିବାଭାଗରେ ନାନାକାର୍ଯ୍ୟ ନ କଲେ ନ ଚଳେ, ଏପରି ଯୁବକମାନଙ୍କ ସକାଶେ ନୀଳମଣି ଏକ ନୈଶ ବିଦ୍ୟାଳୟ ପ୍ରତିଷ୍ଠା କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । ସେଥିପାଇଁ ପ୍ରତ୍ୟେକ ଛାତ୍ର ନିଜ ଅବସ୍ଥା ଦୃଷ୍ଟିରେ ଚାରିଅଣାରୁ ଆଠଅଣା ପର୍ଯ୍ୟନ୍ତ ପାରିଶ୍ରମିକ ଦେଉଥିଲେ । ସେ ଗ୍ରାମର ସରବରାକାର ବନ୍ଧୁ ସୁବୁଦ୍ଧି ଦେଶୀୟ ରୀତିରେ ଶିକ୍ଷିତ ଜଣେ ଐଶ୍ୱର୍ଯ୍ୟଶାଳୀ ଉତ୍ସାହୀ ଯୁବକ । ସେ ନୀଳମଣିଙ୍କ ସୌଜନ୍ୟରେ ମୁଗ୍‌ଧ ହୋଇ ତାଙ୍କ ସଙ୍ଗେ ସଖ୍ୟଭାବରେ ବଦ୍ଧହେଲେ । ସେହି ସୂତ୍ରରେ ରାଜସ୍ୱ ଆଦାୟ ଲେଖାଲେଖି ହିସାବପତ୍ର ନୀଳମଣିଙ୍କ ଦ୍ୱାରା ସମ୍ପାଦିତ ହେଉଥିଲା । ସେ ଗ୍ରାମର ପ୍ରଜାମାନେ ତମସ୍ତକ, ଦସ୍ତବିଜ ପ୍ରଭୃତି ନୀଳମଣିଙ୍କଠାରେ ଲେଖାଇ ଉଚିତ ପାରିଶ୍ରମିକ ପ୍ରଦାନ କରୁଥିଲେ । ସେଠାରେ ଏକ କାଞ୍ଜିଆହାଉସ ପ୍ରତିଷ୍ଠିତ ହେଲା, ଏବଂ ତହିଁର ଭାର ନୀଳମଣିଙ୍କୁ ଦିଆହେଲା । ତହିଁରେ ସରକାରୀ ପାଉଣା ଯାଇ ଯାହା ଲାଭ ହେଉଥିଲା , ସେ ତାହା ନିଜେ ବ୍ୟୟ ନ କରି ସରବରାକାରଙ୍କଠାରୁ କିଛି କିଛି ଚାନ୍ଦା କରି ସେହି ଅର୍ଥରେ ଗ୍ରାମର ଦେବତାମାନଙ୍କ ପାଇଁ ଚନ୍ଦନଯାତ୍ରା, ଝୁଲଣ, ଦୋଳଯାତ୍ରା ପ୍ରତିଷ୍ଠା କଲେ । ନୀଳମଣି ଅନେକ କାଳ ହେଲା ସେ ସ୍ଥାନ ତ୍ୟାଗ କଲେଣି; ମାତ୍ର ଏହି ଉତ୍ସବମାନ ଆଦ୍ୟାବଧି ଅନୁଷ୍ଠିତ ହୋଇ ଆସୁଅଛି ।

 

ଗୋପୀନାଥପୁରରେ ଗୋଟିଏ ବ୍ରାହ୍ମଣଶାସନ ଥିଲା । ତହିଁର ବ୍ରାହ୍ମଣସନ୍ତାନମାନଙ୍କୁ ନିରକ୍ଷର ଓ କର୍ମକାଣ୍ଡ ଜ୍ଞାନଶୂନ୍ୟ ଦେଖି ଦିନେ ସମସ୍ତଙ୍କୁ ନୀଳମଣି ଡାକାଇ ଗୋଟିଏ ଚତୁଷ୍ପାଠୀ ସ୍ଥାପନ ପୂର୍ବକ ସନ୍ଧ୍ୟା, ତର୍ପଣ, ପୂଜା, ବୈଶ୍ୱଦେବ, ହୋମ, ବିଭା ବନ୍ଦାପନା ପ୍ରଭୃତି ପଢ଼ାଇବା ପାଇଁ ଜଣେ ଶିକ୍ଷିତ ଶିକ୍ଷକ ନିୟୋଗର ବ୍ୟବସ୍ଥା କରିଦେଲେ । ଏହି ଉପାୟ ଯୋଗୁଁ ଶାସନ-ବ୍ରାହ୍ମଣମାନେ ନୀଳମଣିଙ୍କଠାରୁ ପ୍ରାପ୍ତ ହେବା ଉପକାର ଅଦ୍ୟାପି ବିସ୍ମୃତ ହୋଇପାରି ନାହାନ୍ତି ।

 

ନୀଳମଣିଙ୍କ ବସା ଓ ବିଦ୍ୟାଭବନ ନିକଟରେ ମୋହନ ସୁବୁଦ୍ଧି ନାମରେ ଜଣେ ତେଲୀ ଜାତିର ଯୁବକ କୌଣସି କାର୍ଯ୍ୟ ନ କରି ସମସ୍ତ ଦିନ ପିଣ୍ଡାରେ ବସିଥାଏ । ତାହାକୁ ପ୍ରତିଦିନ ନିଷ୍କର୍ମ ହୋଇ ବସିବାର ଦେଖି ନୀଳମଣି ଦିନେ ପଚାରିଲେ–ଏପରି ବସି ବସି କାଳ କାଟୁଛ କାହିଁକି ? ସେ କହିଲା–ମୁଁ ମହାଜନ ପିଲା, ବେଭାର ଜାଣେ; ମାତ୍ର ନ ମିଳିବାରୁ ଦୁଇଟି ଭାଇ ଏପରି ବସି ମାଆ ଯାହା ଉପାର୍ଜ୍ଜନ କରେ, ତହିଁରେ ଉଦର ପୋଷଣ କରୁଅଛୁଁ ।

 

ନୀଳମଣି କହିଲେ–ମୁଁ ପାଞ୍ଚ ଟଙ୍କା ଦେବି, ଗୋଟିଏ ଛୋଟ ଦୋକାନ କର । କ୍ରମଶଃ ତହିଁରେ ଆଉ କିଛି ମିଶାଇ ଦୋକାନର ଉନ୍ନତି କରିବା । ମୋହନ ସେ ଟଙ୍କା ନେଇ ତେଲ, ଲୁଣ, ଧୂଆଁପତ୍ର, ପାନଗୁଆ ଇତ୍ୟାଦିର ଦୋକାନ କଲା । ଦେଖୁ ଦେଖୁ ମାସକ ମଧ୍ୟରେ ୮ ।୧୦ ଟଙ୍କା ଲାଭ ହେଲା । ନୀଳମଣି ତାଙ୍କ ସଙ୍ଗାତ ସରବରାକାରଙ୍କୁ କହି ତାକୁ ନିଜ ଜାମିନ୍‌ରେ ୫୦ଟଙ୍କା କରାଇଦେଲେ । ସେ କଳାପଥର ଲୁଗା ବେପାରୀଙ୍କୁ ପଚାଶ ଟଙ୍କା ଦେଇ ଏକଶତ ଟଙ୍କାର ନୂତନ ବସ୍ତ୍ର ଆଣି ବଡ଼ମ୍ୱା ଗଡ଼ରେ ଏକ ଦୋକାନ କଲା । ପନ୍ଦର କୋଡ଼ିଏ ଦିନ ପରେ ତାହା ବିକ୍ରୟ କରି କଟକ ଯାଇ ଲୁଗା ଓ ତେଜରାତି ପଦାର୍ଥ ଦୁଇ ତିନିଶହ ଟଙ୍କାର ଆଣି ବିକି ମହାଜନର ଟଙ୍କା କ୍ରମଶଃ ଦେଇ କ୍ରମେ କ୍ରମେ ନୂତନ ଦ୍ରବ୍ୟ ଆଣୁଥାଏ । ସେ ଏହି ଭାବରେ ବର୍ତ୍ତମାନ ଧନବାନ୍‌ହୋଇ ବଡ଼ାମ୍ୱା ଗଡ଼ରେ ଏକ ଉଚ୍ଚବିଦ୍ୟାଳୟ ସ୍ଥାପନ ନିମନ୍ତେ ସ୍ୱେଚ୍ଛାକ୍ରମେ ସାତ ସହସ୍ର ଟଙ୍କା ପ୍ରଦାନ କରି ଗଭର୍ଣ୍ଣମେଣ୍ଟଙ୍କଠାରୁ ‘ରାୟସାହେବ’ ଉପାଧି ଲାଭ କରିଅଛନ୍ତି ।

 

ପ୍ରକୃତରେ ନୀଳମଣିଙ୍କର ଏହିଠାରେ କର୍ମମୟ ଜୀବନର ସୂତ୍ରପାତ ହେଲା । ସେ ସ୍ୱୀୟ ଅଧ୍ୟବସାୟ ଓ ସଜ୍ଜନୋଚିତ ବ୍ୟବହାର ଦ୍ୱାରା ବଡ଼ାମ୍ୱାର ତତ୍‌କାଳୀନ ମେନେଜରଙ୍କ ପ୍ରୀତି ଆକର୍ଷଣ କରିବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ତାଙ୍କଦ୍ୱାରା ପରିଚାଳିତ ବିଦ୍ୟାଳୟର ଖ୍ୟାତି ସର୍ବତ୍ର ପଚାରିତ ହେଳା । ସମଗ୍ର ଗଡ଼ଜାତର ଉ.ପ୍ରା.ସ୍କୁଲ ପାଇଁ ସେତେବେଳେ ଅତ୍ୟଳ୍ପସଂଖ୍ୟକ ଗଭର୍ଣ୍ଣମେଣ୍ଟ ବୃତ୍ତି ନିର୍ଦ୍ଦିଷ୍ଟ ଥିଲା । ସୁତରାଂ ପ୍ରତିଯୋଗିତା କ୍ଷେତ୍ରରେ ଯେଉଁ ସ୍କୁଲର ଛାତ୍ର କୃତକାର୍ଯ୍ୟ ହେଉଥିଲା, ତାହାର ଅଧ୍ୟାପକଙ୍କ ପ୍ରତି ସାଧାରଣ ଦୃଷ୍ଟି ଆକୃଷ୍ଟ ହେବା ସ୍ୱାଭାବିକ । ନିଳମଣି ସେଠାରେ କାର୍ଯ୍ୟଭାର ଗ୍ରହଣ କରିବାର ଦ୍ୱିତୀୟ ବର୍ଷରେ ଜଣେ ଛାତ୍ର (ତାଙ୍କର ଅନୁଜ–ଦାମୋଦର) ସରକାରୀ ବୃତ୍ତି ପାଇବାରୁ ମେନେଜର ଓ ଅନ୍ୟାନ୍ୟ ରାଜକର୍ମଚାରୀ ତାଙ୍କୁ ବିଶେଷ ସମ୍ମାନ ପ୍ରଦର୍ଶନ କଲେ । ବଡ଼ମ୍ୱାର ରାଜ ଦାଶରଥି ମଙ୍ଗରାଜ ବୀରବର ମହାପାତ୍ରଙ୍କର ମୃତ୍ୟୁ ହୋଇଥିବାରୁ ଏହି ସମୟରେ ବଡ଼ାମ୍ୱା ରାଜ୍ୟ କୋର୍ଟ ଅଫ୍‌ ଉଆଡ଼ସର ଅଧୀନ ହୋଇଥିଲା । ଏକଦା ତଦୀୟ ମହିଷୀ (ବି. କୃତାଭିଷେକା ରାଜପତ୍ନୀ) ସ୍ୱୀୟ ଅପ୍ରାପ୍ତ ବୟସ୍କ ପୁତ୍ର ବିଶ୍ୱମ୍ଭରଙ୍କୁ ସଙ୍ଗରେ ଘେନି ପୁରୀ ଯିବା କାମନାରେ ମହାନଦୀ ମଧ୍ୟବର୍ତ୍ତୀ ପର୍ବତପାଦ ଦେଶସ୍ଥ ପ୍ରସିଦ୍ଧ ସିଂହନାଥ ମହାଦେବଙ୍କ ନିକଟରେ ଅବସ୍ଥାନ କରୁଥିଲେ । ନୀଳମଣି ଏହା ଜାଣିପାରି ସ୍ୱର୍ଗତରାଜା, ରାଜମହିଷୀ ଓ ମେନେଜରଙ୍କ ଗୁଣ କୀର୍ତ୍ତନ କରି ଗୋଟିଏ ମନୋରମ କବିତା ରଚନା କଲେ ଓ ତାହା ମଧୁରକଣ୍ଠ ଶିଷ୍ୟମାନଙ୍କକର୍ତ୍ତୃକ ସିଂହନାଥ ଦେବଙ୍କ ନିକଟରେ ରାଣୀଙ୍କ ସମ୍ମୁଖରେ ଆବୃତ୍ତି କରାଇଲେ । ରାଣୀ ଏଥିରେ ପରମ ପରିତୃଷ୍ଟ ହୋଇ ତାଙ୍କୁ ନଗଦ ପଚାଶଟଙ୍କା, ପଟ୍ଟବସ୍ତ୍ର ସହ ‘ବିଦ୍ୟାରତ୍ନ’ ଉପାଧି ଅର୍ପଣ କରି ଖଣ୍ଡେ ସାଟିଫିକେଟ ପ୍ରଦାନ କଲେ । ସେ ସେହିଦିନଠାରୁ ‘ବିଦ୍ୟାରତ୍ନ’ ନାମରେ ଓଡ଼ିଶାର ଶିକ୍ଷିତ ସମାଜ ନିକଟରେ ସୁପରିଚିତ । ବଡ଼ାମ୍ୱାରେ ଥିବାବେଳେ ସେ କଟକ ସୁଢ଼ଳ ପ୍ରେସରୁ ବାହାରୁଥିବା ‘ସଂସ୍କାରକ’ ନାମକ ପତ୍ରିକାର ନିୟମିତ ଲେଖକ ଥିଲେ । ପରଶ୍ରୀକାତର ମତ୍ସରୀ ସର୍ବଦେଶରେ ଓ ସର୍ବକାଳରେ ବିଦ୍ୟମାନ ଅଛନ୍ତି । ବଡ଼ମ୍ୱାରେ ନୀଳମଣିଙ୍କ ସମ୍ମାନ ଲାଭରେ ଈର୍ଷାନିତ୍ୱ ହୋଇ କେତେକ ଲୋକ ତାଙ୍କର ଅନିଷ୍ଟ କରିବାକୁ ପ୍ରବୃତ୍ତ ହେଲେ । ବିଶେଷତଃ ତାଙ୍କର ଆଳସ୍ୟପ୍ରବଣ ଦ୍ୱିତୀୟ ପଣ୍ଡିତ ତାଙ୍କର ଶତ୍ରୁତାଚରଣ କରିବା ନିଜର ଏକ ପ୍ରଧାନ କର୍ତ୍ତବ୍ୟ ବୋଲି ମନେ କଲେ । ସେ ରାଜଦରବାରରେ ଓ ସ୍କୁଲ ସବ୍‌ଇନ୍‌ସପେକ୍‌ଟରଙ୍କ ପାଖରେ ‘ପଣ୍ଡିତେ ସର୍ବଦା ପଶାଖେଳରେ ଆସକ୍ତ’ ବୋଲି କହି ବୁଲିଲେ । ଦ୍ୱିତୀୟ ଶିକ୍ଷକଙ୍କର ଏହି ଅନିଷ୍ଟାଚରଣ ଦ୍ୱାରା ନୀଳମଣି ବଡ଼ାମ୍ୱା ପରିତ୍ୟାଗ କରି ଅନ୍ୟତ୍ର ଚାଲିଯିବାକୁ ଅଭିଳାଷୀ ହେଲେ ।

 

ଏହି ସମୟରେ ବାମଣ୍ଡା ଦେବଗଡ଼ ମି:ଭ: ସ୍କୁଲରେ ଦ୍ୱିତୀୟ ଶିକ୍ଷକପଦ ଶୂନ୍ୟ ଥିବାର ଅବଗତ ହୋଇ ନୀଳମଣି ସେହି ପଦପ୍ରାପ୍ତି ନିମନ୍ତେ ବାମଣ୍ଡାକୁ ଖଣ୍ଡିଏ, ଦରଖାସ୍ତ ପଠାଇଲେ । ଅନେକ ଦିନ ଅତିବାହିତ ହେଲା; କୌଣସି ଉତ୍ତର ପାଇଲେ ନାହିଁ । ତାଙ୍କର ସେହି ଦ୍ୱିତୀୟ ପଣ୍ଡିତ ଏହି ସମ୍ୱାଦଶୁଣି ତାଙ୍କୁ ଶୀଘ୍ର ବଡ଼ମ୍ୱାରୁ ବିଦାୟ କରିଦେବା ଉଦ୍ଦେଶ୍ୟରେ ଏକ କୂଟ ଲେଖ୍ୟ ପ୍ରସ୍ତୁତ କରି ଦେବଗଡ଼ ମି:ଭ: ସ୍କୁଲର ଦ୍ୱିତୀୟ ଶିକ୍ଷକପଦର ନିଯୁକ୍ତି ପତ୍ରରୁପେ ତାହା ବଡ଼ାମ୍ୱା ଡାକଘରୁ ନୀଳମଣିଙ୍କ ନାମରେ ପ୍ରେରଣ କଲେ । ପୋଷ୍ଟାଫିସ ମୋହରରେ ବଡ଼ାମ୍ୱାକୁ ବାମରା (ବାମଣ୍ଡାର ପୋଷ୍ଟାଫିସ ନାମ ବାମରା) ବୋଲି ପଢ଼ିବା ଅତି ଅସ୍ୱାଭାବିକ ନୁହେ । ନୀଳମଣି ସେହି କୃତ୍ରିମ ପତ୍ର ପାଇ ବଡ଼ାମ୍ୱା ତ୍ୟାଗ କରି ଅବିଳମ୍ୱେ ବାମଣ୍ଡା ଅଭିମୁଖରେ ପ୍ରସ୍ଥାନ କଲେ । ଘୋର ଅରଣ୍ୟ ପଥରେ ବହୁକାଳ ଚାଲି ଚାଲି ବାମଣ୍ଡାରେ ଉପସ୍ଥିତ ହୋଇ ରାଜାମହୋଦୟଙ୍କ ସଙ୍ଗରେ ଦେଖାକଲେ । ସେପର୍ଯ୍ୟନ୍ତ ଦେବଗଡ଼ ସ୍କୁଲରେ ଶୂନ୍ୟ ଥିବା କାର୍ଯ୍ୟରେ କୌଣସି ଲୋକ ନିଯୁକ୍ତ ହୋଇ ନ ଥିଲେ । ରାଜାସାହେବ ସେହି କୃତ୍ରିମ ନିଯୁକ୍ତିପତ୍ର ଦେଖି ପ୍ରଥମେ ଟିକିଏ ଚଞ୍ଚଳ ହୋଇପଡ଼ିଲେ; ମାତ୍ର ପରେ ନୀଳମଣିଙ୍କ ମୁଖରୁ ତାଙ୍କ ଶତ୍ରୁସଙ୍କୁଳ ବଡ଼ାମ୍ୱାର ଘଟଣା ଶ୍ରବଣ କରି ଦୟାର୍ଦ୍ର ଅନ୍ତଃକରଣରେ ତାଙ୍କୁ ଉକ୍ତ କାର୍ଯ୍ୟରେ ନିଯୁକ୍ତ କଲେ । ଏହିପରି ଭାବରେ ନୀଳମଣି ଦୈବକର୍ତ୍ତୃକ ପ୍ରେରିତ ହେଲା ପରି ବାମଣ୍ଡାରେ କାର୍ଯ୍ୟଭାର ଗ୍ରହଣ କଲେ ।

 

ଏହିଠାରେ ପ୍ରାତଃସ୍ମରଣୀୟ ମନୋହର କୀର୍ତ୍ତି ସୁଗୃହୀତନାମା ମହାରାଜା ବସୁଦେବ ସୁଢ଼ଳଦେବ ନୀଳମଣିଙ୍କ ଅନ୍ତର୍ନିହିତ ପ୍ରଚ୍ଛନ୍ନ ଶକ୍ତିର ଆଭାସ ପାଇ ତାଙ୍କୁ ଅତ୍ୟନ୍ତ ସମାଦର କରିବାକୁ ଲାଗିଲେ । ନୀଳମଣି ସୁଢ଼ଳଦେବଙ୍କ ସ୍ନେହସହାନୁଭୂତି ଲାଭ କରି ଆପଣାକୁ କୃତକୃତ୍ୟ ମନେକଲେ । ତାଙ୍କର ଅଧ୍ୟାପନା–କୌଶଳ ଓ ଧୀମତ୍ତା ରେ ସନ୍ତୁଷ୍ଟ ହୋଇ ମହାରାଜ ମହୋଦୟ ୧୮୮୮ ମସିହାରେ ତାଙ୍କୁ ସମଗ୍ର ରାଜ୍ୟର ଶିକ୍ଷକଙ୍କୁ ସଚେତନ ଓ ଅବେତନ ସର୍ବବିଧ ଅବକାଶ ପ୍ରଦାନ କରିବାର କ୍ଷମତା ପ୍ରଦାନ କଲେ ।

 

ଓଡ଼ିଶାର ଆଧୁନିକ ସାହିତ୍ୟର ଉନ୍ନତି କାମନାରେ ସାର ବାସୁଦେବ ଯେଉଁ କାର୍ଯ୍ୟ କରିଅଛନ୍ତି, ସେଥିପାଇଁ ତାଙ୍କ ନାମ ଉତ୍କଳସାହିତ୍ୟ ଇତିହାସରେ ସ୍ୱର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ରହିବ । ତାଙ୍କର ବହୁତୋମୁଖୀ ପ୍ରତିଭା ଅନ୍ୟାନ୍ୟ ଦିଗରେ ଯେପରି ସିଦ୍ଧିଲାଭ କରିଅଛି, ସାହିତ୍ୟରେ ମଧ୍ୟ ସେହିପରି ସିଦ୍ଧ ହୋଇଥିଲା । ସେତେବେଳେ ବାମଣ୍ଡା ରାଜନୀତିକ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ରହିଥିଲେହେଁ ସେ ମାତୃଭାଷାର ଉନ୍ନତି କାମନାରେ କାୟମନୋବାକ୍ୟରେ ଚେଷ୍ଟା କରିବାକୁ ଲାଗିଲେ । ତାଙ୍କ ସାଧୁ ଚେଷ୍ଟାରେ ରେ ସହୟତା କରିବାପାଇଁ ସତେ ଯେପରି ନୀଳମଣି ବିଧିପ୍ରେରିତ ସହଚରରୂପେ ତାଙ୍କ ନିକଟରେ ଉପସ୍ଥିତ ହେଲେ । ଉତ୍କଳସାହିତ୍ୟର ଉନ୍ନତି କାମରେ ସେ କଟକ ନଗରରେ ସୁଢଳ ପ୍ରେସ ନାମକ ଗୋଟିଏ ପ୍ରେସ ପ୍ରତିଷ୍ଠିତ କରିଥିଲେ; ମାତ୍ର ତାହାର କାର୍ଯ୍ୟ କଟକରେ ସୁଚାରୁରୂପେ ପରିଚାଳିତ ନ ହେବାରୁ ସେ ତାହାକୁ ୧୮୮୬ ଖ୍ରୀଷ୍ଟାବ୍ଦରେ ଦେବଗଡ଼କୁ ଉଠାଇନେଇ ତହିଁରେ ପୁସ୍ତକ, ଫର୍ମ ପ୍ରଭୃତି ଓ ଜଗନ୍ନାଥବଲ୍ଲଭ ପ୍ରେସରେ ‘ସମ୍ୱଲପୁର ହିତୈଷିଣୀ’ ପତ୍ରିକା ମୁଦ୍ରିତ ହେବାର ସୁବ୍ୟବସ୍ଥା କରିଦେଲେ । ସେତେବେଳେ ଓଡ଼ିଶାରେ ଗଦ୍ୟପଦ୍ୟ ସାହିତ୍ୟର ଅବସ୍ଥା ଅତୀବ ଶୋଚନୀୟ ଥିଲା । ବିଶେଷତଃ ଗଡ଼ଜାତମାନଙ୍କରେ ଲିଖିତ ଓ କଥିତ ଭାଷାର କୌଣସି ପ୍ରଭେଦ ନ ଥିଲା କହିଲେ ଚଳେ । ମୋଗଲବନ୍ଦୀ ଅଞ୍ଚଳରେ ମୁଷ୍ଟିମେୟ ଲୋକହିଁ ଭାଷାଚର୍ଚ୍ଚାରେ ପ୍ରବୃତ୍ତ ହୋଇଥିଲେ ଏହି ଶୋଚନୀୟତାର ନିରାକରଣ ନିମିତ୍ତ ୧୮୮୭ ଖ୍ରୀଷ୍ଟାବ୍ଦରେ ମହାରାଜା ବାସୁଦେବ ଦେବଗଡ଼ରୁ ‘ସମ୍ୱଲପୁର ହିତୈଷିଣୀ’ ନାମ୍ନୀ ପତ୍ରିକା ପ୍ରକାଶ କଲେ । ସେ ସ୍ୱୟଂ ସୁପଣ୍ଡିତ ଓ ମନୀଷୀ (ବୁଦ୍ଧିମାନ) ଥିଲେ । ତେଣୁ ପତ୍ରିକାର ସମ୍ପାଦନ ଓ ପରିଚାଳନ କାର୍ଯ୍ୟରେ ନିଜେ ଏକମାତ୍ର ପୃଷ୍ଠପୋଷକରୂପେ କାର୍ଯ୍ୟ କରିବାକୁ ଲାଗିଲେ ।

 

ପ୍ରଥମେ ରାଜକୁମାର ସ୍କୁଲର ହେଡ଼୍‌ମାଷ୍ଟର ବାବୁ ଗଣେଶ୍ୱର ପଟ୍ଟନାୟକ ବି.ଏ. ଏହି ପତ୍ରିକାର ସମ୍ପାଦକ ଥିଲେ; ମାତ୍ର କିଛି ଦିନ ପରେ ମହାରାଜା ସୁଢ଼ଳଦେବ ନୀଳମଣି ବିଦ୍ୟାରତ୍ନଙ୍କୁ ପତ୍ରିକାର ସ୍ଥାୟୀ ସମ୍ପାଦକ କାର୍ଯ୍ୟରେ ନିଯୁକ୍ତ କଲେ । ନୀଳମଣି ତଦୀୟ କର୍ମମୟ ଜୀବନର ପ୍ରାକ୍‌କାଳରେ ପତ୍ରିକା ସମ୍ପାଦନ କାର୍ଯ୍ୟରେ କିପରି ଅସାଧାରଣ ଶକ୍ତିସାମର୍ଥ୍ୟ ଓ ପ୍ରତିଭା ପ୍ରକାଶ କରିଥିଲେ, ତାଙ୍କର ସମସାମୟିକ ଅନେକ ଲୋକ ଏହା ଅବଗତ ଅଛନ୍ତି । ସେ ପ୍ରଗାଢ଼ ଅଧ୍ୟବସାୟ ସହକାରେ ‘ସମ୍ୱଲପୁର ହିତୈଷିଣୀ’ କୁ ଉତ୍କଳର ସର୍ବପ୍ରଧାନ ପତ୍ରିକାରେ ପରିଣତ କଲେ । ସେତେବେଳେ ‘ହିତୈଷିଣୀ’ କେବଳ ସାପ୍ତାହିକ ସମ୍ୱାଦ ପତ୍ରିକା ନ ଥିଲା, ରାଜନୀତି, ସାମାଜିକ, ସାହିତ୍ୟିକ, ବୈଜ୍ଞାନିକ ତଥା ଧର୍ମସଂକ୍ରାନ୍ତ ତାବତୀୟ ବିଷୟ ଏଥିରେ ସୁଚାରୁରୂପେ ଆଲୋଚିତ ହେଉଥିଲା ।

 

‘‘ସମାଜ କାର୍ଯ୍ୟାଣି ଚ ରାଜନୀତିବିଜ୍ଞାନ ସାହିତ୍ୟ ବିଚାରଯୁକ୍ତିଃ,

ଯତୈବ ସନ୍ଦେଶ ବଚଃ ପ୍ରମେୟଂ ଚିରଂ ବରିବର୍ତ୍ତ, ସୁପକ୍ରିକେୟଂ ।’’

 

ନୀଳମଣି ପତ୍ରିକାର ଏହି ଶୀର୍ଷୋକ୍ତ ବିଷୟମାନଙ୍କ ପ୍ରତି ଦୃଷ୍ଟି ଦେଇ ତାହାର ସାହିତ୍ୟିକ ସମ୍ପଦ ଓ ସମ୍ପାନ ଅଭିବୃଦ୍ଧି ବିଷୟରେ ପ୍ରାଣପଣେ ଯତ୍ନ କରିବାକୁ ଲାଗିଲେ । ପତ୍ରିକା ପ୍ରଚାରକାର୍ଯ୍ୟ ଜୀବନର ପ୍ରଧାନତମ ବ୍ରତ କରି ସେ ସ୍ୱକୀୟ ତୀକ୍ଷ୍ମଦୃଷ୍ଟି ସମାଜର ସର୍ବନିମ୍ନସ୍ତର ପର୍ଯ୍ୟନ୍ତ ନିକ୍ଷେପପୂର୍ବକ କେଉଁଠାରେ କି ଅଭାବ ଅସୁବିଧା ବିଦ୍ୟମାନ, କେଉଁଠାରେ କିପ୍ରକାର ପାପପିଶାଚ ମୂର୍ତ୍ତି ଧାରଣ କରି ତାହାର ବିକଟ ତାଣ୍ଡବରେ ସମାଜକୁ ଭୀତତ୍ରସ୍ତ କରୁଅଛି, କେଉଁଠାରେ କି କୁରୀତି କୁସଂସ୍କାର ଆବର୍ଜନାରୂପେ ରାଶୀକୃତ ହୋଇ ରହିଅଛି, ସେ ସମସ୍ତ ପତ୍ରିକାରେ ପ୍ରକାଶକରତଃ ତହିଁର ପ୍ରତିକାର ନ ହେବା ପର୍ଯ୍ୟନ୍ତ ବାରମ୍ୱାର ସର୍ବସାଧାରଣଙ୍କ ମନୋଯୋଗାକର୍ଷଣ କରୁଥିଲେ । ନାନା ନୂତନ ଚିନ୍ତା, ନାନା ନୂତନ ଭାବ, ନାନା ନୂତନ ସମସ୍ୟା ହୃଦୟରେ ଧାରଣ କରି ପ୍ରତି ସପ୍ତାହରେ ନିୟମିତରୂପେ ପ୍ରକାଶିତ ହେବାଦ୍ୱାରା ‘ହିତୈଷିଣୀ’ ସତେ ଯେପରି ଉତ୍କଳର ଏକ ଅଭିନବ ଯୁଗର ସୁତ୍ରପାତ କଲା । ସେତେବେଳେ ପାଠକ–ସମାଜ ହିତୈଷିଣୀର ପ୍ରକାଶିତ ଦିବସକୁ ଏକାନ୍ତ ଉତ୍‌କଣ୍ଠିତ ହୃଦୟରେ ଅପେକ୍ଷା କରି ରହୁଥିଲେ । କେବଳ ନୀଳମଣି ଓ ମହାରାଜା ସୁଢ଼ଳଦେବ ଯେ ଏହାର ଲେଖକ ଥିଲେ, ତାହା ନୁହେ, ପରନ୍ତୁ ତତ୍‌କାଳୀନ ସମାଜରେ ଯେଉଁମାନେ ସାହିତ୍ୟ-କ୍ଷେତ୍ରରେ ପ୍ରବେଶ କରିଥିଲେ, ସେହି ସମସ୍ତଙ୍କ ଲେଖା ହିତୈଷିଣୀରେ ପ୍ରକାଶିତ ହେଉଥିଲା । ଯେପରି ସୌରାଭାନୁସାରୀ ଭ୍ରମର ପୁଷ୍ପର ଅନୁସନ୍ଧାନ କରି ମଧୁ ସଂଗ୍ରହରେ ଭୋର ହୁଏ, ସେହିପରି ନୀଳମଣି ଓଡ଼ିଶାର କୌଣସି ଲୋକଠାରେ ସାହିତ୍ୟିକ ଶକ୍ତିମତ୍ତାର ଆଭାସ ପାଇଲାକ୍ଷଣି ତାଙ୍କୁ ନାନା କୌଶଳରେ ହିତୈଷିଣୀର ଲେଖକ କରି ନେଉଥିଲେ । ଏହିପରି ଭାବରେ ହିତୈଷିଣୀ ସେତେବେଳେ ଓଡ଼ିଶାର ଅନେକ ଯୁବକଙ୍କୁ ସାହିତ୍ୟିକରୂପେ ପରିଣତ କରିଥିଲା । ଏହି ନବୀନ ଲେଖକମାନଙ୍କ ଛଡ଼ା ସ୍ୱର୍ଗତ ରାଧାନାଥ, ମଦୁସୂଦନ, ଚନ୍ଦ୍ରମୋହନ, ବିଶ୍ୱନାଥ ପ୍ରଭୃତି ତାହାର ନିୟମିତ ଲେଖକ ଥିଲେ । ବିଶ୍ୱନାଥ ବାବୁଙ୍କର ହିତବାଦ ନୀତି, ସାଧନା ଓ ସିଦ୍ଧି, ସାହିତ୍ୟଚର୍ଚ୍ଚା, ସାହିତ୍ୟ ଓ ସମାଲୋଚନା, କବିବର ଉପେନ୍ଦ୍ରଭଞ୍ଜ, ଶିକ୍ଷାପୁରାତନ, ବାଲ୍ୟଶିକ୍ଷା ପ୍ରଭୃତି ସାହିତ୍ୟିକ ପ୍ରବନ୍ଧାବଳୀ ପ୍ରଥମେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ତତ୍ପରେ କିଞ୍ଚିତ୍‌ପରିବର୍ତ୍ତନ ପରିବଦ୍ଧିତ ଆକାରରେ ତାଙ୍କର ‘ବିବିଧପ୍ରବନ୍ଧ’ ରେ ସ୍ଥାନ ପାଇଅଛି । ସେ ଜଣେ ନିରପେକ୍ଷବାଦୀ ସମ୍ପାଦକ ଥିଲେ । ସପକ୍ଷ ବିପକ୍ଷ ଉଭୟଙ୍କ ଲେଖା ଉପାଦେୟତା ଦୃଷ୍ଟିରେ ପତ୍ରିକାରେ ପ୍ରକାଶ କରୁଥିଲେ । ସେଥିରେ ବଛା ବଛା ପ୍ରବନ୍ଧ ପ୍ରକାଶିତ ହେଉଥିଲା । ସୁତରାଂ ବିଦ୍ୱଜ୍ଜନ ସମାଜରେ ତାହା ଆଦୃତ ଥିଲା ।

 

ରାଧାନାଥ, ମଧୁସୂଦନ, ଫକୀରମୋହନ, ଭୋଳାନାଥ ପ୍ରମୁଖ ଶିକ୍ଷିତ ବ୍ୟକ୍ତିମାନଙ୍କର ସହାନୁଭୂତି ଓ ସାହଚର୍ଯ୍ୟ ଲାଭ କରି ଉତ୍ସାହ ଉଚ୍ଛ୍ୱସିତ ହୃଦୟରେ ସମାଜର ସକଳ ପ୍ରକାର ଉନ୍ନତି ଓ ସଂସ୍କାର ସାଧନ ଉଦ୍ଦେଶ୍ୟରେ ସେ ଅସୀମ ସାହସ, ଅବିଚଳିତ ଧୈର୍ଯ୍ୟ, ଅକମ୍ପିତ ନିର୍ଭୀକତା ଓ ଅସାଧାରଣ ନୈପୁଣ୍ୟ ପ୍ରକାଶ କରିବାକୁ ଲାଗିଲେ । ସେ ଯାହା ଅଭ୍ରାନ୍ତ ସତ୍ୟ ପୁଣି ନ୍ୟାୟ ଓ ଧର୍ମାନୁମୋଦିତ ବୋଲି ବୁଝୁଥିଲେ, ଅନେକଙ୍କର ତୀବ୍ର ସମାଲୋଚନା, ଅଜସ୍ର ବାଗ୍‌ବାଣ ପ୍ରୟୋଗରେ ସୁଦ୍ଧା ପଛଘୁଞ୍ଚା ଦେଉ ନ ଥିଲେ । ସେ ଯାହା ଅସତ୍ୟ ବା ଅଯାଥାର୍ଥ ବୋଲି ବୁଝୁଥିଲେ, ତହିଁରେ ସେ କେବେ ହେଁ ସାହଚାର୍ଯ୍ୟ କରୁ ନ ଥିଲେ ଅଥବା ଯାହା ଯଥାର୍ଥ ବୋଲି ହୃଦୟଙ୍ଗମ କରୁଥିଲେ, ତହିଁରୁ ସେ ବିଚଳିତ ହେଉ ନ ଥିଲେ । ଏକଦା ସେ କହିଥିଲେ–

 

‘‘ହୋଇ ଏକତ୍ରିତ ସ୍ୱର୍ଗଦେବଗଣ

କରିବେ ଯଦି ମୋ ଜୀବନ ହରଣ,

ନ ତେଜିବ ସତ୍ୟପଥ ସଦାଶୟ,

ଦେବି ନାହିଁ କେବେ ମିଥ୍ୟାକୁ ପ୍ରଶ୍ରୟ ।’’

 

ସାର ସୁଢ଼ଳଦେବଙ୍କ ଜୀବନଚରିତ ଲେଖକ ‘ସମ୍ୱଲପୁର ହିତୈଷିଣୀ’ ସମ୍ୱନ୍ଧରେ ଲେଖିଛନ୍ତି, ‘ଯାହାର ଦୀର୍ଘକାଳବ୍ୟାପୀ ଅକ୍ଳାନ୍ତ ପରିଶ୍ରମ ଫଳରେ ସମ୍ୱଲପୁର ହିତୈଷିଣୀ ନାନାବିଧ ସମ୍ୱାଦସମ୍ଭାରରେ ସଜ୍ଜିତ ହୋଇ ପ୍ରତି ସପ୍ତାହରେ ପାଠକମାନଙ୍କ ନିକଟରେ ଦେଖା ଦେବାକୁ ଆରମ୍ଭ କରେ, ସେରୂପ ଅସାଧ୍ୟ ସାଧନରେ ସେ କାଳରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନହିଁ ନିଯୁକ୍ତ ଥିଲେ । ସେ ନିଜେ ସ୍ୱପଣ୍ଡିତ ଓ ଭାଷାଭିଜ୍ଞ ବ୍ୟକ୍ତି ଥିଲେ । କାବ୍ୟ, ଅଳଙ୍କାର, ସାହିତ୍ୟ ଓ ଇତିହାସରେ ତାଙ୍କର ଯଥେଷ୍ଟ ଅଧିକାର ଥିଲା । ତାହାଙ୍କର ଭାଷା ପ୍ରାଞ୍ଜଳ ଓ ମଧୁର ଥିଲା । ସେ ଯେଉଁ ବିଷୟରେ ହସ୍ତକ୍ଷେପ କରନ୍ତି, ତାହା ସହଜରେ ଛାଡ଼ନ୍ତି ନାହିଁ କିମ୍ୱା ତହିଁରେ ତାହାଙ୍କୁ ସହଜରେ କେହି ଖର୍ବ କରିପାରନ୍ତି ନାହିଁ । ରାଜନୀତି, ସମାଜସଂସ୍କାର ବିଷୟରେ ତାହାଙ୍କର ଗଭୀର ଅଭିଜ୍ଞତା ଥିଲା । ରାୟକବି, ରାଓକବି, ବ୍ରାହ୍ମଧର୍ମ ପ୍ରଚାରକ ପଣ୍ଡିତ ନନ୍ଦଲାଲ ବନ୍ଦୋପାଧ୍ୟାୟ, ବିଶ୍ୱନାଥ କର ପ୍ରଭୃତି ବହୁବାର ବାମଣ୍ଡାଭ୍ରମଣ ଓ ଅବସ୍ଥିତ ସୂତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ବିବିଧ ସଦ୍‌ଗୁଣ ଓ ବିଦ୍ୟାବତ୍ତାର ଭୁରି ପ୍ରଶଂସା କରିଅଛନ୍ତି । ଆକ୍ଷେପର ବିଷୟ, ଏତାଦୃଶ୍ୟ ଗୁଣବାନ୍‌ବ୍ୟକ୍ତି ସମ୍ପ୍ରତି ସ୍ୱାସ୍ଥ୍ୟଭଙ୍ଗ ନିବନ୍ଧନ ଜୀବନ୍ମୁତ ଅବସ୍ଥାରେ ଗଞ୍ଜମରେ ଶେଷଜୀବନ ଯାପନ କରୁଅଛନ୍ତି । ରାଜାଙ୍କର ଉପଦେଶ ଓ ପରାମର୍ଶରେ ନୀଳମଣି ଏପରି ସୁନ୍ଦର ଭାବରେ ଗଠିତ ହୋଇଥିଲେ ଯେ, ଶେଷରେ ତାଙ୍କ ତତ୍ତ୍ୱାବଧାନ କାଳରେ ସମ୍ୱଲପୁର ହିତୈଷିଣୀ ସମ୍ୱନ୍ଧେ ଅନେକ ସମୟରେ ରାଜା ବାସୁଦେବ ବିଶେଷ ଦୃଷ୍ଟିପାତ ନ କଲେ ମଧ୍ୟ ଚଳିଯାଉଥିଲା । ତାଙ୍କର ପତ୍ରିକା-ସମ୍ପାଦନ ସର୍ବଦା ରାଜାଙ୍କର ମନୋମତ ହେଉଥିଲା ।’’

 

ନୀଳମଣି ତାଙ୍କ ପତ୍ରିକାରେ ବାଳବିଧବାମାନେ ନିର୍ଜ୍ଜଳା ଉପବାସ କରିବାକୁ ଶକ୍ତିହୀନ, ତେଣୁ ଏକଦଶୀ ଦିନ କିଞ୍ଚିତ୍‌ ଫଳାହାର ଦେବା ଉଚିତ ବୋଲି ପ୍ରମାଣ ସହିତ ‘ବାଳବିଧବାର ଏକାଦଶୀ’, ଉତ୍କଳଦେଶର ବ୍ରାହ୍ମଣମାନେ ନିଜ ନିଜ କନ୍ୟାକୁ ଘୋଡ଼ା ହାତୀ ପରି ମୂଲ୍ୟ କରି ବିକ୍ରୟ କରୁଥିବାରୁ ବିଦ୍ୟାରତ୍ନେ ତାହାର ଅବୈଧତା ପ୍ରଦର୍ଶନ କରି ‘ସମାଜ କଳଙ୍କ’ ନାମକ ପୁସ୍ତକ ପ୍ରକାଶ କରିଥିଲେ ।

 

ଜୀବହିଂସା ଓ ମାଛମାଂସ ଭୋଜନ ଉଚିତ ନୁହେଁ ବୋଲି ସେ ପତ୍ରିକାରେ ଆନ୍ଦୋଳନ କରିବାରୁ ତାଙ୍କର ସେହି ପ୍ରବନ୍ଧ ଓ ଶାସ୍ତ୍ରୀୟ ପ୍ରମାଣ ହୃଦୟଙ୍ଗମ କରି ବହୁତ ଲୋକ ତାଙ୍କଠାକୁ ପତ୍ର ଲେଖିଥିଲେ । ସେ ଜିହ୍ୱାର ସୁଖ ଓ ଜୀବନର ମୂଲ୍ୟ ତୁଳନାପୂର୍ବକ ନାନା ଶାସ୍ତ୍ରୀୟ ପ୍ରମାଣ ଦେଇ ‘ଜିହ୍ୱାସୁଖ ଓ ଜୀବନ’ ନାମରେ ଖଣ୍ଡିଏ ପୁସ୍ତକ ପ୍ରକାଶ କରିଥିଲେ । ସେ ଚିକତ୍ସକ ନୁହନ୍ତି, ତଥାପି ନାନା ଚିକତ୍ସାଶାସ୍ତ୍ର ଆଲୋଚନା କରି କେତେକ ମାରାତ୍ମକ ରୋଗର ସହଜ ମୁଷ୍ଟିଯୋଗ ଓ ଔଷଧମାନ ପ୍ରସ୍ତୁତ କରି ରୋଗୀମାନଙ୍କ ମଧ୍ୟରେ ବିତରଣ କରୁଥିଲେ । ସେ ଆମବାତ ରୋଗଚିକତ୍ସା, ଜ୍ୱରଚିକିତ୍ସା, ମେହଚିକିତ୍ସା ପ୍ରଭୃତି ରୋଗମାନଙ୍କ ସମ୍ୱନ୍ଧେ ଖଣ୍ଡେ ଖଣ୍ଡେ ସ୍ୱତନ୍ତ୍ର ପୁସ୍ତକ ଲେଖିଅଛନ୍ତି । ବିଦ୍ୟାରତ୍ନେ ପତ୍ରିକା ପରିଚାଳନା ଭାର ନେଇ ସୁଦ୍ଧା ଭାରତବର୍ଷୀୟ ଦଣ୍ଡବିଧି ଓ କାର୍ଯ୍ୟବିଧି ଆଇନ ପଢ଼ି ଓ ବୁଝି ବାମଣ୍ଡା ମାଜିଷ୍ଟ୍ରେଟ କୋର୍ଟରେ ମଧ୍ୟେ ମଧ୍ୟେ ମୁକ୍ତାରି କରୁଥିଲେ । ଏ କାର୍ଯ୍ୟରେ ସମୟ ସମୟରେ ଚାରିପଇସା ମିଳୁଥିଲା ସତ୍ୟ; ମାତ୍ର ସାହିତ୍ୟଚର୍ଚ୍ଚାକୁ ସମୟାଭାବ ଦେଖି ତହିଁରୁ ବିରତ ହେଲେ ।

 

କବି ଗଙ୍ଗାଧର ବିଦ୍ୟାରତ୍ନଙ୍କଠାରେ ନାନାଭାବରେ ଋଣୀ ଥିଲେ । ତତ୍‌ପ୍ରଣାତ କେତେକ ପ୍ରାଥମିକ କବିତାର ରସାସ୍ୱାଦନ କରି ବିଦ୍ୟାରତ୍ନ ସେଗୁଡ଼ିକ ପ୍ରଥମେ ତାଙ୍କ ପତ୍ରିକାସ୍ଥ କଲେ ଏବଂ ଗଙ୍ଗାଧରଙ୍କଠାରେ ଯେଉଁ ଶକ୍ତି ନିହିତ ଥିଲା, ତାହାର ଭୂୟସୀ ପ୍ରଶଂସା କଲେ । ବିଦ୍ୟାରତ୍ନଙ୍କର ଏହି ଉତ୍ସାହ ବାଣୀରେ ଗଙ୍ଗାଧର ଉତ୍ସାହିତ ହୋଇ ଇନ୍ଦୁମତୀ, କୀଚକବଧ ପ୍ରଭୃତି ଲେଖିବାକୁ ଆରମ୍ଭ କଲେ । ସେ ଗଙ୍ଗାଧରଙ୍କ ଅସାଧାରଣ ଶକ୍ତିରେ ଚମକିତ ହୋଇ ନାନାଚେଷ୍ଟାରେ ସେଗୁଡ଼ିକ ପ୍ରକାଶ କରାଇ ଓଡ଼ିଶାବାସୀଙ୍କ ଧନ୍ୟବାଦାର୍ହ ହୋଇଅଛନ୍ତି ।

 

ଗୁଣଗ୍ରାହୀ ମହାରାଜା ବାସୁଦେବ ୧୮୯୫ ମସିହାରେ ନୀଳମଣିଙ୍କୁ ବାମଣ୍ଡା ଷ୍ଟେଟ କାଉନ୍‌ସିଲର ଅବୈତନିକ ସଦସ୍ୟ ପଦରେ ମନୋନୀତ କରିଥିଲେ । ବାମଣ୍ଡାରେ ନୀଳମଣି ୧୬ ବର୍ଷ କର୍ଯ୍ୟ କରିଥିଲେ । ସେ ସେଠାରେ ଶିକ୍ଷକ-ସମିତି ଓ ଆଲୋଚନା ସଭା ନାମରେ ଦୁଇ ଗୋଟି ସଭା ପ୍ରତିଷ୍ଠା କରି ତହିଁରେ ସ୍ୱୟଂ ପ୍ରବନ୍ଧ ପାଠ କରୁଥିଲେ ଓ ବକ୍ତୃତା ପ୍ରଦାନ କରୁଥିଲେ, ଅନ୍ୟମାନଙ୍କୁ ସେହିପରି କରିବାକୁ ଶିକ୍ଷା ଦେଉଥିଲେ ।

 

ମହାରାଜା ସୁଢ଼ଳଦେବ ତାଙ୍କୁ ଗୋଟିଏ ଉପାଧି ଦେବାକୁ ଇଚ୍ଛା ପ୍ରକାଶ କରିବାରୁ ନୀଳମଣି ତହିଁରେ ଅନିଚ୍ଛୁକ ହୋଇ କହିଥିଲେ–‘‘ମୁଁ ଯେଉଁ ଉପାଧି କର୍ମମୟ ଜୀବନର ପ୍ରାକ୍‌କାଳରେ ଲାଭ କରିଅଛି, ତଦ୍ଦ୍ୱାରା ସର୍ବତ୍ର ପରିଚିତ ହେବାକୁ ଇଚ୍ଛାକରେ; ମାତ୍ର ସେ ଉପାଧିଟି ରାଜପରିବାରର ଜନୈକ ସ୍ତ୍ରୀକର୍ତ୍ତୃକ ପଦତ୍ତ । ଆପଣ ଯେବେ ମୋ ପ୍ରତି ସଦୟ ହୋଇଥାନ୍ତି, ତେବେ ସେହି ପଦଟିକୁ ସ୍ୱୀକାର କରି ମୋତେ ସନନ୍ଦ ପ୍ରଦାନ କରନ୍ତୁ ।’’ ଏହା ଶୁଣି ଗୁଣଗ୍ରାହୀ ମହାରାଜା ଅତୀବ ସନ୍ତୁଷ୍ଟ ହେଲେ ଏବଂ ତାଙ୍କର ପ୍ରିୟ ବିଦ୍ୟାରତ୍ନ ଉପାଧିଟିକୁ ସ୍ୱୟଂ ସ୍ୱୀକାର କରି ତଦନୁରୂପ ସନନ୍ଦ ପ୍ରଦାନ କଲେ ।

 

ନୀଳମଣି ନାନା ସଦ୍‌ଗୁଣରେ ବିମଣ୍ଡିତ ଥିଲେ । ତାଙ୍କର କର୍ମମୟ ଜୀବନ ଅନୁଧ୍ୟାନ କଲେ କେବଳ କର୍ମହିଁ ମିଳେ । ତାଙ୍କ ମନରେ ଯେତେବେଳେ ଯେଉଁ ସାଧୁ କଳ୍ପନାରେ ଉଦୟ ହୁଏ, ସେ କଳ୍ପନାକୁ ସେ ବାସ୍ତବରେ ପରିଣତ କରିବା ପାଇଁ ନିଜର ସମଗ୍ର ଶକ୍ତି ପ୍ରୟୋଗ କରୁଥିଲେ । ଦେଶ ପାଇଁ ସେ ଆହାର ନିଦ୍ରା ତ୍ୟାଗ କରୁଥିଲେ, ଶରୀରର ସ୍ୱାସ୍ଥ୍ୟପ୍ରତି ମଧ୍ୟ ଉପେକ୍ଷା ପ୍ରଦର୍ଶନ କରୁଥିଲେ । ସ୍ଥୂଳତଃ ସେ ନିଜର ପ୍ରାଣକୁ ଦେଶ ସଙ୍ଗରେ ମିଶାଇଦେଇଥିଲେ । ଦେଶର ପ୍ରତ୍ୟେକ ମହଦନୁଷ୍ଠାନ ମୂଳରେ ତାଙ୍କର ଚିନ୍ତାଯତ୍ନ ବିଦ୍ୟାମାନ ।

 

ନୀଳମଣିଙ୍କର ଆତିଥେୟତା ସର୍ବଜନ ପ୍ରଶଂସିତ । ଏତେ ସଦ୍‌ଗୁଣସତ୍ତ୍ୱେ ତାଙ୍କଠାରେ କେତେକ ଗୁରୁତର ଦୋଷ ମଧ୍ୟ ପ୍ରବେଶ କରିଥିଲା । ବ୍ୟକ୍ତିବିଶେଷଙ୍କ ଜୀବନଚରିତ ଆଲୋଚନା କଲେ ସତ୍ୟର ଅନୁରୋଧରେ ଦୋଷ ଗୁଣ ଉଭୟ ପକ୍ଷ ଦେଖାଇବା ଆବଶ୍ୟକ । ଅନ୍ୟଥା ସତ୍ୟର ଅପଳାପ ଘଟେ । ଜଟିଳ ଚିନ୍ତା ଓ ଗଭୀର ଗବେଷଣା ହେତୁ ନୀଳମଣି ଅବସନ୍ନ ହୋଇ ପଡ଼ୁଥିଲେ । ସେହି ଅବସନ୍ନତା ନିବାରଣ ସକାଶେ ତାଙ୍କ କୁବନ୍ଧୁମାନଙ୍କ ଉପଦେଶରେ ସେ ପାନ ଦୋଷରେ ଅଭ୍ୟସ୍ତ ହୋଇପଡ଼ିଲେ । ବହୁଚେଷ୍ଟାସତ୍ତ୍ୱେ ସେ ତାହା ଛାଡ଼ିପାରି ନ ଥିଲେ । ସେଥିପାଇଁ ସେ ବେଳେ ବେଳେ କ୍ଷୋଭ ଓ ଦୁଃଖ ପ୍ରକାଶ କରୁଥିଲେ; କିନ୍ତୁ ଅଭ୍ୟାସର ପରିପକ୍ୱତା ହେତୁ ସେ ତାହା ଛାଡ଼ି ପାରିଲେ ନାହିଁ । ଚନ୍ଦ୍ରର କଳଙ୍କ ପରି ଏ ଦୋଷଟି ପାଇଁ ତାଙ୍କୁ ଅନେକ ସମୟରେ ଦାରୁଣ ଅର୍ଥାଭାବ ଭୋଗ କରିବାକୁ ପଡ଼ୁଥିଲା । ସେଥିପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ସେ ବିଶେଷ ଅନୁତପ୍ତ ଥିଲେ । ପାନ ଦୋଷ ତାଙ୍କ ଚରିତ୍ରକୁ କଳୁଷିତ କରିପାରି ନ ଥିଲା, ଏହା ତାଙ୍କ ଶତ୍ରୁମାନେ ସୁଦ୍ଧା ମୁକ୍ତକଣ୍ଠରେ ସ୍ୱୀକାର କରିବେ । ତଥାପି ଆଦର୍ଶ ଏବଂ ନୀତିଦୃଷ୍ଟିରେ ଏଭଳି କୁଅଭ୍ୟାସ ସମର୍ଥନୀୟ ନୁହେଁ ।

 

ନୀଳମଣି ନାନାଭାବରେ ଯଥେଷ୍ଟ ଆୟ କରୁଥିଲେହେଁ ଅମିତବ୍ୟୟିତା ହେତୁ ସେ ବେଳେ ବେଳେ ବହୁକଷ୍ଟ ଭୋଗ କରୁଥିଲେ । କ୍ରମେ ତାଙ୍କର ଏହି ଅମିତବ୍ୟୟିତାର କାରଣ ସୁଢ଼ଳ ଦେବଙ୍କର କର୍ଣ୍ଣଗୋଚର ହେଲା । ସେ ତାଙ୍କୁ ମିତବ୍ୟୟୀ ହେବାକୁ ଉପଦେଶ ଦେଲେ; ମାତ୍ର ସେ ସମସ୍ତ ବ୍ୟର୍ଥ ହେଲା । ସେ ମହାରାଜାଙ୍କ ଅଜ୍ଞାତରେ ‘ସମ୍ୱଲପୁର ହିତୈଷିଣୀ’ ଆୟରୁ ତିନିଶତଟଙ୍କା ଖରଚ କରିପକାଇଥିଲେ । ମହାରାଜା ଏ କଥା ଶ୍ରବଣ କରି ତାଙ୍କୁ ସତ୍‌ପଥରେ ପରିଚାଳିତ କରିବାପାଇଁ ଅନତିବିଳମ୍ୱଳରେ ଏକ ସପ୍ତାହ ମଧ୍ୟରେ ଟଙ୍କା ରାଜକୋଷରେ ଜମା ଦେବା ନିମତ୍ତ ଆଦେଶ ଦେଲେ ଏବଂ ତାହାର ନ କଲେ ନିୟମାନୁସାରେ ରାଜଦଣ୍ଡ ଭୋଗ କରିବାକୁ ହେବ ବୋଲି ଭୀତି ପ୍ରଦର୍ଶନ କଲେ । ଏଥିରେ ନୀଳମଣି କିଂକର୍ତ୍ତବ୍ୟବିମୂଢ଼ ହୋଇ ସ୍ୱର୍ଗତ କବିବର ରାଧାନାଥାଙ୍କୁ ଏହି ସମ୍ବାଦ ପ୍ରଦାନ କଲେ ଏବଂ ଲେଖିଲେ ଯେ, ‘‘ଏକ ସପ୍ତାହ ମଧ୍ୟରେ ତିନିଶତ ଟଙ୍କା ପ୍ରଦାନ କରି ନ ପାରିଲେ ମୁଁ କାରାଦଣ୍ଡ ଭୋଗ କରିବି ।’’ ପରଦୁଃଖକାତର ରାଧାନାଥ ପତ୍ରପ୍ରାପ୍ତିମାତ୍ରକେ ମଣିଅର୍ଡର ଦ୍ୱାରା ତିନିଶତ ଟଙ୍କା ପ୍ରେରଣ କରି ତାଙ୍କୁ ଏହି ବିପଦରୁ ରକ୍ଷା କରିଥିଲେ ।

 

ନୀଳମଣି ୧୯୦୨ ମସିହାରେ ବାମଣ୍ଡା ତ୍ୟାଗ କରି ଖଲ୍ଲିକୋଟରେ ଉପସ୍ଥିତ ହେଲେ-। ସେତେବେଳେ ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜ ଦେବ ଦେଶସେବା ଓ ପରହିତ ବ୍ରତରେ ଗଞ୍ଜାମର ରାଜନ୍ୟବର୍ଗଙ୍କ ମଧ୍ୟରେ ଆଦର୍ଶ ଥିଲେ । ଚିଲିକା ତୀରବର୍ତ୍ତୀ ରମ୍ଭା ନଗରୀରେ ସେ ଗୋଟିଏ ରମଣୀୟ ପ୍ରାସାଦ କ୍ରୟ କରି ସ୍ୱୀୟ ଶୋଭାନୁଭାବୁକତା ଓ ବିଭବଶାଳିତାର ପ୍ରମାଣ ପ୍ରଦାନ କରିଯାଇଅଛନ୍ତି । ସାହିତ୍ୟସେବା ଓ ସମ୍ୱାଦପତ୍ର ପରିଚାଳନ ଦ୍ୱାରା ଦେଶସେବା କରିବା ଉଦ୍ଦେଶ୍ୟରେ ସେ ସେହି ରମ୍ଭାରେ ଗୋଟିଏ ପ୍ରେସ ପ୍ରତିଷ୍ଠିତ କରି ତାହାର ପରିଚାଳନା ନିମିତ୍ତ ନୀଳମଣିଙ୍କୁ ନିଯୁକ୍ତ କଲେ । ସେ ରମ୍ଭାରେ କାର୍ଯ୍ୟଭାର ଗ୍ରହଣ ଅଦମ୍ୟ ଉତ୍ସାହସହକାରେ ‘ପ୍ରଜାବନ୍ଧୁ’ ନାମକ ସାପ୍ତାହିକ ପତ୍ରିକା ପ୍ରକାଶ କଲେ । ୧୯୦୨ ମସିହା ଜୁନ୍‌୨୫ ତାରିଖ ବୁଧବାର ଦିନ ପ୍ରଜାବନ୍ଧୁ ପତ୍ରିକା ସର୍ବପ୍ରଥମେ ପ୍ରଚାରିତ ହେଲା । ସେ ପ୍ରଜାବନ୍ଧୁରେ ଆଲୋଚନା କରିବା ନିମନ୍ତେ ଯାହା ସ୍ଥିର କରିଥିଲେ, ତାହା ସେହି ପତ୍ରିକାର ଶୀର୍ଷଦେଶରେ ଲେଖାହୋଇଥିଲା-। ତାହା ଏହି–

 

‘‘ହିତକଥା ଶୁଭବାର୍ତ୍ତା ସର୍ବସମାଚାର,

କରିବ ଏ ‘ପ୍ରଜାବନ୍ଧୁ’ ଉତ୍କଳେ ପ୍ରଚାର ।

ନିୟତ କାମନା କରି ସ୍ୱଦେଶର ହିତ,

ରାଜାଙ୍କର ହେଉ ମନ୍ତ୍ରୀ ପ୍ରଜାଙ୍କର ମିତ ।

 

ନ୍ୟାୟଦେବଙ୍କର କରି ନିତ୍ୟ ସେବକତା,

କର ପ୍ରଜାବନ୍ଧୁ ନିଜ ନାମ ସାର୍ଥକତା ।

ହେଉ ସ୍ୱଦେଶର ଏହା ନିତ୍ୟ ଶ୍ରଦ୍ଧାସ୍ଥୁଳ,

ଜଗଦୀଶ କରନ୍ତୁ ଏ ବାସନା ସଫଳ ।’’

 

‘ସମ୍ବଲପୁର ହିତୈଷିଣୀ’ ପରି ସେ ପ୍ରଜାବନ୍ଧୁରେ ପ୍ରବନ୍ଧାଦି ଲେଖିବା ପାଇଁ ଉତ୍କଳର ବିଭିନ୍ନ ଶ୍ରେଣୀର ଲେଖକଙ୍କୁ ଅନୁରୋଧ କଲେ । ପ୍ରଜାବନ୍ଧୁ ଅତି ଅଳ୍ପକାଳ ମଧ୍ୟରେ ଓଡ଼ିଶାରେ ଗୋଟିଏ ପ୍ରଧାନ ପତ୍ରିକାରେ ପରିଣତ ହେଲା । ଅନେକ ଅପରିପକ୍ୱ ଯୁବକ ଲେଖକଙ୍କୁ ପ୍ରଜାବନ୍ଧୁ ସୁଲେଖକରେ ପରିଣତ କରିଅଛି । ସ୍ୱର୍ଗତ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ବାଣୀଭୂଷଣ ସାହିତ୍ୟକ୍ଷେତ୍ରରେ ସୁପରିଚିତ ହେବା ପୂର୍ବରୁ ପ୍ରଜାବନ୍ଧୁ ପତ୍ରିକାର ଜଣେ ନିୟମିତ ଲେଖକ ଥିଲେ । ରାଜପୁରୁଷମାନେ ପ୍ରଜାବନ୍ଧୁର ସୁଯୁକ୍ତିପୂର୍ଣ୍ଣ ପ୍ରବନ୍ଧାବଳୀ ପାଠ କରି ଉତ୍କଳର ନାନା ଅଭାବ ଅସୁବିଧା ଦୂର କରୁଥିଲେ-। ଅନେକ ଅତ୍ୟାଚାରୀ ପ୍ରଜାବନ୍ଧୁର ତୀବ୍ର ସମାଲୋଚନା ଭୟରେ ସୁପଥଗାମୀ ହୋଇଅଛନ୍ତି । ସ୍ଥୂଳତଃ କହିବାକୁ ଗଲେ ପ୍ରଜାବନ୍ଧୁ ପରି ସୁଖପାଠ୍ୟ ପତ୍ରିକା ଓଡ଼ିଶା ପ୍ରଦେଶରେ ଅତ୍ୟଳ୍ପ ପ୍ରକାଶିତ ହୋଇଅଛି । ନୀଳମଣି ଗଞ୍ଜାମ ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରେ ‘ପ୍ରଜାବନ୍ଧୁ ସମିତି’ ନାମରେ ଅନେକ ସମିତି ପ୍ରତିଷ୍ଠା କରି ତୈଲଙ୍ଗମାନଙ୍କଦ୍ୱାରା ଉତ୍ପୀଡ଼ିତ ଓଡ଼ିଆମାନଙ୍କର ନ୍ୟାଯ୍ୟ ଅଧିକାର ବିଷୟ ପ୍ରଜାବନ୍ଧୁ ପତ୍ରିକା ସାହାଯ୍ୟରେ ସରକାରଙ୍କର କର୍ଣ୍ଣଗୋଚର କରାଉଥିଲେ ।

 

ନୀଳମଣି ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାର ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଥମେ ପ୍ରଜାବନ୍ଧୁରେ ଆନ୍ଦୋଳନ ଆରମ୍ଭ କଲେ ଏବଂ ସେହି ଉଦ୍ଦେଶ୍ୟର ବଶବର୍ତ୍ତୀ ହୋଇ ୧୯୦୩ ମସିହା ଏପ୍ରେଲ୍‌ରେ ଗଞ୍ଜାମ ସମ୍ମିଳନୀର ସୂତ୍ରପାତ କଲେ । ବ୍ରହ୍ମପୁରରେ ସମ୍ମିଳନୀର ବିପୁଳ ଆୟୋଜନ ହେଲା । ସୁବିସ୍ତୃତ ଗଞ୍ଜାମ ରାଜ୍ୟରୁ ବହୁ ପ୍ରତିନିଧି ସଭାକୁ ନିମନ୍ତ୍ରିତ ହେଲେ । ଓଡ଼ିଶାରୁ ବହୁ ବିଶିଷ୍ଟ ବ୍ୟକ୍ତି ସେଥିରେ ଯୋଗ ଦେବା ପାଇଁ ଆହୂତ ହୋଇଥିଲେ । ସେ ସମୟରେ ଦେଶପ୍ରାଣ ମଧୁସୂଦନ ଦାସ ସି.ଆଇ.ଇ. କଲିକତାରେ ଅବସ୍ଥାନ କରୁଥିଲେ । ସେ ତାର ଖବର ପାଇ ଠିକ୍ ସମୟରେ ବ୍ରହ୍ମପୁରରେ ଉପସ୍ଥିତ ହେଲେ । ଦାସ ମହାଶୟ ଏହି ସମ୍ମିଳନୀର ପ୍ରୟୋଜନୀୟତା ହୃଦୟଙ୍ଗମ କରି ସମସ୍ତ ଉତ୍କଳଭାଷୀ ପ୍ରଦେଶରେ ସମ୍ମିଳନୀ ପ୍ରତିଷ୍ଠା କରିବା ପାଇଁ ବଦ୍ଧପରିକର ହେଲେ ଏବଂ ଅକ୍ଲାନ୍ତ ପରିଶ୍ରମ ଓ ଅଦମ୍ୟ ଅଧ୍ୟବସାୟ ସାହାଯ୍ୟରେ ଉତ୍କଳ ସମ୍ମିଳନୀର ସୂତ୍ରପାତ କଲେ । ୧୯୦୩ ମସିହା ଡିସେମ୍ବରରେ କଟକ ନଗରୀରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ହୋଇଥିଲା । ସମ୍ମିଳନୀ ଆଉ କିଛି ନ କରିଥିଲେ ମଧ୍ୟ ସମଗ୍ର ଓଡ଼ିଆଜାତିର ଜୀବନୀ ଶକ୍ତିକୁ ଭାରତରେ ପ୍ରତିଷ୍ଠିତ କରିଅଛି, ଏହା କେହି ଅସ୍ୱୀକାର କରିବେ ନାହିଁ ।

 

ପ୍ରଜାବନ୍ଧୁ ପତ୍ରିକା ବାହାରୁଥିବା ସମୟରେ ରମ୍ଭାରୁ ‘ସଂସ୍କାରକ’ ନାମରେ ଆଉ ଖଣ୍ଡିଏ ପତ୍ରିକା ପ୍ରକାଶିତ ହେଉଥିଲା । ବିଦ୍ୟାରତ୍ନଙ୍କ ସମ୍ପାଦକତାରେ ‘ଉତ୍କଳ-ମଧୁପ’ ନାମରେ ଖଣ୍ଡିଏ ବିବିଧ ଜ୍ଞାତବ୍ୟ ମାସିକ ପତ୍ରିକା ମଧ୍ୟ ପ୍ରଚାରିତ ହେଉଥିଲା । ବିଦ୍ୟାରତ୍ନ ପ୍ରଜାବନ୍ଧୁ ପ୍ରକାଶ ସମୟରେ ଦେଶ ସମ୍ବନ୍ଧେ ଯାହା ଯାହା କରିଅଛନ୍ତି ସେ ସମୁଦାୟ ବର୍ଣ୍ଣନା କଲେ ଏକ ପ୍ରକାଣ୍ଡ ପୁସ୍ତକ ହେବ, ତଥାପି ପାଠକମାନଙ୍କ ଅବଗତି ନିମନ୍ତେ କେତେକ କାର୍ଯ୍ୟର ଆଭାସମାତ୍ର ଦିଆହେଉଅଛି ।

 

ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ଉତ୍କଳର ଜଣେ ଅସାଧାରଣ ପ୍ରତିଭାଶଳୀ ସୁପଣ୍ଡିତ । ତାଙ୍କ ପ୍ରଣୀତ ‘ସିଦ୍ଧାନ୍ତ ଦର୍ପଣ’ ତାଙ୍କ ପ୍ରତିଭାର ପୂର୍ଣ୍ଣ ନିଦର୍ଶନ । ତାହାଙ୍କର ଗଣିତ-ପଞ୍ଜିକା ଉତ୍କଳର ଗୃହେ ଗୃହେ ସମାଦୁତ । ତାଙ୍କର ଆର୍ଥିକ ଅବସ୍ଥା ଅପୁଚ୍ଛଳ ହେତୁ ସେ ସର୍ବଦା ଗ୍ରାସାଚ୍ଛାଦନ ବିଷୟରେ ଦାରୁଣ କଷ୍ଟ ଭୋଗ କରୁଥିବାର ଅବଗତ ହୋଇ ବିଦ୍ୟାରତ୍ନେ ୧୯୦୨ ମସିହା ଅକ୍‌ଟୋବର ୮ ତାରିଖରେ ସ୍ୱତ୍ୟୟରେ ତିନିଶତ କାର୍ଡ଼ ମୁଦ୍ରିତ କରାଇ ତାହା ଦେଶର ସଙ୍ଗତିସମ୍ପନ୍ନ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କଠାକୁ ପ୍ରେରଣପୂର୍ବକ ସାହାଯ୍ୟ ପ୍ରାର୍ଥନା କଲେ । ସେ ତହିଁରେ ଲେଖିଥିଲେ–‘‘ସିଦ୍ଧାନ୍ତଦର୍ପଣ-ପ୍ରଣେତା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ଯେପରି ମହାପଣ୍ଡିତ, ସେହିପରି ମହାଦରିଦ୍ର ଓ ମହାବୃଦ୍ଧ । ସେ ଚିରରୋଗୀ ଏବଂ ଦରିଦ୍ର ଥିବାହେତୁ ବୃଦ୍ଧ କାଳରେ ଦୁର୍ବିସହ ଯାତନା ଭୋଗ କରୁଅଛନ୍ତି । ଉତ୍କଳରେ ଗୁଣଗ୍ରାହୀ ଦାନଶୀଳ ରାଜା, ଜମିଦାର, ଧନୀ ଓ ଶିକ୍ଷିତ ଲୋକ ଥାଉଁ ଥାଉଁ ସେ ଏପରି କଷ୍ଟ ଭୋଗ କରୁଥିବା ସେମାନଙ୍କ ପକ୍ଷରେ ଏବଂ ଦେଶ ପକ୍ଷରେ ଗଭୀର କଳଙ୍କର ବିଷୟ । ଏହି କଳଙ୍କ କ୍ଷାଳନ ନିମିତ୍ତ ତାଙ୍କ ପାଇଁ ଚାନ୍ଦା ସଂଗ୍ରହ କରିବାକୁ ପ୍ରବୃତ୍ତ ହୋଇଅଛୁଁ । ଭରସା କରୁଁ, ଆପଣ ଯଥାସାଧ୍ୟ ଚାନ୍ଦା ଅଙ୍ଗୀକାର କରିବା ହେବେ ଏବଂ ଚାନ୍ଦା ଦେବା ସକାଶେ ଅନ୍ୟାନ୍ୟ ଲୋକଙ୍କର ପ୍ରବୃତ୍ତ ଜନ୍ମାଇବା ହେବେ । ଚାନ୍ଦାଦାତାମାନଙ୍କର ନାମ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହେବ । ବର୍ତ୍ତମାନ ଟଙ୍କା ପଠାଇବାର ଆବଶ୍ୟକତା ନାହିଁ । କିଏ କି ପରିମାଣରେ ଅର୍ଥ ସାହାଯ୍ୟ କରିବେ, ତାହା ଜଣାହେଲାରୁ ପରେ କେଉଁ ଠିକଣାରେ ଏବଂ କାହା ନାମରେ ଟଙ୍କା ପଠାଇବାକୁ ହେବ, ଜଣାଇଦିଆହେବ । ନିବେଦକ ଶ୍ରୀ ନୀଳମଣି ବିଦ୍ୟାରତ୍ନ ।’’ ନୀଳମଣିଙ୍କର ଏ ସାଧୁ ଚେଷ୍ଟାରେ ପ୍ରାୟ ସହସ୍ରାଧିକ ଟଙ୍କା ସଂଗୃହୀତ ଓ ପ୍ରେରିତ ହୋଇ ତାଙ୍କ ଅନ୍ତିମକାଳରେ ଚନ୍ଦ୍ରଶେଖରଙ୍କର ମହୋପକାର ସାଧନା କରିଥିଲା ।

 

ସମ୍ୱଲପୁରରୁ ଓଡ଼ିଆ ଭାଷା ଉଠାଇ ଦିଆହୋଇ ହିନ୍ଦୀ ଭାଷା ପ୍ରଚଳନ କରାହେବାରୁ ଉତ୍କଳଭାଷାର ପୁନଃପ୍ରତିଷ୍ଠା ନିମନ୍ତେ ବିଦ୍ୟାରତ୍ନେ ତାଙ୍କ ହିତୈଷିଣୀ ପତ୍ରିକାରେ ବର୍ଷବ୍ୟାପୀ ତୁମୁଳ ଆନ୍ଦୋଳନ ଲଗାଇ ଖଲ୍ଲିକୋଟ ବାହାରି ଆସି ‘ପ୍ରଜାବନ୍ଧୁ’ରେ ସେହି ଆନ୍ଦୋଳନ ପୁନରୁଜ୍ଜୀବିତ କଲେ । ମଧ୍ୟପ୍ରଦେଶର ଚୀଫ୍ କମିସନର ମାନ୍ୟବର ଫ୍ରେଜର ସାହେବଙ୍କ ସୁପାରିସ ଓ ବଡ଼ଲାଟଙ୍କ ନ୍ୟାୟବିଚାରରେ ସେଠାରୁ ହିନ୍ଦୀଭାଷା ବିତାଡ଼ିତ ହେବାରୁ ସମ୍ବଲପୁରବାସୀ ବିଦ୍ୟାରତ୍ନଙ୍କୁ ଅଜସ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ୧୯୦୩ ମସିହା ଜାନୁଆରୀ ଏକତାରିଖଠାରୁ ସମ୍ୱଲପୁର ଅଦାଲତରେ ଓଡ଼ିଆ ଭାଷା ପ୍ରଚାରିତ ହେଲା ।

 

ନୀଳମଣି ପୁରୀରେ ବିଧବାଶ୍ରମ ସ୍ଥାପନ ବିଷୟରେ ଚେଷ୍ଟା କରିବା ନିମନ୍ତେ ପୁରୀମନ୍ଦିରର ମେନେଜର ଶ୍ରୀଯୁକ୍ତ ରାଜକିଶୋର ଦାସ ବି.ଏ.ଙ୍କୁ ଅନୁରୋଧ କରିଥିଲେ । ଏହି ଆଶ୍ରମ ସ୍ଥାପନ ନିମନ୍ତେ ଶ୍ରୀଯୁକ୍ତ ଶ୍ରୀବତ୍ସ ପଣ୍ଡା ବି. ଏ. ଏକସହସ୍ର ମୁଦ୍ରା ଦେବାକୁ ଅଙ୍ଗୀକାର କରିଥିଲେ ଏବଂ ମାନନୀୟ ମୟୁରଭଞ୍ଜ ମହାରାଜ ପନ୍ଦରଶତ ମୁଦ୍ରା ଦେବାକୁ ସ୍ୱୀକୃତ ହୋଇ ଯେଉଁ ପତ୍ର ଲେଖିଥିଲେ, ତାହା ଏହି, ‘‘ମାନ୍ୟବରେଷୁ, ଆପଣଙ୍କ ୧୪ ତାରିଖରେ ଚିଠି ପାଇଲି । ପୁରୀରେ ବିଧବାଶ୍ରମ ସ୍ଥାପନ କରିବା ପାଇଁ ଆପଣ ଯାହା ଲେଖିଅଛନ୍ତି, ସେଥିରେ ମୋର ସମ୍ପୂର୍ଣ୍ଣ ସହାନୁଭୂତି ଅଛି । ଏପରି ଆଶ୍ରମ ସ୍ଥାପନ କରିବା ପାଇଁ କେତେ ଟଙ୍କା ଆବଶ୍ୟକ ଓ ସ୍ଥାପନ ହେଲା ପରେ କିପରି ସଂରକ୍ଷଣ ଓ ତତ୍ତ୍ୱାବଧାରଣ ହେବ, ତାହା ଜାଣିବା ଆବଶ୍ୟକ । ଏ ସମ୍ୱନ୍ଧରେ ଆପଣ ଯଦି ବିଜ୍ଞାପନ କିମ୍ବା ପ୍ରସ୍ତାବ ଛପାଇ ବିତରଣ କରନ୍ତି, ତାହାହେଲେ ଉତ୍ତମ ହେବ । ଆବାସଗୃହ ନିର୍ମାଣ ନିମନ୍ତେ ଯଦି ଆବଶ୍ୟକ ମୁଦ୍ରା ଜନସାଧାରଣରେ ସ୍ୱାକ୍ଷରିତ ହୁଏ, ତାହାହେଲେ ଆଗାମୀ ଏପ୍ରେଲରେ ମୁଁ ଏଥିପାଇଁ ପନ୍ଦରଶତ ଟଙ୍କା ଦେବା ପାଇଁ ସ୍ୱୀକୃତ ହେଉଅଛି-। ୧୬।୮।୧୯୦୪, ନିବେଦକ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ, ମୟୁରଭଞ୍ଜ ।’’

 

ନୀଳମଣି ଯେ କୌଣସି ସଭା ସମିତି ହେଲେ ଆନନ୍ଦର ସହିତ ସେଥିରେ ଯୋଗଦାନ କରୁଥିଲେ । ସେ ସଭା ସମିତିରେ ଯୋଗ ଦେବା ସକାଶେ ପୁରୀ, ବାଲେଶ୍ୱର, କଟକ, ସମ୍ବଲପୁର, ଚକ୍ରଧରପୁର ଆଦି ସ୍ଥାନକୁ ଗମନ କରୁଥିଲେ । ସେ ‘ଖଲ୍ଲିକୋଟ ବ୍ରାହ୍ମଣ ସମିତି’ ସ୍ଥାପନର ପ୍ରଧାନତମ ଉଦ୍‌ଯୋଗୀ ଥିଲେ । ୧୯୦୫ ମସିହା ଜୁଲାଇ ୧୫ ତାରିଖରେ ସେହି ସମିତିର ଗୋଟିଏ ଅଧିବେଶନରେ କେତେକ ପ୍ରସ୍ତାନ ଉପସ୍ଥାପିତ କରିଥିଲେ । ନାନା ତର୍କବିତର୍କ ପରେ ନିମ୍ନଲିଖିତ ପ୍ରସ୍ତାବ ଗୃହୀତ ହୋଇଥିଲା ।

 

୧.

କନ୍ୟା ଶୁଳ୍‌କ ନିବାରଣ ଚେଷ୍ଟା ।

୨.

କନ୍ୟାମାନଙ୍କୁ ଦ୍ୱାଦଶବର୍ଷ (ଋତୁମତୀର ପୂର୍ବକାଳ) ପର୍ଯ୍ୟନ୍ତ ଅବିବାହିତାବସ୍ଥାରେ ରଖାହେବ ।

୩.

ବାଳକବାଳିକାଙ୍କ ଶିକ୍ଷୋନ୍ନତିର ଚେଷ୍ଟା ।

୪.

କୁଟୁମ୍ବ ଓ ଜ୍ଞାତି ଭିନ୍ନ ସଦାଗୁରସମ୍ପନ୍ନ ଅନ୍ୟ ବ୍ରାହ୍ମଣଘରେ ଭୋଜନ କରିବାର ରୀତି ପ୍ରଚଳନ ।

୫.

ଅନିମନ୍ତ୍ରିତ ଭାବରେ କ୍ରିୟାକର୍ତ୍ତାଗୃହରେ ଉପସ୍ଥିତ ହେବା ନିବାରଣ ।

୬.

ଗୋଖାଦକମାନଙ୍କୁ ବୃଦ୍ଧ ଗୋରୁ ବିକ୍ରୟ ପ୍ରଥା ରହିତ ହେବା, କେହି ସେପରି କଲେ ସମାଜଚ୍ୟୁତ କରାହେବା ।

 

ବିଦ୍ୟାରତ୍ନେ ଗୌରବାସ୍ପଦ ବ୍ୟକ୍ତିଙ୍କୁ ଗୌରବ କରୁଥିଲେ । ବିଶ୍ୱନାଥ ମିଶ୍ର ବାରିଷ୍ଟରି ପାସ କରି ପ୍ରତ୍ୟାବୃତ୍ତ ହେଲା ପରେ କେତେକ ବନ୍ଧୁଙ୍କୁ ଆହ୍ୱାନ କରି ବିଦ୍ୟାରତ୍ନ ତାଙ୍କୁ ଅଭିନନ୍ଦିତ କରିଥିଲେ । ସମୁଦ୍ରଯାତ୍ରା ଦୋଷାବହ ନୁହେଁ, ପୂର୍ବକ ପ୍ରଚଳିତ ଥିଲା ଇତ୍ୟାଦି ପତ୍ରିକାରେ ଆନ୍ଦୋଳନ କରି ‘ସମୁଦ୍ରଯାତ୍ରା ବିଚାର’ ନାମରେ ଖଣ୍ଡିଏ ପୁସ୍ତକ ସେ ପ୍ରକାଶ କରିଥିଲେ ।

 

ଶ୍ରୀମତୀ ନାରୀକବି ଅନ୍ନପୂର୍ଣ୍ଣାଙ୍କୁ ସାହାଯ୍ୟ କରିବା ସକାଶେ ନୀଳମଣି ଉତ୍କଳର ରାଜା, ଜମିଦାର ଓ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅନ୍ନପୂର୍ଣ୍ଣା ତଦନୁସାରେ ଅନେକଙ୍କଠାରୁ ଅର୍ଥ ସାହାଯ୍ୟ ଲାଭ କରିଥିଲେ ।

 

ଗଞ୍ଜାମ ଜିଲ୍ଲାର ଓଡ଼ିଆ ସ୍କୁଲମାନଙ୍କରେ ଓଡ଼ିଆରେ ଅଙ୍କ ଲେଖିବାର ରୀତି ନ ଥିଲା । ପୁଣି ଓଡ଼ିଶା ରୀତିରେ ପଣକିଆ ଶିକ୍ଷା ଦିଆହେଉ ନ ଥିଲା । ଯାହା ଶିକ୍ଷା ଦିଆହେଉଥିଲା, ତାହା ଅସମ୍ପୂର୍ଣ୍ଣ । ପଣକିଆ ଗଣିତ ଜ୍ଞାନର ମୂଳଭିତ୍ତି ହେଉଥିବାଠାରେ ତାହାକୁ ଏପରି ଅସମ୍ପୂର୍ଣ୍ଣ ଭାବରେ ଶିକ୍ଷା ଦେବାରେ କ୍ଷତି ଭିନ୍ନ ଲାଭ ନାହିଁ । ଏହି କାରଣରୁ ଗଞ୍ଜାମର ଓଡ଼ିଆ ସ୍କୁଲମାନଙ୍କରେ ଓଡ଼ିଆ ଅଙ୍କ ଲେଖାଇବା ଏବଂ ଓଡ଼ିଶା ରୀତିରେ ପଣକିଆ ଶିକ୍ଷା ଦିଆହେବାର ବ୍ୟବସ୍ଥା କରିବା ନିମନ୍ତେ ନୀଳମଣି ଶିକ୍ଷାବିଭାଗୀୟ କର୍ମଚାରୀଙ୍କର ଦୃଷ୍ଟି ଆକର୍ଷଣ କରି ପତ୍ରିକାରେ ଆନ୍ଦୋଳନ କରିଥିଲେ । ଫଳରେ ଓଡ଼ିଶା ଅଞ୍ଚଳରେ ଯେରୁପ ପଣକିଆ ଶିକ୍ଷା ଦିଆହୁଏ, ଗଞ୍ଜାମ ଜିଲାରେ ସେହିପରି ଶିକ୍ଷାର ବ୍ୟବସ୍ଥା ହେଲା ।

 

ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦକତାରେ ‘ପ୍ରଜାବନ୍ଧୁ’ ବାହାରୁଥିବା ସମୟରେ ଉତ୍କଳରେ ଯେଉଁ ଜାତୀୟ ଜାଗରଣ ଦେଖାହୋଇଥିଲା, ସେଥିର କିଞ୍ଚିତ ପରିଚୟ ଏବଂ ପ୍ରଜାବନ୍ଧୁ ପ୍ରତି ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କର ଅଭିମତ ପାଠକବର୍ଗ ନିମ୍ନଲିଖିତ ପତ୍ରରୁ ଅବଗତ ହୋଇପାରିବେ-

 

ବ୍ୟାସକବି ଫକୀରମୋହନ ସେନାପତି ଲେଖିଥିଲେ–‘‘ପ୍ରତି ବୃହସ୍ପତିବାର ଦିବସ ପ୍ରଜାବନ୍ଧୁ ପ୍ରତୀକ୍ଷାରେ ମୁଁ ଡାକକୁ ଚାହିଁ ବସିଥାଏ । ପ୍ରତିସଂଖ୍ୟା କାଗଜ ମନୋଯୋଗ ସହିତ ପାଠ କରିଅଛି । ନିତାନ୍ତ ଜ୍ଞାତବ୍ୟ ବିଷୟମାନଙ୍କରେ ପତ୍ରିକା ପୂର୍ଣ୍ଣ ଥାଏ । ଏହି ଅଳ୍ପକାଳ ମଧ୍ୟରେ ‘ପ୍ରଜାବନ୍ଧୁ’ ଦେଶର ବିଶେଷ ଉପକାର ସାଧନ କରିଅଛି । ଏହା ଦେଶ ସଂମିଶ୍ରଣ ଚେଷ୍ଟା ଓ ଜାତୀୟ ସମିତି ପ୍ରତିଷ୍ଠାର ମୂଳାଧାର ଅଟେ । ପ୍ରଜାବନ୍ଧୁ ଯେପରି ସୁଲଭ, ସେହିପରି ସୁପାଠ୍ୟ । ଏହାର ବହୁଳ ପ୍ରଚାର ନିତାନ୍ତ ବାଞ୍ଛନୀୟ । ଏହା ଉତ୍କଳର ପ୍ରତି ଗ୍ରାମରେ ଯେପରି ପ୍ରଚାରିତ ହୁଏ, ସେଥି ସମ୍ୱନ୍ଧେ ଅବଶ୍ୟ ଯତ୍ନ କରିବେ । ଏହାର ଉନ୍ନତିକଳ୍ପେ ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତିଙ୍କର ଯତ୍ନଶୀଳ ହେବା ଉଚିତ ।’’

 

କବିବର ରାଧାନାଥ ରାୟ ଲେଖିଥିଲେ,, ‘‘ଗଞ୍ଜାମ ଉପେନ୍ଦ୍ର ଓ ବଳଭଦ୍ରଙ୍କର ପ୍ରସୂତି । ଏ ଦୃଷ୍ଟିରେ ଗଞ୍ଜାମ ଓଡ଼ିଶାର କେବଳ ଅଙ୍ଗ ନୁହେଁ, ଉତ୍ତମାଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ଭାଗ୍ୟଦୋଷରୁ ସେହି ଗଞ୍ଜାମ ଓଡ଼ିଶାରୁ ଏକପ୍ରକାର ବିଚ୍ଛିନ୍ନ ହେବାରୁ ଓଡ଼ିଶା କେବଳ ବିକଳାଙ୍ଗ ନୁହେଁ, ମୃତବତ୍ ହୋଇ ରହିଥିଲା । ଦେହରୁ ଉତ୍ତମାଙ୍ଗ ବିଚ୍ଛିନ୍ନ ପ୍ରାୟ ହେଲେ ଉତ୍ତମାଙ୍ଗର ଯେ ଦଶା ହୁଏ, ଗଞ୍ଜାମ ମଧ୍ୟ ତଦବସ୍ଥ ହୋଇଥିଲା । ଏହି ଦୁର୍ବିପାକର ମୂର୍ତ୍ତମାନ୍ ପ୍ରତୀକାରସ୍ୱରୁପ ପ୍ରଜାବନ୍ଧୁର ଆବିର୍ଭାବ ହୋଇଅଛି । ପ୍ରଜାବନ୍ଧୁ ପ୍ରତ୍ୟେକ ଗଞ୍ଜାମବାସୀ, ପ୍ରତ୍ୟେକ ଉତ୍କଳବାସୀଙ୍କର ଆଦରର ସାମଗ୍ରୀ ।’’

 

ଭକ୍ତକବି ମଧୁସୂଦନ ରାୟ ଲେଖିଥିଲେ–ପ୍ରଜାବନ୍ଧୁ ପତ୍ରିକା ସୁକ୍ଷଣରେ ଜନ୍ମଗ୍ରହଣ କରି ପ୍ରାୟଶଃ ସୁବିଚାର, ସୁନୀତି ଓ ସୁନିର୍ବନ୍ଧସହକାରେ ଚାଳିତ ହେଉଅଛି । ସମ୍ପାଦକ ମହାଶୟ ପ୍ରବୀଣ ଲେଖକ ଏବଂ ଦେଶ-କାଳ-ପାତ୍ରମର୍ମଜ୍ଞ ଉଦ୍‌ଯୋଗୀ ପୁରୁଷ । ପତ୍ରିକା ଅଳ୍ପକାଳ ମଧ୍ୟରେ ଅନେକ କୃତବିଦ୍ୟ, ଲବ୍‌ଧ ପ୍ରତିଷ୍ଠ ହିତୈଷୀ ସ୍ୱଦେଶୀଙ୍କର ସହାନୁଭୂତି ଲାଭକରି ଉତ୍କଳର ଶ୍ରେୟ ସାଧନ ବିଷୟରେ ଦୃଢ଼ନିଷ୍ଠ ହୋଇଥିବାର ଦେଖି ମୁଁ ଅତ୍ୟନ୍ତ ପ୍ରୀତ ହୋଇଅଛି ଏବଂ ତାହାର ମଙ୍ଗଳ କାମନା କରୁଅଛି ।’’

 

କବି ନନ୍ଦକିଶୋର ବଳ ଲେଖିଥିଲେ–ପ୍ରଜାବନ୍ଧୁ ପାଇଁ ମୁଁ ପ୍ରତି ଗୁରୁବାର ଡାକକୁ ଚାତକ ପରି ଚାହିଁ ବସିଥାଏ । ବିଚ୍ଛିନ୍ନ, ବିକଳାଙ୍ଗ, ଲାଞ୍ଛିତ, ପଦାନତ ଉତ୍କଳଖଣ୍ଡମାନର ସଂଯୋଗ ଲାଗି ଗଞ୍ଜାମ ଜାତୀୟ ସମିତିର ଅନୁଷ୍ଠାନ ନିମିତ୍ତ, ଆଧୁନିକ ଉତ୍କଳର ଶ୍ରେଷ୍ଠ ପ୍ରତିଭା ଦରିଦ୍ର ଚନ୍ଦ୍ରଶେଖର ସିଂହ ସାମନ୍ତଙ୍କ ସାହାଯ୍ୟ ପାଇଁ ଏବଂ ଓଡ଼ିଆଜାତି ଓ ଓଡ଼ିଆଭାଷାର ଶ୍ରୀବୃଦ୍ଧିସାଧନାର୍ଥ ଅନ୍ୟ ବିବିଧ ଉପାୟ ଅବଲମ୍ବନପୂର୍ବକ ତନ୍ନିମିତ୍ତ ଅକ୍ଲାନ୍ତ ଅକ୍ଷୂର୍ଣ୍ଣଭାବରେ ବ୍ରତୀ ଥିବା ସକାଶେ ମୁଁ ସ୍ୱଦେଶର ଏହି ପତ୍ରିକାକୁ ଆଦର ଓ ସମ୍ମାନ କରେ ।

 

‘ଉତ୍କଳସାହିତ୍ୟ’ ସମ୍ପାଦକ ବିଶ୍ୱନାଥ କର ଲେଖିଥିଲେ–‘‘ପ୍ରଜାବନ୍ଧୁ କ୍ଷୁଦ୍ର କଳେବର ହେଲେହେଁ ଅଳ୍ପକାଳ ମଧ୍ୟରେ ଓଡ଼ିଆ ସମ୍ବାଦପତ୍ରର ମର୍ଯ୍ୟାଦା ଅନେକ ପରିମାଣରେ ବଢ଼ାଇଦେଇଅଛି । ଆଲୋଚ୍ୟ ବିଷୟ ଏବଂ ଭାଷା ଉଭୟତଃ ଏହାର ଉପଯୋଗିତା ଦିନକୁ ଦିନ ବଢ଼ୁଥିବାର ଦେଖି ମୁଁ ବିଶେଷ ଆନନ୍ଦ ଅନୁଭବ କରିଅଛି । ସମ୍ପାଦକଙ୍କ ଉତ୍ସାହ, ଉଦ୍ୟମ ଏ ନିର୍ଜୀବ ଉତ୍କଳଖଣ୍ଡରେ ବଡ଼ ଆଶାପ୍ରଦ । ସୁତରାଂ ତାଙ୍କ ହସ୍ତରେ ପତ୍ରିକାଖଣ୍ଡିକର ଉତ୍ତରୋତ୍ତର ଉନ୍ନତି ଆଶା କରିବା ଆଦୌ ଅସଙ୍ଗତ ନୁହେଁ । ମୁଁ ପ୍ରଜାବନ୍ଧୁର ଜଣେ ଅନୁରାଗୀ ପାଠକ । ପ୍ରତିସଂଖ୍ୟା ପାଠକଲାବେଳେ ଏହାର ଉଜ୍ଜ୍ୱଳ ଭବିଷ୍ୟତ୍ କଳ୍ପନା କରିଥାଏ ଏବଂ ହୃଦୟର ସହିତ ଏହାର କଲ୍ୟାଣ କାମନା କରିଥାଏ ।’’

 

ଭାଷାକୋଷକାର ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ପ୍ରହରାଜ ଲେଖିଥିଲେ–‘‘ଅଳ୍ପଦିନ ମଧ୍ୟରେ ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ‘ପ୍ରଜାବନ୍ଧୁ’ ବିଶେଷ ଉନ୍ନତି ଲାଭ କରିଅଛି । ଏହି ପତ୍ରିକାର ଆବିର୍ଭାବ ଦିନଠାରୁ ଗଞ୍ଜାମ ଅଞ୍ଚଳ ଓ ରାଜନୀତିକ ଓଡ଼ିଶା ମଧ୍ୟରେ ସମ୍ବନ୍ଧ ଦୃଢ଼ତର ଓ ଆଶାପ୍ରଦ ହୋଇଅଛି ଏବଂ ଅନେକ ଦେଶହିତକର କାର୍ଯ୍ୟ ଅନୁଷ୍ଠିତ ହୋଇଅଛି । ସାମନ୍ତ ଚନ୍ଦ୍ରଶେଖରଙ୍କ ବିଷୟରେ ସମ୍ପାଦକ ଚେଷ୍ଟା କରିବା ଦ୍ୱାରା ସୁଷପ୍ତ ଓଡ଼ିଆଙ୍କୁ ଗୋଟିଏ ଉଦାହରଣ ଦେଖାଇଅଛନ୍ତି । ସେ ‘ଜାତୀୟସଙ୍ଗୀତ’ର ପ୍ରବର୍ତ୍ତନ କରି ଓଡ଼ିଆଙ୍କ ମଧ୍ୟରେ ଜାବୀୟତା ଉଦ୍ଦୀପନା କରିବାଦ୍ୱାରା ଓଡ଼ିଶାର କୃତଜ୍ଞାତାପାତ୍ର ହୋଇଅଛନ୍ତି । ପ୍ରଜାବନ୍ଧୁର ଏକ ସ୍ଥାୟୀ କୀର୍ତ୍ତି ଗଞ୍ଜାମଜାତୀୟସମିତି । ମୁଁ ଅନେକ ଉଳପଦସ୍ଥ ବିଜ୍ଞ ଓଡ଼ିଆ ଭ୍ରାତାଙ୍କଠାରୁ ଶୁଣିଅଛି, ପ୍ରଜାବନ୍ଧୁ ପ୍ରତି ସେମାନଙ୍କର ଆନ୍ତରିକ ସମ୍ମାନ ଅଛି । ମୋ କ୍ଷୁଦ୍ର ମତରେ ପ୍ରଜାବନ୍ଧୁର ଶରୋଭାଗରେ ଯେଉଁ ଦୁଇଧାଡ଼ି ପଦ୍ୟ ଲେଖାଅଛି, ସମ୍ପାଦକ ମହାଶୟ ତାହା କାର୍ଯ୍ୟରେ କରିଣତ କରିବା ପ୍ରତି ସର୍ବଦା ତତ୍ପର । ପ୍ରଜାବନ୍ଧୁ ଗଞ୍ଜାମରେ ଥିଲେହେ ତାହା ଉତ୍କଳଭାଷୀମାନଙ୍କର ସାଧାରଣ ସମ୍ପତ୍ତ ଓ ଓଡ଼ିଆଙ୍କ ଟେକ ରଖିବାକୁ ସର୍ବଦା ତତ୍ପର । ମୋର ଶେଷ ନିବେଦନ ଏହି–ହେଉ ସ୍ୱଦେଶର ଏହା ନିତ୍ୟ ଶ୍ରଦ୍ଧାସ୍କଳ,

 

ଜଗଦୀଶ କରନ୍ତୁ ଏ ବାସନା ସଫଳ ।’’

 

ପୁରୀ ବ୍ରାହ୍ମଣସମିତିର ସଭାପତି ମହାମହୋପାଧ୍ୟାୟ ପଣ୍ଡିତ ସଦାଶିବ ମିଶ୍ର ମହୋଦୟ ଲେଖିଥଲେ, ‘‘ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଉତ୍କଳର ଚିନ୍ତାଶୀଳ ବ୍ୟକ୍ତିମାନେ ଯେପରି ଖଣ୍ଡିଏ ଉତ୍କଳୀୟ ସମ୍ୱାଦପତ୍ରର ଅଭାବ ଅନୁଭବ କରୁଥିଲେ, ସେ ଅଭାବ ବହୁ ପରିମାଣରେ ‘ପ୍ରଜାବନ୍ଧୁ’ ଦ୍ୱାରା ଅପସାରିତ ହୋଇଅଛି । ଏହି ଅଳ୍ପକାଳ ମଧ୍ୟରେ ପ୍ରଜାବନ୍ଧୁର ପରିଚାଳନା ସମଗ୍ର ଉତ୍କଳଭାଷୀ ପ୍ରଦେଶରେ ଜୀବନୀ ଶକ୍ତି ସଞ୍ଚାର କରିଥିବାର ଦେଖି ଆମ୍ଭେମାନେ ଅତ୍ୟନ୍ତ ଆନନ୍ଦିତ ହୋଇଅଛି । ଆହୁରି ଆନନ୍ଦର ବିଷୟ ଏହି ଯେ, ପ୍ରଜାବନ୍ଧୁ ପତ୍ରିକା ପାଇବା ନିମନ୍ତେ ଅନେକ ଗ୍ରାହକଙ୍କ ଉଦ୍‌ବିଗ୍ନ ହେବାର ଦେଖାଯାଇଅଛି । ଏପରିକି ପତ୍ରିକାପ୍ରାପ୍ତିର ନିର୍ଦ୍ଦିଷ୍ଟ ସମୟରୁ କିଞ୍ଚିତ୍ ବିଳମ୍ଭ ହେଲେ ଡ଼ାକଘର ପର୍ଯ୍ୟନ୍ତ ଲୋକ ଦଉଡ଼ିଯିବାର ଦେଖାଯାଏ । ଆମ୍ଭେମାନେ ସାହସର ସହିତ କହିପାରୁଁ, ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍କଳର କୌଣସି ସମ୍ୱାଦପତ୍ର ସାଧାରଣ ପାଠକଙ୍କର ଏତେଦୂର ମନୋଯୋଗ ଆକର୍ଷଣ କରିପାରି ନ ଥିଲା । ‘ପ୍ରଜାପନ୍ଧୁ’ ନିଜ ନାମ ସାର୍ଥକ କରିଥିବାର ଉଦାହରଣ ଦେବା ଅନାବଶ୍ୟକ । ଯେଉଁମାନେ ମନୋଯୋଗ ସହିତ ଉକ୍ତ ପତ୍ରିକା ପାଠ କରିଅଛନ୍ତି, ସେମାନଙ୍କୁ ପତ୍ରିକାର କୃତିତ୍ୱ ଅବିଦିତ ନାହିଁ । ଆମ୍ଭେମାନେ ଈଶ୍ୱରଙ୍କ ନିକଟରେ ପ୍ରର୍ଥନା କରୁଅଛୁ କି, ଏହି ପତ୍ରକା ଦୀର୍ଘଜୀବନ ଲାଭ କରି ପ୍ରାକୃତିକ ଓଡ଼ିଶାର ଘରେ ଘରେ ସମାଦୃତ ହେଉ ।’’

 

ପାରଳାଖେମୁଣ୍ଡୀର ଦ୍ୱିତୀୟ ରାଜକୁମାର ପଦ୍ମନାଭ ନାରାୟଣ ଦେବ ଲେଖିଥିଲେ–ଆମ୍ଭେ ଅତୀବ ଆନନ୍ଦସହକାରେ ପ୍ରକାଶ କରୁଅଛୁଁ ଯେ, ‘ପ୍ରଜାବନ୍ଧୁ’ ଉତ୍ତମରୁପେ ପରିଚାଳିତ ଖଣ୍ଡିଏ ସପ୍ତାହିକ ପତ୍ର । ଏଥିରେ ସାଧରଣ ଓ ସ୍ଥାନୀୟ ଅନେକ ଅନାବଶ୍ୟକ ବିଷୟର ଚର୍ଚ୍ଚା ହୁଏ-। ଆମ୍ଭ ମତରେ ‘ପ୍ରଜାବନ୍ଧୁ’ ଓଡ଼ିଆଜାତିଙ୍କ ମନରେ ନୁତନ ତେଜର ଉଦ୍ରେକ କରିଅଛି ଏବଂ ଏହାଦ୍ୱାରା ଏହି ଗଞ୍ଜାମଜିଲାର ସାହିତ୍ୟ ଗତି ଓ ଅନ୍ୟାନ୍ୟ ସତେଜତା ଅନେକ ପରିମାଣରେ ବୃଦ୍ଧିଭାଲ କରିଅଛି । ବର୍ତ୍ତମାନ ଏହା ଯେଉଁ ପନ୍ଥା ଅବଲମ୍ଭନ କରି ଚଳୁଅଛି, ଯେବେ ଭବିଷ୍ୟତ୍‌ରେ ସେହି ପନ୍ଥା ଅନୁସରଣ କରେ, ତାହାହେଲେ ଏହା ପ୍ରକୃତରେ ପ୍ରଜାବନ୍ଧୁ ନାମ ସାର୍ଥକ କରିବ–ଏଥିରେ ଆମ୍ଭର କିଛିମାତ୍ର ସନ୍ଦେହ ନାହିଁ । ଏ ପତ୍ରିକାଖଣ୍ଡ ଉପଯୁକ୍ତ ସିଦ୍ଧି ଲାଭକରୁ, ଏହାହିଁ ଆମ୍ଭର କାମନା ।

 

ରମ୍ଭାଗ୍ରାମନିବାସୀ ବିଦ୍ୟୋତ୍ସାହୀ ଯୁବକ ଶ୍ରୀଯୁକ୍ତ ଜୟକୃଷ୍ଣ ପଟ୍ଟନାୟକ ‘ପ୍ରଜାବନ୍ଧୁ’ର ମେନେଜର ଥିଲେ । ସେ ବିଦ୍ୟାରତ୍ନଙ୍କ ଦକ୍ଷିଣହସ୍ତସ୍ୱରୁପ ହୋଇଥିଲେ । ଜୟକୃଷ୍ଣ ବାବୁ ମଧ୍ୟ ବିଦ୍ୟାରତ୍ନଙ୍କୁ ଗୁରୁ ପରି ଭକ୍ତି କରୁଥିଲେ । କ୍ଷୁଦ୍ର ରମ୍ଭାଗ୍ରାମ ବିଦ୍ୟାରତ୍ନଙ୍କ ହେତୁ ବିଦ୍ୟାନଗରୀରେ ପରିଣତ ହୋଇଥିଲା । ଗୁଣଗ୍ରାହୀ ରାଜା ହରିହର ମର୍ଦ୍ଦରାଜ ଦେବ ଜୟକୃଷ୍ଣ ବାବୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତାଙ୍କୁ ‘ଚ୍ୟଉପଟ୍ଟନାୟକ’ ଉପାଧି ପ୍ରଦାନ କରିଥିଲେ । ବିଦ୍ୟାରତ୍ନଙ୍କ ଗୁଣରାଶି ଚ୍ୟାଉପଟ୍ଟନାୟକଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରିଥିଲା । ସେହି ଚ୍ୟାଉପଟ୍ଟନାୟକ ଏବେ ଜରାଜୀର୍ଣ୍ଣାବସ୍ଥାରେ ଶିବରାତ୍ରିର ଶଳିତା ହୋଇ ରହିଅଛନ୍ତି । ତାଙ୍କ ଭଳି କର୍ମଯୋଗୀ ବିରଳ ପରିଲକ୍ଷିତ ହୁଅନ୍ତି ।

 

‘ପ୍ରଜାବନ୍ଧୁ’ ସ୍ୱୀୟ ଗୁଣଗୌରବରେ ଉତ୍କଳବାସୀଙ୍କ ନିକଟରେ ସମ୍ମାନିତ ଓ ସମାଦୃତ ହୋଇ ଛଅ ବର୍ଷକାଳ ନିର୍ବିଘରେ ପ୍ରକାଶିତ ହେଲା । ଏହି ସମୟରେ ଖଲ୍ଲିକୋଟ ରାଜ୍ୟ ଋଣଗ୍ରସ୍ତ ହେବାରୁ କୋମ୍ପାନୀ ପରିଚାଳନାଧୀନ ହେଲା । ‘ପ୍ରଜାବନ୍ଧୁ’ ପ୍ରକାଶ ଦ୍ୱାରା ଇଷ୍ଟେଟର କୌଣସି ଆର୍ଥିକ ଲାଭ ହେଉ ନ ଥିଲା ବରଂ ଇଷ୍ଟେଟର ଲୋକସାନ୍ ହେଉଥିଲା । ଇଷ୍ଟେଟ ମେନେଜର ବାଧ୍ୟହୋଇ ପତ୍ରିକାପ୍ରକାଶ ବନ୍ଦ କରିଦେଲେ । ନୀଳମଣି ଉପାୟାନ୍ତର ନ ଦେଖି ବ୍ରହ୍ମପୁର ଚାଲିଗଲେ । ସେଠାରେ ପରଶୁରାମ ପାତ୍ର ବି. ଏଲଙ୍କ ଅର୍ଥସାହାଯ୍ୟରେ କିଛିଦିନ କଟାଇଲେ । ଏହି ସମୟରେ ସେ ଭୟଙ୍କର ବ୍ରଣପୀଡ଼ାରେ ପୀଡ଼ିତ ହେଲେ । ଏହି ସଙ୍କଟ ସମୟରେ ବାମଣ୍ଡା, ଧରାକୋଟ, ଲାଞ୍ଜିଗଡ଼ର ରାଜାମାନେ ଓ ଓଡ଼ିଶାର କେତେକ ବିଶିଷ୍ଟ ଭଦ୍ରବ୍ୟକ୍ତି କିଛି କିଛି ଅର୍ଥସାହାଯ୍ୟ କରି ତାଙ୍କର ଉପକାର ସାଧନ କରିଥିଲେ । ସୁସ୍ଥ ହେଲା ପରେ ବଡ଼ଖେମୁଣ୍ଡୀ ଯାଇ ରାଜାସାହେବଙ୍କୁ ସାକ୍ଷାତ୍ କଲେ । ରାଜା ତାଙ୍କୁ ‘ଗଞ୍ଜାମଗୁଣଦର୍ପଣ’ ପତ୍ରିକାର ସମ୍ପାଦକ ପଦରେ ନିଯୁକ୍ତ କଲେ । ବିଦ୍ୟାରତ୍ନେ ସେଠାରେ ସଭାସମିତି ସ୍ଥାପନ କରି ତହିଁରେ ପ୍ରବନ୍ଧପାଠ ଓ ବକ୍ତୃତା କରିବା ପାଇଁ ସ୍ଥାନୀୟ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିଥିଲେ । ଯେଉଁମାନେ ସାମାନ୍ୟ ସାମାନ୍ୟ କାରଣବଶତଃ ରାଜଦରବାରରେ ପ୍ରବେଶ ନିମନ୍ତେ ମନା ହୋଇଥିଲେ, ବିଦ୍ୟାରତ୍ନେ ସମୟସୁବିଧାକ୍ରମେ ରାଜାଙ୍କୁ ଜଣାଇ ସେମାନଙ୍କୁ ପ୍ରବେଶାଧିକାର ଦିଆଇଥିଲେ । କେହି ଗୁଣବାନ୍ ପଣ୍ଡିତ ଆସିଲେ ରାଜା ମହୋଦୟ ବିଦ୍ୟାରତ୍ନଙ୍କ ପରାମର୍ଶନୁସାରେ ତାଙ୍କୁ ଉଚିତ ସମ୍ମାନ ଓ ପୁରସ୍କାର ପ୍ରଦାନ କରୁଥିଲେ । ବିଦ୍ୟାରତ୍ନେ କତିପୟ ପଣ୍ଡିତଙ୍କୁ ନେଇ ଗୋଟିଏ ସଭାରେ ବଡ଼ଖେମୁଣ୍ଡିରାଜା କୃପାମୟଦେବଙ୍କୁ ‘ପ୍ରତିଭାବିନୋଦ’ ନାମରେ ଗୋଟିଏ ଉପାଧି ପ୍ରଦାନ କରିଥିଲେ ।

 

ନିଳମଣି ବଡ଼ଖେମୁଣ୍ଡିରେ ମଧ୍ୟ ତାଙ୍କର ସେହି ଦେଶମିଶ୍ରଣ ଆନ୍ଦୋଳନ ସମ୍ପର୍କରେ ନାନା ପ୍ରବନ୍ଧ ‘ଗଞ୍ଜାମଗୁଣଦର୍ପଣ’ରେ ପ୍ରକାଶ କରୁଥିଲେ । ଏଥିରେ ଅନେକ ତୈଲଙ୍ଗୀୟ ଲୋକ ତାଙ୍କୁ ନାନାପ୍ରକାର ଭୟ ପ୍ରଦର୍ଶନ କଲେ; ମାତ୍ର ସେ ବୀରହୃଦୟରେ ସ୍ୱୀୟ କର୍ତ୍ତବ୍ୟସାଧନରେ ଅଗ୍ରସର ହେଉଥିଲେ । କର୍ମୀ ଲୋକ ସର୍ବତ୍ର କର୍ମ କରିବାର ପ୍ରଶସ୍ତ କ୍ଷେତ୍ର ଦେଖିପାରନ୍ତି । ବିଦ୍ୟାରତ୍ନେ କେବଳ ପତ୍ରିକା ପରିଚାଳନରେ ବ୍ୟାପୃତ ନ ଥାଇ ରାଜ୍ୟର ବିବିଧ ଉନ୍ନତି ବିଧାନରେ ରାଜାଙ୍କୁ ପ୍ରୋତ୍ସାହିତ କରିବାକୁ ଲାଗିଲେ । ତାଙ୍କରି ଚେଷ୍ଟାରେ ବଡ଼ଖେମୁଣ୍ଡିର ଉ: ପ୍ରା: ସ୍କୁଲ ସେକେଣ୍ଡରୀ ସ୍କୁଲରେ ପରିଣତ ହୋଇଅଛି ଓ ସେଠାରେ ଗୋଟିଏ ବାଳିକାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଅଛି । ବିଦ୍ୟାରତ୍ନଙ୍କ ପ୍ରବର୍ତ୍ତନାରେ ରାଜା ମହୋଦୟ ବ୍ରହ୍ମପୁର କଲେଜସଂଲଗ୍ନ ଓଡ଼ିଆ ଛାତ୍ରବାସ ନିର୍ମାଣ ନିମନ୍ତେ ସାତହଜାର ଟଙ୍କା ଦାନ କରିଥିଲେ । ରାଜ୍ୟର ଦରିଦ୍ର ଛାତ୍ରମାନଙ୍କ ରାଜକୋଷର ସାହାଯ୍ୟ ଦେଇ ଭିନ୍ନ ଭିନ୍ନ ସ୍କୁଲରେ ପଢ଼ାଉଥିଲେ । ବଡ଼ଖେମୁଣ୍ଡିର ଟାଉନହଲ ଓ ତତ୍ରତ୍ୟ ଲକ୍ଷ୍ମୀନାରାୟଣ ଲାଇବ୍ରେରୀ ବିଦ୍ୟାରତ୍ନଙ୍କ ଚେଷ୍ଟାର ଅନ୍ୟତମ ନିଦର୍ଶନ । ‘ଦେଶୋନ୍ନତିଦାୟିନୀ ସମିତି’ ନାମକ ଦୁଇଗୋଟି ସମିତି ସେଠାରେ ପ୍ରତିଷ୍ଠିତ କରି ସେଗୁଡ଼ିକର ନିୟମିତ ଅଧିବେଶନରେ ରାଜ୍ୟର ତଥା ଯୁବକ ସମ୍ପ୍ରଦାୟର ସର୍ବବିଧ ଉନ୍ନତି ପାଇଁ ଚେଷ୍ଟା କରୁଥିଲେ । ରାଜାଙ୍କ ଜମିଦାରୀ ସିରସ୍ତାରେ ଓଡ଼ିଆ ଅଙ୍କ ପରିବର୍ତ୍ତରେ ଇଙ୍ଗ୍‌ରେଜୀ ଅଙ୍କ ପ୍ରଚଳନ ଥିଲା ଏବଂ ରାଜକର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ତୈଲଙ୍ଗୀୟ ଥିଲେ । ସେ ରାଜା ମହୋଦୟଙ୍କୁ ଏଥିର ଅସୁବିଧାମାନ ଦର୍ଶାଇ କ୍ରମେ ସେଠାରୁ ଏହି ଉଭୟ ପ୍ରଥାର ଉଚ୍ଛେଦସାଧନ କରିଥିଲେ । ତାଙ୍କରି ଚେଷ୍ଟାରେ ରାଜାମହୋଦୟ ଓଡ଼ିଶାର ପ୍ରଧାନ ପ୍ରଧାନ ସାହିତ୍ୟକଙ୍କୁ ନିମନ୍ତ୍ରଣ କରିନେଇ ରଜୋଚିତ ସମ୍ମାନ ପ୍ରଦାନ କରିଅଛନ୍ତି ।

 

ରାଜାଙ୍କର ପଟ୍ଟକୁମାରଙ୍କ ଜନ୍ମୋତ୍ସବକୁ ଦୁଇ ତିନିଗୋଟି ବିରାଟ ସଭା କରାଇ ତହିଁରେ ରାଜ୍ୟର ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ପଦ ଓ ପୁରସ୍କାର ପ୍ରଦାନ କରାଇଥିଲେ । ସୁରଙ୍ଗୀ ଓ ବଡ଼ଖେମୁଣ୍ଡି ମଧ୍ୟରେ ରାଜ୍ୟର ସନ୍ଧିସୀମାଦି ବିଷୟରେ ପୂର୍ବରୁ ମନୋମାଳିନ୍ୟ ଥିଲା । ବିଦ୍ୟାରତ୍ନେ ସୁରଙ୍ଗୀ ନରପତିଙ୍କ ଗୁଣାବଳୀ ବର୍ଣ୍ଣନପୂର୍ବକ ‘କୀର୍ତ୍ତି-କୁସୁମମାଳା’ ନାମରେ ଖଣ୍ଡିଏ କବିତା ପୁସ୍ତକ ଛାପା କରାଇ ସରଙ୍ଗୀ ଯୁବରାଜଙ୍କ ନାମରେ ଉପହାର ଦେଇଥିଲେ । ବିଦ୍ୟାରତ୍ନେ ସେହି ପୁସ୍ତକ ନେଇ ସୁରଙ୍ଗୀ ନରପତିଙ୍କୁ ପ୍ରଦାନପୂର୍ବକ ସମୁଚିତ ପୁରସ୍କୃତ ହୋଇଥିଲେ ଏବଂ ଉଭୟେ ନରପତିଙ୍କ ମଧ୍ୟରେ ସ୍ନେହସମ୍ବନ୍ଧର ସୂତ୍ରପାତ କରିଥିଲେ । ବଡ଼ଖେମୁଣ୍ଡି ରାଜାଙ୍କୁ ପ୍ରୋତ୍ସାହିତ କରି ତାଙ୍କ ପଟ୍ଟଜେମାଙ୍କ କର୍ଣ୍ଣବୋଧ ଉତ୍ସବକୁ ନିମନ୍ତ୍ରଣ ବେଭାର ପ୍ରେରଣର ବ୍ୟବସ୍ଥା ହେବାରୁ ଶ୍ରୀମାନ୍ ସୁରଙ୍ଗୀ ନରପତି ଯଥୋଚିତ ବିଧିରେ ଉତ୍ସବକୁ ପ୍ରତିନିଧି ଓ ବେଭାର ପଠାଇ ଉଭୟେ ପରମ ବନ୍ଧୁସୂତ୍ରରେ ଆବଦ୍ଧ ହୋଇଥିଲେ । ଉଭୟ ରାଜା ପରସ୍ପର ରାଜଧାନୀକୁ ଗମନାଗମନ କରୁଥିଲେ-

 

ଗତ ଜର୍ମାନୀ ଯୁଦ୍ଧ ସମୟରେ ବିଦ୍ୟାରତ୍ନେ ବଡ଼ଖେମୁଣ୍ଡି ନରପତିଙ୍କୁ ଜଣାଇ ସ୍ୱୟଂ ଏବଂ ରାଜା ପ୍ରୟୋଜନ ହେଲେ ଇଙ୍ଗ୍‌ରେଜ ରାଜାଙ୍କ ସପକ୍ଷରେ ଯୁଦ୍ଧରେ ଯୋଗ ଦେବା ସକାଶେ ସମ୍ମତି ଜଣାଇ ଅନୁମତି ପ୍ରାର୍ଥନା କରିବାରୁ ଭାରତର ମାନନୀୟ ଗଭର୍ଣ୍ଣର ଜେନେରେଲ ମହୋଦୟ ସେମାନଙ୍କ ସ୍ନେହସହାନୁଭୂତିକୁ ଧନ୍ୟବାଦ ପ୍ରଦାନ କରି ପତ୍ର ଲେଖିଥିଲେ । ରାଜା ମହୋଦୟ ବିଦ୍ୟାରତ୍ନଙ୍କ ଯୋଗୁଁ ଏହି ଗୌରବ ଲାଭରେ ପରିତୁଷ୍ଟ ହୋଇ ସନ୍ତୋଷର ନିଦର୍ଶନରୂପେ ତିରିଶ ଭରଣ ଭୂମି ପ୍ରଦାନ କରିଥିଲେ । ରାଜାମହୋଦୟ ବିଦ୍ୟାରତ୍ନଙ୍କ ପ୍ରତି ସତତ ସୁସପ୍ରନ୍ନ ଥାଇ ଯେତେବେଳେ ଯାହା ଆବଶ୍ୟକ, ତାହା ପ୍ରଦାନ କରୁଥିଲେ ।

 

ପୁରୀ ମହାରାଜାଙ୍କ ପୋଷ୍ୟପୁତ୍ର ଗ୍ରହଣ ସମ୍ପର୍କରେ ସେତେବେଳେ ବାମଣ୍ଡା ସଙ୍ଗେ ବଡ଼ଖେମୁଣ୍ଡିର ମନୋମାଳିନ୍ୟ ଉପସ୍ଥିତ ହେଲା, ସେତେବେଳେ କୌଣସି କୌଣସି ପରିଚ୍ଛିଦ୍ରାନ୍ୱେଷୀ ଲୋକ ରାଜାଙ୍କ ମନରେ ଏହି ଭାବ ଜନ୍ମାଇଦେଲେ ଯେ, ବିଦ୍ୟାରତ୍ନ ବହୁକାଳ ବାମଣ୍ଡାରେ ଥିଲେ, ତେଣୁ ଏ ସ୍ଥାନର ଯାବତୀୟ ବିଷୟ ଗୋପନରେ ବାମଣ୍ଡାକୁ ଜଣାଉଅଛନ୍ତି । ଏଥିରେ ରାଜା ମହୋଦୟ ବିଦ୍ୟାରତ୍ନଙ୍କୁ ଟିକିଏ ଭିନ୍ନ ଦୃଷ୍ଟିରେ ଦେଖିଲେ । ସ୍ୱାଧୀନଚେତା ବିଦ୍ୟାରତ୍ନ ଏହା ଜାଣିପାରି ବଡ଼ଖେମୁଣ୍ଡି ତ୍ୟାଗ କରି ବ୍ରହ୍ମପୁର ଚାଲିଗଲେ ।

 

ବଡ଼ଖେମୁଣ୍ଡି ଅବସ୍ଥାନ ସମୟରେ ଶ୍ରୀ ତ୍ରିପତି ଦୋରା ନାମକ ଜଣେ ଉତ୍ସାହୀ ଯୁବକ ବିଦ୍ୟାରତ୍ନଙ୍କର ବିଶେଷ ଅନୁଗତ ଥିଲେ । ତାଙ୍କର ସଙ୍ଗୀତଗାନାରେ ପାରଦର୍ଶିତା ଦେଖି ବିଦ୍ୟାରତ୍ନେ ରାଜାଙ୍କୁ ଜଣାଇ ତାହାଙ୍କୁ ଗାୟକରତ୍ନ ଉପାଧି ପ୍ରଦାନ କରାଇଥିଲେ । ବିଦ୍ୟାରତ୍ନଙ୍କ ମୃତ୍ୟୁପର୍ଯ୍ୟନ୍ତ ଗାୟକରତ୍ନ ତାଙ୍କ ସଙ୍ଗରେ ରହି ସହକର୍ମୀ ରୂପେ କାର୍ଯ୍ୟ କରୁଥିଲେ ।

 

ବିଦ୍ୟାରତ୍ନେ ବ୍ରହ୍ମପୁରରୁ ଧରାକୋଟ ଗଲେ । ସେଠାରେ ଧରାକୋଟାଧୀଶ୍ୱର ମଦନମୋହନ ସିଂହଦେବ ମହୋଦୟଙ୍କୁ ନିଜର ଦୁରବସ୍ଥା ବିଷୟ ଜଣାଇବାରୁ ସେ ଗୋଟିଏ ପ୍ରେସ ଅଣାଇ ତହିଁରେ ରଖିବାର ଇଚ୍ଛା ପ୍ରକାଶ କରି ଏହିସବୁ ବନ୍ଦୋବସ୍ତ ହେବା ପର୍ଯ୍ୟନ୍ତ ତାଙ୍କର ବ୍ରହ୍ମପୁରସ୍ଥିତ ବଙ୍ଗଳାରେ ରହିବାକୁ ନିଶ୍ଚୟ କରି ମାସିକ ଚାଳିଶ ଟଙ୍କ ସାହାଯ୍ୟ ଦାନ କରିବାକୁ ଅଙ୍ଗୀକାର କଲେ । ବିଦ୍ୟାରତ୍ନ ଆଶ୍ୱସ୍ତ ହୋଇ ବ୍ରହ୍ମପୁର ପ୍ରତ୍ୟାଗମନ କଲେ । ସେ ଧରାକୋଟ ବଙ୍ଗଳାରେ ଅବସ୍ଥାନ କରି ନିଜର ଉପସ୍ଥିତ ବିପଦ ବିଷୟ ଖଲ୍ଲିକୋଟ ବର୍ତ୍ତମାନ ନରପତିଙ୍କୁ ଜଣାଇଲେ । ସେ କିଛି ଅର୍ଥସାହାଯ୍ୟ ପଠାଇଦେଲେ । ଏହିପରି ଭାବରେ ଛଅମାସ ଅତୀତ ହେଲା, ଧରାକୋଟରେ ପ୍ରେସ ସ୍ଥାପନର କୌଣସି ସୂଚନା ଜଣାଗଲା ନାହିଁ । ସେ କର୍ମଶୂନ୍ୟ ଭାବରେ କାଳଯାପନ କରୁଥିବା ସମୟରେ ୧୯୨୨ ମସିହା ନଭେମ୍ବରରେ ‘ଉତ୍କଳ-ଦୀପିକା’ର ସମ୍ପାଦକରୂପେ ନିଯୁକ୍ତ ହୋଇ କଟକ ଗମନ କଲେ । ଉତ୍କଳ-ଦୀପିକାର ସମ୍ପାଦକତ୍ୱ ତାଙ୍କ ଜୀବନର ଶେଷକାର୍ଯ୍ୟ । ସେ କାର୍ଯ୍ୟଭାର ଗ୍ରହଣ କରିବାବେଳେ ‘ଉତ୍କଳଦୀପିକା’ର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଥିଲା । ଯେଉଁ ନୀଳମଣି ବୀରଦର୍ପରେ ‘ସମ୍ବଲପୁର ହିତୈଷିଣୀ’, ‘ପ୍ରଜାବନ୍ଧୁ’ ଓ ‘ଗୁଣଦର୍ପଣ’ ପରିଚାଳନ କରି ଉତ୍କଳରେ ନବଯୁଗର ଜାଗରଣ ଅଣିଥିଲେ, ଯାହାଙ୍କର ବଜ୍ରଦୃଢ଼ ଲେଖନୀ ପ୍ରଭାବରେ କେତେ ରାଜା, ପ୍ରଜା, ଜମିଦାର, ଧନୀ, କର୍ମୀ ସୁପଥରେ ପରିଚାଳିତ ହେବାକୁ ବାଧ୍ୟ ହୋଇଥିଲେ ଏବଂ ଯାହାଙ୍କ ଦ୍ୱାରା ଉତ୍କଳର ରାଜନୀତିକ ଆକାଶରୁ ବହୁବିଧ ଅସାମୟିକ ଘନଘଟା ତିରୋହିତ ହୋଇଥିଲା; ଉତ୍କଳଦୀପିକା ସମ୍ପାଦକରୂପେ ସେହି ନୀଳମଣି ନିୟୋଜିତ ହୋଇ ନ ଥିଲେ ସେ, ନିଯୁକ୍ତ ହୋଇଥିଲେ ସେ ଛାୟାମୟ ନୀଳମଣି । ପ୍ରତିଭା ଓ ଶକ୍ତି ସ୍ୱତନ୍ତ୍ର ବସ୍ତୁ । ଯଥାକାଳରେ ତାହା ମନୁଷ୍ୟକୁ ତ୍ୟାଗ କଲେ ମନୁଷ୍ୟ ପ୍ରତିବିମ୍ବରେ ପର୍ଯ୍ୟବସିତ ହୋଇଥାଏ । କେବଳ ନୀଳମଣି କାହିଁକି, ଅନେକ ପ୍ରତିଭାଶଳୀ ଲୋକଙ୍କ ଜୀବନରେ ଏହା ପ୍ରମାଣିତ ହୋଇଅଛି । ସେ ଯାହା ହେଉ, ପ୍ରିଣ୍ଟିଙ୍ଗ୍‌କୋମ୍ପାନୀର ପରିଚାଳକମାନେ ତାଙ୍କ ସ୍ୱାଧୀନ ମତ ପ୍ରକାଶରେ ବାଧା ଦେବାରୁ ସେ ୧୯୨୩ ମସିହା ମାର୍ଚ୍ଚରେ ‘ଉତ୍କଳଦୀପିକା’ର ସମ୍ପାଦକ କାର୍ଯ୍ୟ ତ୍ୟାଗକଲେ । ସେ କଟକରେ ଅବସ୍ଥାନପୂର୍ବକ ଶ୍ରୀଯୁକ୍ତ ବିଶ୍ୱନାଥ କରଙ୍କ ସାହାଯ୍ୟରେ ‘ଉତ୍କଳମଧୁପ’ ଖଣ୍ଡି ପ୍ରକାଶ କଲେ । କେତେକ ଦିନ ପରେ ତାଙ୍କର ସ୍ୱାସ୍ଥ୍ୟଭଙ୍ଗ ହେଲା । ସେ ଅଗ୍ନିମାନ୍ଦ୍ୟ ଓ କୋଷ୍ଠକାଠିନ୍ୟ ରୋଗରେ ବିଶେଷ କଷ୍ଟ ଭୋଗକଲେ । ସେ ପ୍ରାୟ ତିନିମାସକାଳ ଶଯ୍ୟାଶାୟୀ ହୋଇ ରହିଲେ । ତାଙ୍କର କଟକବାସୀ ବନ୍ଧୁମାନେ ଏହି ପୀଡ଼ିତାବସ୍ଥାରେ ତାଙ୍କୁ ନାନାଭାବରେ ସାହାଯ୍ୟ କରିଅଛନ୍ତି । ବିଶେଷତଃ କଟକର ସ୍ୱନାମଧନ୍ୟ କବିରାଜ ଶ୍ରୀଯୁକ୍ତ ବାଲୁଙ୍କେଶ୍ୱର ଆଚାର୍ଯ୍ୟ ଭିଷକରତ୍ନ ମହୋଦୟ ତଦୀୟ ସ୍ୱରାଜସୁଲଭ ପରୋପକାରିତା ଓ ସଦୟ ନିର୍ଲୋଭ ବ୍ୟବହାର ଦ୍ୱାରା ଚାଳିତହୋଇ ତାଙ୍କୁ ବହୁଦିନ ପର୍ଯ୍ୟନ୍ତ ଯତ୍ନସହକାରେ ଚିକିତ୍ସିତ କରିଅଛନ୍ତି । ତାଙ୍କ ଚିକିତ୍ସା ଦ୍ୱାରା ମଅତ୍ୟୁର ପ୍ରାୟ ୧୫ ଦିନ ପୂର୍ବରୁ କୋଷ୍ଟକାଠିନ୍ୟ ଦୂର ହୋଇଥିଲେ ଏବଂ ଶରୀର ଅନେକାଂଶରେ ସୁସ୍ଥ ହୋଇ ଆସିଥିଲା । ଯେତେବେଳେ ତାଙ୍କର ମୃତ୍ୟୁଦିବସ ଅତି ସମୀପବର୍ତ୍ତୀ, ସେତେବେଳେ ସେ ଘଣ୍ଟାକ ପାଇଁ ସୁଦ୍ଧା ଶଯ୍ୟାରେ ପଡ଼ି ନ ରହି ବନ୍ଧୁମାନଙ୍କ ସହିତ ନାନା ବିଷୟରେ କଥାବାର୍ତ୍ତା କରୁଥିଲେ । ନୀଳମଣି ୧୯୨୩ ମସିହା ଜୁଲାଇ ୨୭ ତାରିଖ ରାତ୍ରି ୧୨ଟା ବେଳେ ନଶ୍ୱର ଦେହ ପରିତ୍ୟାଗ କରି ଅନାମୟ ଅଧରଧାମକୁ ପ୍ରସ୍ଥାନ କଲେ । କାଠଯୋଡ଼ୀତୀରବର୍ତ୍ତୀ ସତୀଚଉଁରାର ଯେଉଁ ସ୍ଥାନରେ ରାଧାନାଥ, ମଧୁସୂଦନ ଓ ମୃତ୍ୟୁଞ୍ଜୟ ଆଦିଙ୍କର ନଶ୍ୱର ଦେହ ଭସ୍ମାବଶେଷରେ ପରିଣତ ହୋଇଥିଲା, ବିଦ୍ୟାରତ୍ନଙ୍କର ମୃତକଳେବର ସେହିଠାରେ ଭସ୍ମୀଭୁତ ହେଲା । ବିଦ୍ୟାରତ୍ନଙ୍କର ପରମ ହିତୈଷୀ କଟକ ଟ୍ରେନିଙ୍ଗ୍ ସ୍କୁଲର ପ୍ରଧାନାଧ୍ୟାପକ ଦାଶରଥି ପାଣିଗ୍ରାହୀ ତାଙ୍କ ଛାତ୍ରାବାସରେ ବାସ କରୁଥିବା ବ୍ରାହ୍ମଣସନ୍ତାନମାନଙ୍କ ସହିତ ନୀଳମଣିଙ୍କ ଶବସଂସ୍କାର କାର୍ଯ୍ୟରେ ପ୍ରଭୁତ ଉତ୍ସାହ ଓ ସହାନୁଭୂତି ପ୍ରଦର୍ଶନପୂର୍ବକ ସ୍ୱର୍ଗଗତ ଆତ୍ମା ଓ ତାଙ୍କ ପରିବାରବର୍ଗଙ୍କର କୃତଜ୍ଞତାର ପାତ୍ର ହୋଇଥିଲେ ।

 

ମଧୁମକ୍ଷିକା ନାନା ପୁଷ୍ପରୁ ମଧୁ ସଂଗ୍ରହପୂର୍ବକ ଯେପରି ମଧୁଚକ୍ର ନିର୍ମାଣ କରିଥାଏ, ନୀଳମଣି ସେହିପରି ନାନା ପୁସ୍ତକ ଓ ପତ୍ରିକାରୁ ସାର ସଂଗ୍ରହ କରି ‘ଉତ୍କଳମଧୁପ’ ପତ୍ରିକା ପ୍ରକାଶ କରୁଥିଲେ । ଏହା ସର୍ବପ୍ରଥମେ ବାମଣ୍ଡା ଦେବଗଡ଼ରୁ ପ୍ରକାଶିତ ହେଲା । ସ୍ଥାନପରିବର୍ତ୍ତନ ଓ ଗ୍ରାହକମାନଙ୍କ ଅବହେଳା ପ୍ରଭୃତି କାରଣରୁ ଏହା ୧୦ ।୧୧ ବର୍ଷମାତ୍ର ପ୍ରକାଶିତ ହୋଇଅଛି । ତାହା ଦେବଗଡ଼, ରମ୍ଭା ବଡ଼ଖେମୁଣ୍ଡି ଓ କଟକରେ କିଛିଦିନ ଲେଖାଏ ବାହାରିଥିଲା । ବିଦ୍ୟାରତ୍ନେ ତହିଁରେ ପ୍ରଚାର ଓ ଉନ୍ନତି ସକାଶେ ନାନା ଯତ୍ନ କରୁଥିଲେ । ଏହି ପତ୍ରିକା ସମୃନ୍ଧରେ ରାଧାନାଥ କହିଥିଲେ–‘‘ଜ୍ଞାନର ପେଡ଼ା ସଭିଙ୍କୁ ଲୋଡ଼ା, ସଭିଏଁ ପାଇବେ ଥୋଡ଼ା ଥୋଡ଼ା ।’’

 

ନୀଳମଣି ଓଡ଼ିଆ, ବଙ୍ଗଳା, ହିନ୍ଦି ଆଦି ଭାଷାରେ ସୁନିପୁଣ ଥିଲେ । ସେ ଯେକୌଣସି ଭାଷାର ପୁସ୍ତକ ପତ୍ରିକା ପାଇଲେ ତାହା ଆମୁଳାନ୍ତ ପାଠକରି ତହିଁରୁ ବିବିଧ ତତ୍ତ୍ୱ ସଂଗ୍ରହ କରି ଲେଖି ରଖୁଥିଲେ । ତାହା ସମୟକ୍ରମେ ଉତ୍କଳମଧୁପରେ ପ୍ରକାଶ କରୁଥିଲେ । ତାଙ୍କ ପରି ସୁଲେଖକ ଉତ୍କଳରେ ଖୁବ୍ ଅଳ୍ପ ଅଛନ୍ତି । ବିଷୟ ଯେଡ଼େ ଜଟିଳ ଓ ଦୁର୍ବୋଧ୍ୟ ହୋଇଥିଲେ ସୁଦ୍ଧା ନୀଳମଣି ତାହାକୁ ସରଳ ସୁବୋଧ୍ୟ ଭାଷାରେ ଲେଖିପାରୁଥିଲେ । ତାହାଙ୍କର ଲେଖନୀ ଗିରି-ନିର୍ଝର ବା ସରିତ୍‌ପ୍ରବାହ ସଦୃଶ ଲେଖିଲାବେଳେ ଅଗ୍ରସର ହେଉଥାଏ । ସେ ଅତି ସରଳ ଗ୍ରାମ୍ୟଭାବକୁ ଉଚ୍ଚ ସାଧୁଭାଷାରେ ବ୍ୟକ୍ତ କରିବା ବିଷୟରେ ସୁନିପୁଣ ଥିଲେ । ସେ କୌଣସିଠାରେ କୌଣସି ଲୋକହିତକର ବିଷୟ ଦେଖିଲେ ତାହା ଲେଖି ପୁସ୍ତକକାଳରେ ପ୍ରଚାର କରୁଥିଲେ । ବିଦ୍ୟାରତ୍ନେ ଜଣେ ଅସାଧାରଣ ଉଦ୍‌ଯୋଗୀ ପୁରୁଷ । ସେ କୌରସି କାର୍ଯ୍ୟରେ ହସ୍ତକ୍ଷେପ କଲେ ତାହା ଶେଷ ନ ହେବା ପର୍ଯ୍ୟନ୍ତ ପରିତ୍ୟାଗ କରୁ ନ ଥିଲେ । ସେ ଆରବ୍‌ଧ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ଘଟିବା ଆଶଙ୍କାରେ କଦାପି ବିଚଳିତ ହେଉ ନ ଥିଲେ । ଦୈବ ପ୍ରତି ନିର୍ଭର କରି ବସିବାର କାପୁରୁଷ ଲକ୍ଷଣ ତାଙ୍କଠାରେ ନ ଥିଲା । ସେ ପୁରୁଷସିଂହ ସଦୃଶ ସର୍ବଦା ଉଦ୍‌ଯୋଗଶାଳୀ ଥିଲେ-। ସେ ଅଭାବଗ୍ରସ୍ତ ହେଲେହେଁ ସର୍ବଦା ଅଧ୍ୟବସାୟୀ ଓ ସାହସସମ୍ପନ୍ନ । ଯେକୌଣସି କାର୍ଯ୍ୟ ଆରମ୍ଭ କଲେ–‘‘କାର୍ଯ୍ୟଂ ବା ସାଧିୟେତ୍ ଶରୀରଂ ବା ପାତୟେତ୍’’ ନୀତି ସ୍ମରଣ କରି କେବେହେଁ ତହିଁରୁ ପଶ୍ଚାତ୍‌ପଦ ହେଉ ନ ଥିଲେ । ସେ ଅଭାବ ପୀଡ଼ାରେ ପୀଡ଼ିତ ଓ ଚରମଦଶାରେ ପଦର୍ପଣ କରିଥିଲେ ସୁଦ୍ଧା ତାଙ୍କର କାର୍ଯ୍ୟନୁରାଗ ଓ ଉତ୍ସାହ ଜ୍ୱଳଦଗ୍ନି ତୁଲ୍ୟ ଦେଦୀପ୍ୟମାନ ଥିଲା । କୌଣସି ଅଭିଳଷିତ ପଦାର୍ଥ ପ୍ରାପ୍ତ ହେବାକୁ ବାଳକମାନେ ଉତ୍କଣ୍ଠାକୁଳ ହେଲା ପରି ବିଦ୍ୟାରତ୍ନ ଯେକୌଣସି ଦେଶ ବା ଲୋକହିତକର କାର୍ଯ୍ୟର ଫଳଲାଭ ନିମିତ୍ତ ବ୍ୟାକୁଳ ହେଉଥିଲେ । ସେ ବୃଦ୍ଧ ହେଲେହେଁ କାର୍ଯ୍ୟ ସମୟରେ ଯୁବକ ସଦୃଶ ପ୍ରତୀୟମାନ ହେଉଥିଲେ । ସେ କୌଣସି କାର୍ଯ୍ୟସାଧନ ନିମନ୍ତେ ନିଜେ ଉଦ୍‌ଯୋଗୀ ହୋଇ ତାଙ୍କର ବନ୍ଧୁମାନଙ୍କୁ ସେହି କାର୍ଯ୍ୟକ୍ଷେତ୍ରକୁ ଟାଣିନେଉଥିଲେ । ତାଙ୍କର ପ୍ରତିଭା ଓ ପ୍ରତ୍ୟୁତ୍ପନ୍ନମତି ଏ କାଳରେ ଦୁର୍ଲ୍ଲଭ ।

 

ସେ ସଂସ୍କାରପ୍ରିୟ ଥିଲେ ସତ୍ୟ; ମାତ୍ର ଉଗ୍ର ସଂସ୍କାରକ ନ ଥିଲେ; ଦେଶକାଳ ବିବେଚନା କରି ପ୍ରାଚୀନ ପ୍ରଥା ଅନୁସରଣପୂର୍ବକ ଧୀରେ ଧୀରେ ସଂସ୍କାର କରିବାକୁ ଚେଷ୍ଟିତ ଥିଲେ । ଅବରୋଧ ପ୍ରଥା, ଦ୍ୱାଦଶ ବର୍ଷ ପର୍ଯ୍ୟନ୍ତ କନ୍ୟାକୁ ବିବାହ ନ ଦେବା, ବହୁ ବିବାହ, ବୃଦ୍ଧବିବାହ, କନ୍ୟା ଶୁଳ୍‌କ ଗ୍ରହଣ କରିବା, ବାଳବିଧବାକୁ ନିର୍ଜଳ ଏକାଦଶୀ କରାଇ ନ ଦେବା ଇତ୍ୟାଦି କାର୍ଯ୍ୟମାନ ତାଙ୍କ ସଂସ୍କାରପ୍ରିୟତାର ଉତ୍ତମ ଉଦାହରଣ । ମଦ୍ୟ, ଅହିଫେନ, ତମାଖୁର ବ୍ୟବହାର ଓ ସମୁଦ୍ରଯାତ୍ରା କଲେ ଜାତି ଯିବା ଭୟ ଇତ୍ୟାଦି ବିଷୟରେ ସେ ପ୍ରମାଣ ସହିତ ପୁସ୍ତକମାନ ପ୍ରକାଶ କରିଥିଲେ ।

 

ନୀଳମଣି ରାଜା, ଜମିଦାର ଅଥବା ବିରବଶାଳୀ ନ ଥିଲେ, ଅଥଚ ସେହିମାନଙ୍କ ସଦୃଶ ପରଦୁଃଖକାତର, ଦୟାଶୀଳ ଓ ପରୋପକାରୀ ଥିଲେ । ସେ କୌଣସି ସହାୟସମ୍ବଳହୀନ ଓ ବିପନ୍ନ ବ୍ୟକ୍ତିର ଦୁଃଖରେ ଯେପରି ତରଳିଯାଉଥିଲେ, ଶକ୍ତ୍ୟନୁସାରେ କାହାରିକୁ କିଛି ସାହାଯ୍ୟ କରିପାରିଲେ ସେପରି ତାଙ୍କର ଆନନ୍ଦର ସୀମା ରହୁ ନ ଥିଲା । ସେ ପ୍ରୟୋଜନ ଅନୁସାରେ ନିଜର ବଢ଼ାହୋଇଥିବା ଅନ୍ନ ଏବଂ ପିନ୍ଧୁଥିବା ବସ୍ତ୍ରଖଣ୍ଡ ଦେଇ ଆନନ୍ଦ ଉପଭୋଗ କରିବାର ଦୃଷ୍ଟାନ୍ତ ଲୋକେ ବହୁବାର ଦେଖିଅଛନ୍ତି । ସେ ଗରିବ ଛାତ୍ରମାନଙ୍କୁ ପାଠ୍ୟପୁସ୍ତକ, ସ୍କୁଲବେତନ, ଲୁଗା ଇତ୍ୟାଦି ପ୍ରଦାନ କରିଥାଆନ୍ତି । ନିଜର ସାଧ୍ୟାତୀତ ହେଲେ ଅପର ସ୍ଥାନରେ ନିଜେ ପ୍ରାର୍ଥନା କରି ଅର୍ଥୀର ମନଃକାମନା ପୂରଣ କରିଥାଆନ୍ତି । ସେ ଦେଶର ବା ବ୍ୟକ୍ତିବିଶେଷର ଉପକାରଜନକ କାର୍ଯ୍ୟ ଅଥବା ନାମଖ୍ୟାତି ସକାଶେ ବହୁ ଲୋକଙ୍କୁ ପ୍ରବର୍ତ୍ତାଇ, ମତାଇ ସଙ୍ଗ କରିନେଉଥିଲେ ।

 

ବିଦ୍ୟାରତ୍ନେ କୌଣସି ଦେବଦେବୀଙ୍କ ପାଖକୁ ଯାଉ ନ ଥିଲେ ସତ୍ୟ; ମାତ୍ର ସେ କୌଣସି ଦେବତା ପ୍ରତି ଅଭକ୍ତି ପ୍ରଦର୍ଶନ କରୁ ନ ଥିଲେ । ସତ୍ୟନାରାୟଣଙ୍କ ପ୍ରତି ତାଙ୍କର ଅଚଳା ଭକ୍ତି ଥିଲା । ସେ ପ୍ରତି ମାସରେ ଥରେ ଲେଖାଏଁ ସତ୍ୟନାରାୟଣ ପୂଜା କରାଉଥିଲେ । ସେ ଫୁଲଚନ୍ଦନ, ତୁଳସୀ, ନଡ଼ିଆ କଦଳୀ ଦେଇ ଦେବାରାଧନା କରିବା ଅପେକ୍ଷା ମାନସ ପୂଜାର ପକ୍ଷପାତୀ ଥିଲେ । ସ ମହାନିର୍ବଣତନ୍ତ୍ରର–

 

ନମସ୍ତେ ଶତେ ସର୍ବଲୋକାଶ୍ରୟାୟ

ନମସ୍ତେ ଚିତେ ବିଶ୍ୱରୁପାତ୍ମକାୟ,

ନମୋ ଦ୍ୱୈତତତ୍ତ୍ୱାୟ ମୁକ୍ତିପ୍ରଦାୟ,

ନମୋ ନିର୍ଗୁଣେ ବ୍ରହ୍ମଣେ

 

ଇତ୍ୟାଦି ଶ୍ଳୋକଗୁଡ଼ିକ ସ୍ନାନ ପରେ ଉଚ୍ଚାରଣ କରୁଥିଲେ ।

 

ନୀଳମଣି କବିବର ଉପେନ୍ଦ୍ରଭଞ୍ଜଙ୍କ ‘ରସତରଙ୍ଗ’ ପୁସ୍ତକରେ ରାମଚନ୍ଦ୍ରଙ୍କ ବିରହବର୍ଣ୍ଣନ ଓ ଋତୁବର୍ଣ୍ଣନ ଅବନାକ୍ଷରରେ ଚତ୍ମକାର ହୋଇଥିବାର ହୃଦୟଙ୍ଗମ କରି ତିଗିରିଆ ବିନ୍ଧାଣି ଗ୍ରାମନିବାସୀ ପ୍ରଧାନ ଛାନ୍ଦାର୍ଥୀ ଗଙ୍ଗାଧର ରାୟଗୁରୁଙ୍କଦ୍ୱାରା ଅର୍ଥ କରାଇ ମୁଦ୍ରିତ କରାଇଥିଲେ ।

 

ତାଙ୍କର ବେଶଭୂଷା ଅତି ଆଡ଼ମ୍ବରଶୂନ୍ୟ ଥିଲା । ସେ ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ରାଗ କରି ପ୍ରାତଃକୃତ୍ୟ ସମାପନପୂର୍ବକ କିଞ୍ଚିତ୍ ଭ୍ରମଣ କରି ପୂର୍ବଦିନ ପୁସ୍ତକ ଓ ପତ୍ରିକା ପାଠ କରି ଚିହ୍ନ ଦେଇଥିବା ପ୍ରୟୋଜନୀୟ ବିଷୟମାନ ସଙ୍କଳନ କରି ସାତଘଣ୍ଟାଠାରୁ ୧୨ ଘଣ୍ଟା ଯାଏ ନିଜ କାର୍ଯ୍ୟକ୍ଷେତ୍ରରେ ବସି କାର୍ଯ୍ୟାଳୟର ତତ୍ତ୍ୱ ନେଉଥିଲେ ଏବଂ ଛାପାହେଉଥିବା ପୁସ୍ତକ, ଫାରମ ଓ ପତ୍ରିକାର ପ୍ରୁଫ୍ ଦେଖୁଥିଲେ । ତାଙ୍କର ପଠନସ୍ଫୃହା ଯେପରି ବଳବତୀ ଥିଲା, ପୁସ୍ତକ ସଂଗ୍ରହେଚ୍ଛା ତତୋଽଧିକ ଥିଲା । ସେ ନାନା ପୁସ୍ତକ ନାନା ସ୍ଥାନକୁ ଦେଇ ସୁଦ୍ଧା ବହୁତ ଉପାଦେୟ ପୁସ୍ତକ ସଂଗ୍ରହ କରିଯାଇଅଛନ୍ତି ।

 

ବିଦ୍ୟାରତ୍ନେ ‘ପ୍ରତିଭାପୂଜା’ ସମ୍ବନ୍ଧରେ ଗୋଟିଏ ସୁଚିନ୍ତିତ ପ୍ରବନ୍ଧ ଲେଖିଥିଲେ । ତାହା ପାଠକମାନଙ୍କ ଅବଗତ ନିମନ୍ତେ ନିମ୍ନରେ ପ୍ରକାଶ କରୁଅଛି ।

 

‘‘ଆମ୍ଭମାନଙ୍କ ଦେଶରେ ଲୋକମାନେ ଅନ୍ୟାନ୍ୟ ବିଷୟ ପରି ପ୍ରତିଭା-ପୂଜା ବିଷୟରେ ବଡ଼ ପଶ୍ଚାତ୍‌ପଦ । ସଭ୍ୟଦେଶମାନଙ୍କରେ ପ୍ରତିଭାଶଳୀ ବ୍ୟକ୍ତିମାନେ ରାଜକୋଷରୁ, ସଭାସମିତିରୁ ବୃତ୍ତି ଓ ପ୍ରତିଭାବିକାଶର ଉପଯୋଗୀ ସାହାଯ୍ୟ ସହାନୁଭୂତି ଯଥେଷ୍ଟ ପରିମାଣରେ ପାଇଥାଆନ୍ତି । ଜନସାଧାରଣ ସେମାନଙ୍କୁ ସମାଦର କରିବା, ସେମାନଙ୍କ ନଖକେଶାଦିଠାରୁ ଛିନ୍ନ ଉପାନହ ପର୍ଯ୍ୟନ୍ତ ପ୍ରଚୁର ଧନ ବିନିମୟରେ ସଂଗ୍ରହ କରିବା ବିଷୟରେ ସୁଦ୍ଧା ଉଦାସୀନ ନୁହନ୍ତି । ଆମ୍ଭେମାନେ ଓଡ଼ିଆ, ଇଙ୍ଗ୍‌ରାଜୀ ଚାରିଧାଡ଼ି ଶିକ୍ଷା କରି ଆପଣାକୁ ସଭ୍ୟଭବ୍ୟ ଶିକ୍ଷିତ ବୋଲି ମନରେ ଅଭିମାନ ପୋଷଣ କରିବାକୁ ଶିଖିଅଛୁଁ; କିନ୍ତୁ ସଭ୍ୟଦେଶର ସୃମଙ୍ଗଳପ୍ରଦ ଗୁଣାବଳୀ ଆମ୍ଭମାନଙ୍କଠାରେ କିଛି ନାହି ।

 

ଉପେନ୍ଦ୍ର, ବଳଦେବ, ଦୀନକୃଷ୍ଣ, ଜଗନ୍ନାଥ, ପୀତାମ୍ବର, ରାମଦାସ, ବିଶି ପ୍ରଭୃତି ଉତ୍କଳୀ ସୁପ୍ରଥିତଯଶା କବିପଣ୍ଡିତ ଏହି ପତିତ ଦେଶରେ ଜନ୍ମଗ୍ରହଣ କରିଥିବାରୁ ଆଜି ଓଡ଼ିଆମାନେ ଆପଣାକୁ ଗୋଟାଏ ଜାତି, ଓଡ଼ିଆକୁ ଗୋଟାଏ ଗଣନୀୟ ଭାଷା ବୋଲି କହିବାକୁ କ୍ଷମ ହେଉଅଛନ୍ତି । ଯେଉଁମାନଙ୍କ ଯୋଗୁଁ ଏହି ଜାତି ଓ ଭାଷା ଆଜି ଗୌରବାନ୍ୱିତ, ସେମାନଙ୍କୁ ସେମାନଙ୍କ ଜୀବନଦ୍ଦଶାରେ କି ସମୁଚିତ ଆଦର କରାଯାଇଥିଲା ? ସେମାନଙ୍କ ପ୍ରତିଭା-ବିକାଶ ପଥରେ କି କିଛି ବିଘ୍ନବାଧା ନ ଥିଲା ?

 

ଆମ୍ଭେମାନେ ପ୍ରାଚୀନ ବ୍ୟକ୍ତିମାନଙ୍କ ମୁଖରୁ ଯେତେଦୁର ଶୁଣିଅଛୁଁ, ତହିଁରେ ନିର୍ଭର କରି କହିପାରୁଁ, ସେମାନଙ୍କ ମଧ୍ୟରୁ ଅନ୍ତତଃ ଅଧିକାଂଶ ଯାହା କରିଅଛନ୍ତି, ସେମାନେ ତାହା ପ୍ରବଳ ପ୍ରତିକୁଳାବସ୍ଥାରେ ଥାଇ କରିଅଛନ୍ତି । ସେମାନଙ୍କ ସମ୍ବନ୍ଧରେ ଜନସାଧାରଣଙ୍କର ଯାହା କର୍ତ୍ତବ୍ୟ, ତାହା ହୋଇଥିଲେ ଆଜି ଉତ୍କଳସାହିତ୍ୟର ଶ୍ରୀ ଭିନ୍ନାକାର ଧାରଣ କରିଥାଆନ୍ତା ।

 

ଗଲା କଥା ଯାଉ, ବର୍ତ୍ତମାନ ବିବେଚ୍ୟ, ସେମାନଙ୍କ ସମ୍ବନ୍ଧରେ ଏବେ ଆମ୍ଭମାନଙ୍କର କିଛି କର୍ତ୍ତବ୍ୟ ଅଛି କି ନାହିଁ । ଏ ସବୁ ବିଷୟର ଆଲୋଚନା କରିବାକୁ ହେଲେ ସଭ୍ୟଦେଶର କାର୍ଯ୍ୟପ୍ରତି ଦୃଷ୍ଟିପାତ କରିବାକୁ ହେବ । ସଭ୍ୟଦେଶରେ ସେପରି ବ୍ୟକ୍ତିମାନଙ୍କର ଜୀବନଚରିତ ସଂଗ୍ରହ ଓ ପ୍ରକାଶ, ମୂର୍ତ୍ତପ୍ରତିଷ୍ଠା, ମୃତ୍ୟୁବାସରରେ ନାନା ସ୍ଥାନରେ ସଭାସମିତି କରି ସେମାନଙ୍କ ଗୁଣକୀର୍ତ୍ତନ, ସମାଧିଦର୍ଶନ, ସମାଧିରେ ପୁଷ୍ପମାଳାଦି ପ୍ରଦାନ, ଜନ୍ମ ଓ ଅବସ୍ଥାନ ସ୍ଥଳରେ ସ୍ମୃତିରକ୍ଷା ପ୍ରଭୃତି ନାନା ଉପାୟରେ ପ୍ରତିଭାପ୍ରିୟତାର ପରିଚୟ ଦେଇଥାଆନ୍ତି । ଆମ୍ଭମାନଙ୍କ ପଡ଼ିଶା ଘରେ ବଙ୍ଗଦେଶରେ ମଧ୍ୟ ପ୍ରତିଭାପୂଜକଙ୍କ ଦଳ ଦିନକୁ ଦିନ ପରିଦୃଷ୍ଟ ହେଉଅଛନ୍ତି ଏବଂ ସେମାନଙ୍କ ପୂର୍ବପୁରୁଷ ପ୍ରତିଭାଶାଳୀମାନଙ୍କ ପ୍ରତି ସମୁଚିତ କାର୍ଯ୍ୟ କରି ନ ଥିବା ହେତୁ ସେମାନେ ଦୁଃଖିତ ଏବଂ ଲଜ୍ଜିତ ହୋଇ ତହିଁରେ ପ୍ରାୟଶ୍ଚିତ୍ତସ୍ୱରୂପ ଯଥାସମ୍ଭବ ସମୟୋଚିତ କାର୍ଯ୍ୟ କରୁଅଛନ୍ତି । ଏପରି ସ୍ଥଳରେ ଅତୀତକାଳର ଓଡ଼ିଆ ବୀରମାନଙ୍କ ପ୍ରତି ସମୟୋଚିତ କର୍ତ୍ତବ୍ୟ ପାଳନ କରିବା କି ଉଚିତ ନୁହେଁ ? ଅବଶ୍ୟ ଉଚିତ । ସେହି କର୍ତ୍ତବ୍ୟ କଅଣ ? ଉପେନ୍ଦ୍ର, ଦୀନକୃଷ୍ଣ ପ୍ରଭୁତିଙ୍କ ନାମ ସମସ୍ତ ଓଡ଼ିଆଙ୍କୁ ଜଣାଅଛି; କିନ୍ତୁ ତାଙ୍କ ଘର କେଉଁଠାରେ, ସେ କି କି କାର୍ଯ୍ୟ କରିଥିଲେ, ତାଙ୍କର ଶିକ୍ଷାଦୀକ୍ଷାର ଅବସ୍ଥା କିପରି ଥିଲା, ସେ କେଉଁ ସମୟର ଲୋକ–ଏ ସବୁ କଥା ପଚାରିଲେ ପ୍ରାୟ ସମସ୍ତେ ନୀରବ ହେବେ । ଏପରି ସ୍ଥଳରେ ଯେତେ ଦୂର ହୋଇପାରେ ସେମାନଙ୍କ ବିବରଣ ସଂଗ୍ରହ କରିବା, ସେମାନଙ୍କ ଜନ୍ମସ୍ଥାନମାନଙ୍କରେ ମେଳା ସ୍ଥାପନ କରିବା, ସେହି ସେହି ସ୍ଥାନକୁ ତୀର୍ଥସ୍ଥାନ ମନେ କରିବା, ସେମାନଙ୍କ ରଚିତ ଗ୍ରନ୍ଥମାନଙ୍କର ସଟୀକ ବିଶୁଦ୍ଧ ସଂସ୍କରଣ ପ୍ରକାଶ କରିବା, ସେମାନଙ୍କ ମୃତ୍ୟୁଦିବସରେ ସଭାସମିତି କରି ଶୋକପ୍ରକାଶ କରିବା ଆମ୍ଭମାନଙ୍କର ଏକାନ୍ତ କର୍ତ୍ତବ୍ୟ ବୋଲି ବିବେଚନା କରୁଅଛୁଁ ।

 

ମୃତ ମହାନୁଭବମାନଙ୍କ ଉପଲକ୍ଷେ ଯାହା ଯାହା କର୍ତ୍ତବ୍ୟ ବୋଲି ନିର୍ଦ୍ଦେଶ କରାହେଲା, ତାହା ପ୍ରତିପାଳନ କଲେ ସେମାନଙ୍କର କିଛି କ୍ଷତିବୃଦ୍ଧି ହେବ ନାହିଁ । ସେମାନେ ନିଜ ନିଜର କୃତିତ୍ୱଦ୍ୱାରା ମରି ଅମରତା ଲାଭ କରିଅଛନ୍ତି । ଯେତେଦିନଯାଏଁ ଓଡ଼ିଆଜାତି, ଓଡ଼ିଆଭାଷା ଥିବ, ତେବେ ଦିନଯାଏଁ ସେମାନଙ୍କ ନାମଲୋପର ବିନ୍ଦୁମାତ୍ର ଆଶଙ୍କା ନାହିଁ । ତଥାପି ସେମାନଙ୍କ ନାମଗୁଣ କୀର୍ତ୍ତନ କରିବା, ସେମାନଙ୍କ ପ୍ରତିଭାର ପୂଜା କରିବା ଆମ୍ଭମାନଙ୍କ ପକ୍ଷରେ କର୍ତ୍ତବ୍ୟ ଓ ଅଶେଷ ଶ୍ରେୟୋଜନକା ଏହା ବିଧବାର ଏକଦଶୀ ନହେ ଯେ, କରଣେ ଫଳା ଭାବ ହେବ, ଅକରଣେ ପ୍ରତ୍ୟବାୟ ହେବ । ସେମାନଙ୍କ ପୂଜା କଲେ ‘ପୂଜ୍ୟପୂଜା ବ୍ୟତିକ୍ରମଃ’ ଦୋଷରୁ ମୁକ୍ତି ମିଳିବ । ପ୍ରତିଭାର ସମାଦର ସଙ୍ଗେ ସଙ୍ଗେ ସମାଜରେ ଶତ ଶତ ପ୍ରତିଭାଶାଳୀ ବ୍ୟକ୍ତିଙ୍କର ଆବିର୍ଭାବ ହେବ, ଜାତୀୟତା ବୃଦ୍ଧି ପାଇବ, ଜାତି ଓ ଭାଷାର ଗୌରବ ଦେଶବିଦେଶରେ ବିଘୋଷିତ ହେବ । କାର୍ଯ୍ୟଦୃଷ୍ଟିରେ ଫଳ ଅସାଧାରଣ, ଏହା କି କଦାପି ପରିତ୍ୟାଜ୍ୟ ?

 

ମୃତ ମହାନୁଭବମାନଙ୍କ ଜୀବିତକାଳରେ ସେମାନଙ୍କ ସମସାମୟିକ ବ୍ୟକ୍ତିମାନେ ସେମାନଙ୍କ ସମ୍ବନ୍ଧରେ ଆପଣା ଆପଣାର ଯାହା କର୍ତ୍ତବ୍ୟ ଥିଲା, ତାହା ପାଳନ କରିନାହାନ୍ତି । ଆମ୍ଭେମାନେ ସେମାନଙ୍କର ବଂଶଧର ଓ ସଭ୍ୟଭବ୍ୟ ହୋଇ ମଧ୍ୟ ସେମାନଙ୍କ ପରି ପ୍ରତିଭାପୂଜା ବିଷୟରେ ଏକାନ୍ତ ଉଦାସୀନ । ଏହି ଉଦାସୀନତା ଯେ ଜାତୀୟ ଅବନତିର ଆଦିକାରଣ, ଏ କଥା କେହି ଅସ୍ୱୀକାର କରିବେ ନାହିଁ । ତଥାପି ଆମ୍ଭମାନଙ୍କ ଔଦାସୀନ୍ୟ ଅନ୍ତରିତ ହେଉ ନାହିଁ । କର୍ତ୍ତବ୍ୟବିମୁଖତାଜନିତ ପ୍ରବଳ ପାପର କଠୋର ପ୍ରାୟଶ୍ଚିତ୍ତସ୍ପୃହା ପ୍ରାଣରେ ଜାଗ୍ରତ ହେବାକୁ ନାହିଁ, ଏଥୁବଳି ଗଭୀର ପରିତାପର ବିଷୟ କଅଣ ଅଛି ? କେବଳ ଅତୀତ ମହାଜନମାନଙ୍କ ପ୍ରତି ଏ ଅନାସ୍ଥା ଭାବ, ତାହା ନୁହେ–ଜୀବିତ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ପ୍ରତି ତତୋଽଧିକ ଅନାସ୍ଥା ଭାବ । ଦୃଷ୍ଟାନ୍ତ ସ୍ଥଳ ଅନେକ ।

 

ପ୍ରଥମେ ମହାମହୋପାଧ୍ୟାୟ ଶ୍ରୀ ଚନ୍ଦ୍ରଶେଖର ସିଂହସାମନ୍ତଙ୍କ ଅବସ୍ଥା ପ୍ରତି ଦୃଷ୍ଟି ନିକ୍ଷେପ କର । ଯାହାଙ୍କର ଲୋକୋତ୍ତର, ପ୍ରତିଭା ଜ୍ଞାନଦୃପ୍ତ ଇଉରୋପ, ଆମେରିକାରେ ଆତଙ୍କ ଉପସ୍ଥିତ କରିଅଛି, ଭାରତର ଦ୍ୱିତୀୟଭାସ୍ୱର ସ୍ୱରୂପ ସେହି ଜଗଦ୍‌ବିଖ୍ୟାତ ପଣ୍ଡିତଙ୍କୁ ଓଡ଼ିଆମାନେ ଚିହ୍ନିଲେ କି ? କବି ସାମନ୍ତପୁସଙ୍ଗରେ ତାଙ୍କୁ ସମ୍ବୋଧନ କରି କହିଅଛନ୍ତି–‘‘ଗୁଣଜ୍ଞ ଉତ୍କଳେ ଜଣେ କେହି ନାହିଁ, ଗୁଣୀନ୍ଦ୍ର ! ତୁମ୍ଭର ହେବ ଗୁଣଗ୍ରାହୀ !’’ ଏହା କି ମିଛ ? ଏହି କବିବାଣୀ କି ଓଡ଼ିଶାମନଙ୍କର କଳଙ୍କମୁଦ୍ରା ନୁହେ ? ଏ କଳଙ୍କକ୍ଷାଳନ ସକାଶେ ଆମ୍ଭେମାନେ କଅଣ କରୁଅଛୁଁ ? ସମାନ୍ତଙ୍କ ଋଣପରିମାଣ ୨।୩ ସହସ୍ରମୁଦ୍ରା । ସାମନ୍ତଙ୍କୁ ରୁଣମୁକ୍ତ କରିଦେଇ ବାର୍ଷିକ ସହସ୍ର ମୁଦ୍ରା ବୃତ୍ତି ବ୍ୟବସ୍ଥା କରିଦେବା କି ଓଡ଼ିଆଜାତି ପ୍ରତି ବଡ଼ କଥା ? କିନ୍ତୁ ଆମ୍ଭମାନଙ୍କର ଅଗ୍ରାହକତା, ଉଦାସୀନତା ଏହା କରିବାକୁ ନ ଦେଇ ଆପଣା ଦେଶକୁ, ଜାତିକୁ କଳଙ୍କିତ କରୁଅଛି ।

 

ସାମନ୍ତଙ୍କ ସମାଦର ସକାଶେ ସହସ୍ର ସହସ୍ର ମୁଦ୍ରା ଆବଶ୍ୟକ । ସେଥିରେ ଅପାରଗ ବା ଅକୃତକାର୍ଯ୍ୟ ହେଲ, ହେଉ; କିନ୍ତୁ ତଦପେକ୍ଷା ସାମାନ୍ୟ ସାହାଯ୍ୟରେ ଯାହା ହୋଇପାରେ, ତାହା କି ଆମ୍ଭେମାନେ କରୁଅଛୁଁ ? ଉତ୍କଳର ପ୍ରଧାନକବି ରାଧାନାଥ, ମଧୁସୂଦନ, ରାମଶଙ୍କର ପ୍ରଭୃତି ନବୀନ କବି ନନ୍ଦକିଶୋର ଓ ସୁଲେଖକ ବିଶ୍ୱନାଥ ପ୍ରଭୃତିଙ୍କ ସମ୍ବନ୍ଧରେ ଆମ୍ଭେମାନେ କଅଣ କରୁଅଛୁଁ ? ସେମାନେ ଗ୍ରନ୍ଥ ପ୍ରଣୟନ କରି ବିଲାତୀ ଗ୍ରନ୍ଥାକରମାନଙ୍କ ପରି ଧନକୁବେର ହେବା ତେଣେ ଥାଉ, ଅନେକଙ୍କୁ ମୁଦ୍ରଣବ୍ୟୟ ନିର୍ବାହାର୍ଥ ଋଣଗ୍ରହଣ କରିବାକୁ ପଡ଼ିଅଛି । ଶକ୍ତିକ୍ଷୟ, ଧନବ୍ୟୟ କରି ଯାହା ମୁଦ୍ରିତ କଲେ ତାହା ଗ୍ରହଣ କଲେ କେତେ ଜଣ ? ଯେଉଁମାନେ ପଢ଼ିବାକୁ ଉପଯୁକ୍ତ, ସେମାନେ ଓଡ଼ିଆପୁସ୍ତକ କ୍ରୟ କରିବାରେ ପଇସା, ଅଧ୍ୟୟନ କରିବାରେ ସମୟ ବ୍ୟୟ କରିବା ଅପବ୍ୟୟ ଓ ମୂର୍ଖତା ମନେକରି କେବଳ ଉପହାର ପ୍ରତ୍ୟାଶୀ ହେଲେ । ଉପହାର ପାଇଲେ ପ୍ରାପ୍ତିସ୍ୱୀକାର କରିବାକୁ କୁଣ୍ଠିତ, ଅଥଚ ମନରେ ସଭ୍ୟତାଭିମାନ ଭାରୀ ଟାଣ ! ଭିକ୍ଷାଦାନ ଓ ଉପହାରରେ ସାଧାରଣତଃ ଶତାଧିକ ଖଣ୍ଡ ଯାଇ ବାକୀ ପୁସ୍ତକ ନିମନ୍ତେ ଆଲମାରୀ ଖୋଜ । ଦଶବର୍ଷରେ ଛାପା ଖର୍ଚ୍ଚ ତେଣେ ଥାଉ, ଘରଭଡ଼ା, ଆଲମାରୀମୂଲ୍ୟ ଉଠିବା ଅସମ୍ଭବ । ଏହା ଅତିରଞ୍ଜିତ ନୁହେ, ସତ୍ୟକଥା–ଏଥିରେ ଜାତୀୟସାହିତ୍ୟର ଉନ୍ନତି ! ଦେଶରେ ପ୍ରତିଭାଶାଳୀ ଲୋକର ଅଭ୍ୟୁତ୍‌ଥାନ୍ ଆଶାକରିବା ପୂର୍ଣ୍ଣ ବାତୁଳତା ବ୍ୟତୀତ ଆଉ କଅଣ ବୋଲାଯିବ ?

 

ପ୍ରଧାନତଃ ପ୍ରତିଭାଶାଳୀ ଲେଖକମାନଙ୍କ ପ୍ରତି ଲକ୍ଷ୍ୟ ରଖି ଏ ପ୍ରବନ୍ଧ ଲିଖିତ ହେଲା; କିନ୍ତୁ କେବଳ ପ୍ରତିଭାଶାଳୀ ଲେଖକ ନୁହନ୍ତି, ପ୍ରତ୍ୟେକ ବିଭାଗର ପ୍ରତିଭାଶାଳୀମାନଙ୍କର ସମାଦର କରିବା ଏବଂ ସେମାନଙ୍କ ପ୍ରତିଭାର କ୍ରମୋନ୍ନତି ଚେଷ୍ଟା କରିବାରେ ଅଭ୍ୟସ୍ତ ହେବା ପ୍ରତ୍ୟେକ ମାନବର କର୍ତ୍ତବ୍ୟ । ଏହା ଜାତୀୟ ସର୍ବବିଧ ଉନ୍ନତିର ମୂଳମନ୍ତ୍ର । ସୁଖର ବିଷୟ, ଗତ ଗଞ୍ଜାମ ଜାତୀୟ ସମିତିରେ ଏହି ମହତ୍ ପ୍ରସ୍ତାବର ଆଲୋଚନା ହୋଇ ପ୍ରାଚୀନ ଓ ଆଧୁନିକ ପ୍ରତିଭାଶାଳୀ ଲେଖକମାନଙ୍କର ସମାଦର ଓ ସ୍ମୃତିରକ୍ଷାର ଚେଷ୍ଟା କରାହେବ ବୋଲି ସ୍ଥିର କରାହୋଇଅଛି । ସମସ୍ତେ ପରମ ଆଗ୍ରହ ସହିତ ଏହି ପ୍ରସ୍ତାବ ଅନୁମୋଦନ କରିଅଛନ୍ତି; କିନ୍ତୁ କଥା ଓ କାର୍ଯ୍ୟରେ ଆକାଶପାତାଳ ପ୍ରଭେଦ ! ସଭାରେ ବସି ପ୍ରସ୍ତାବ ଅନୁମୋଦନ କରିବା ଯେପରି ସହଜ ପାଳନ କରିବା ସେପରି ନୁହେ । ଗଞ୍ଜାମବାସୀମାନେ ଏହି ପ୍ରସ୍ତାବକୁ କେତେଦୂର କାର୍ଯ୍ୟରେ ପରିଣତ କରିବେ, ଫଳରେ ଦେଖାହେବ ।

 

ଗଞ୍ଜାମ କବି-ଜନନୀ । ଏହି ଗଞ୍ଜାମର ଅମର କବିମାନଙ୍କ ବିସ୍ତୃତ ଜୀବନଚରିତ, କାବ୍ୟାବଳୀ ସଂଗ୍ରହ କରିବା ସକାଶେ ବହୁଦର୍ଶୀ ପ୍ରବୀଣ ବ୍ୟକ୍ତିଙ୍କୁ ନିଯୁକ୍ତ କରିବା ଉଚିତ । ସଂଗ୍ରାହକମାନେ ବ୍ୟସ୍ତ ନ ହୋଇ ଗଞ୍ଜାମର ନାନା ସ୍ଥାନ ଭ୍ରମଣ କରି ସେମାନଙ୍କ ସମ୍ବନ୍ଧୀୟ ନାନା କଥା ସଂଗ୍ରହ କରନ୍ତୁ । ସଂଗୃହୀତ କାର୍ଯ୍ୟାବଳି ବହୁପୁସ୍ତକର ସାହାଯ୍ୟରେ ପରିଶୋଧିତ ହୋଇ ମୁଦ୍ରିତ ହେଉ ଏବଂ ଯଥାସମ୍ଭବ ସୁଲଭ ମୂଲ୍ୟରେ ପ୍ରଚାରିତ ହେଉ । ନବୀନ କବି ଓ ଲେଖକମାନଙ୍କ କାବ୍ୟକବିତା ଗୃହେ ଗୃହେ ରକ୍ଷିତ ହେଉ ଓ ପଠିତ ହେଉ । ଦରିଦ୍ର ଗ୍ରନ୍ଥକାରମାନଙ୍କ ଗ୍ରନ୍ଥପ୍ରକାଶର ସଦୁପାୟ କରାହେଉ । ସଭା ସମିତିରେ ସୁଲେଖକ ଓ ସୁକବିମାନଙ୍କୁ ଧନ୍ୟବାଦ ପାରିତୋଷିକ ଦିଆହେଉ । ଗଞ୍ଜାମର ଏହି ସଦ୍ଦୃଷ୍ଟାନ୍ତ ଅନ୍ୟ ଜିଲାର ଲୋକମାନେ ଅନୁକରଣ କରନ୍ତୁ । ଦେଖିବ, ଅଚିରେ ଉତ୍କଳରେ ଯୁଗାନ୍ତର ଉପସ୍ଥିତ ହେବ । ଶତ ଶତ ସୁଲେଖକଙ୍କର ଆବିର୍ଭାବ ହୋଇ ସାହିତ୍ୟଭଣ୍ଡାର ପୂର୍ଣ୍ଣ ହୋଇଯିବ । ଓଡ଼ିଆମାନେ ଗୋଟିଏ ଉନ୍ନତ ଜାତି ବୋଲି ପରିଗଣିତ ହେବେ ।

 

ବିଦ୍ୟାରତ୍ନେ ଉପର୍ଯ୍ୟୁକ୍ତ ପ୍ରବନ୍ଧ ଭଳି ଅବରୋଧ ପ୍ରଥା, ପ୍ରାଚୀନକୀର୍ତ୍ତି, ବ୍ୟୟସଙ୍କୋଚ, ଅନ୍ତଃପୁରସଂସ୍କାର, ଗୋଧନ ରକ୍ଷା, ଦେଶୀୟ ବସ୍ତୁ ବ୍ୟବହାର, କ୍ଷତ୍ରିୟଜାତି, ଦୂଦୂରା ବ୍ୟବସାୟ, ପଖାଳଭାତ ପ୍ରଭୃତି ସୁଚିନ୍ତିତ ପ୍ରବନ୍ଧାବଳି ଲେଖିଅଛନ୍ତି ।

 

ଉତ୍କଳଭାଷା ରଚନାରେ ସଂସ୍କୃତ ବ୍ୟାକରଣ କଠୋର ନିୟମ ପାଳନ କରିବା ଉଚିତ କି ନାହି, ଏ ବିଷୟରେ ତାହାଙ୍କର ମତ ସମ୍ପୂର୍ଣ୍ଣ ଉଦାର ଓ ଅସଂକୀର୍ଣ୍ଣ ଥିଲା । ସେ ସଂସ୍କୃତବ୍ୟାକରଣର ସର୍ବତୋଭାବରେ ଅନୁସରଣର ପକ୍ଷପାତୀ ନ ଥିଲେ ଅଥଚ ସେ ସ୍ୱୟଂ ଯେପରି ସଜ୍ଜିତ ଓ ବିଶୁଦ୍ଧ ଭାଷା ବ୍ୟବହାର କରୁଥିଲେ, ତାହା ଉତ୍କଳର ଲେଖକମାନଙ୍କ ମଧ୍ୟରେ ୫।୭ ଜଣ ବ୍ୟତୀତ ଆଉ କେହି କରିଥିଲେ କି ନାହିଁ ତାହା ଆମ୍ଭମାନଙ୍କୁ ଜଣା ନାହିଁ । କିନ୍ତୁ ବିଶୁଦ୍ଧି ରକ୍ଷା ସକାଶେ ଏହି ପ୍ରୟାସ ତାଙ୍କର ରଚନାକୁ କେବେହେଁ କୃତ୍ରିମତାଦୁଷ୍ଟ କରି ନାହିଁ । ଭାଷାକୁ ସେ କେବଳମାତ୍ର ଭାବପ୍ରକାଶର ଉପାୟସ୍ୱରୂପ ମନେ କରୁ ନ ଥିଲେ ।

 

ଉତ୍କଳସାହିତ୍ୟର ସେବା ଓ ଉତ୍କଳଦେଶର ସେବା ନୀଳମଣି ବାବୁଙ୍କ ଜୀବନର ମୁଖ୍ୟତମ ବ୍ରତ ଥିଲା । ସେ ନିଜର କ୍ଷମତାନୁସାରେ ସେହି ବ୍ରତ ଯଥାସାଧ୍ୟ ପାଳନ କରିଅଛନ୍ତି ଏବଂ ସେହି ବ୍ରତପାଳନରେହିଁ ସେ ନିଜର ସମଗ୍ର ଶକ୍ତି ଅର୍ପଣ କରିଯାଇଅଛନ୍ତି । ସେ ତାଙ୍କ ଜୀବନରେ ସାହିତ୍ୟସେବା, ଦେଶସେବା କାର୍ଯ୍ୟ କଲା ପରି ଆଉ କୌଣସି କାର୍ଯ୍ୟ କରି ନାହାନ୍ତି । ତାଙ୍କ ଅପେକ୍ଷା ପ୍ରତିଭାଶାଳୀ ଲେଖକ ଉତ୍କଳରେ ଅନେକ ଜନ୍ମଗ୍ରହଣ କରିଅଛନ୍ତି, ଏହା ସ୍ୱୀକାର କରୁଅଛୁଁ । ଉତ୍କଳସାହିତ୍ୟରେ ସେମାନଙ୍କର ସ୍ଥାନ ଅନେକ ଉଚ୍ଚରେ ଅବସ୍ଥିତ, ସେମାନଙ୍କ କାର୍ଯ୍ୟ ସହିତ ତତ୍କୃତ କାର୍ଯ୍ୟରେ ତୁଳନା କରିବା କୌଣସି ପ୍ରୟୋଜନ ନାହିଁ । କିନ୍ତୁ ଏକମାତ୍ର ଉତ୍କଳସାହିତ୍ୟର ତଥା ଉତ୍କଳଜନନୀଙ୍କର ସେବାବ୍ରତରେ ସମଗ୍ର ଜୀବନ ଉଦ୍‌ଯାପନର ଉଦାହରଣ ଅଧିକ ଅଛି କି ନାହିଁ କହି ନ ପାରୁଁ । ବିଦ୍ୟାରତ୍ନେ ଯେପରି ଲେଖକ ଥିଲେ, ସେହିପରି ବିଭଶାଳୀ ନ ଥିଲେ । ତେଣୁ ସେ ରଚିତ ବା ସଙ୍କଳିତ ପ୍ରବନ୍ଧମାନ ପୁସ୍ତକାକାରରେ ପ୍ରକାଶ କରିପାରି ନାହାନ୍ତି-। ସେ ଆଜୀବନ ସମ୍ବାଦପତ୍ର ପରିଚାଳନାରେ ମନପ୍ରାଣ ସମର୍ପଣ କରି ରହିବାରୁ କୌଣସି ବିଶିଷ୍ଟ ବିଷୟରେ ଗ୍ରନ୍ଥ ରଚନା କରିବାର ସୁଯୋଗ ପାଇ ନାହାନ୍ତି ।

 

ବିଦ୍ୟାରତ୍ନେ ଜଣେ ସ୍ୱାଧୀନଚେତା ଲୋକ ଥିଲେ । ପରାଧୀନତା ବା ସେବକତାକୁ ସେ ନିତାନ୍ତ ଘୃଣାଚକ୍ଷୁରେ ଦେଖୁଥିଲେ । ସେ ଅର୍ଥଲୋଭୀ ନ ଥିଲେ । ନାନା ଉପାୟରେ ଉପାର୍ଜନ ଓ ସଞ୍ଚୟ କରି ସୁଖସ୍ୱାଚ୍ଛନ୍ଦ୍ୟରେ ଜୀବନ ଅତିବାହିତ କରିବା, ତାଙ୍କ ଜୀବନର ଚରମ ଲକ୍ଷ୍ୟ ନ ଥିଲା । ସ୍ୱଦେଶର ସେବା, ମାନବର କଲ୍ୟାଣ ତାଙ୍କ ଜୀବନର ପ୍ରଧାନତମ ଲକ୍ଷ୍ୟ ଥିଲା । ତାହାଙ୍କର ପ୍ରକୃତି ଏହିପରି ଥିଲା ଯେ, ସେ ଯେତେବେଳେ ଯାହା ସତ୍ୟ ବା ନ୍ୟାୟ ବୋଲି ବୁଝିଥିଲେ, ତାହା ହୃଦୟର ସହିତ ବୁଝୁଥିଲେ । ‘‘କର୍ତ୍ତବ୍ୟ ବୁଝିବ ଯାହା ଅବଶ୍ୟ କରିବ ତାହା, ଯାଉ ପ୍ରାଣ କିମ୍ବା ଥାଉ ପ୍ରାଣ’’–ଏହି ମହତ୍ ବଚନାନୁସାରେ ସେ କାର୍ଯ୍ୟ କରୁଥିଲେ । ଜନସାଧାରଣଙ୍କ ସକାଶେ କାର୍ଯ୍ୟ କରିବାକୁ ଗଲେ ଅନେକ ସମୟରେ ଅନେକ ଲୋକଙ୍କର ବିରାଗଭାଜନ ହେବାକୁ ହୁଏ । ମାତ୍ର ସେ ସକଳ ସେ ଗ୍ରାହ୍ୟ କରୁ ନ ଥିଲେ । ସାଧାରଣ କାର୍ଯ୍ୟ ନେଇ ସେମାନଙ୍କ ସଙ୍ଗରେ ଘୋର ତର୍କ ଓ ପ୍ରତିବାଦ କରିବାକୁ ହେଉଥିଲା । ସେମାନଙ୍କ ପ୍ରତି ତାହାଙ୍କର କୌଣସି ପ୍ରକାର ଅସଦ୍‌ଭାବ ନ ଥିଲା । ସେ ସେମାନଙ୍କ ସଙ୍ଗରେ ବନ୍ଧୁଭାବରେ ମିଶୁଥିଲେ ଏବଂ ସୁଖଦୁଃଖରେ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେ ସର୍ବଜନପ୍ରିୟ ଥିଲେ । ତାଙ୍କର ବ୍ୟବହାର ଓ ହୃଦୟ କୋମଳତାରେ ପୂର୍ଣ୍ଣ ଥିଲା ।

 

ସଙ୍କଳ୍ପ ଓ ସାଧନା ଯୋଗୁଁ ସିଦ୍ଧିଲାଭ ହୋଇଥାଏ । ବିଦ୍ୟାରତ୍ନଙ୍କଠାରେ ଏହି ଗୁଣ ଦୁଇଟି ବିଦ୍ୟମାନ ଥିଲା । ସେ ନିଜ ପ୍ରତିଭାବଳରେ ଉତ୍କଳଭାଷାରେ ଓ ଉତ୍କଳଦେଶରେ ଯାହା କରିଅଛନ୍ତି, ତାହା ପ୍ରଶଂସାର ଯୋଗ୍ୟ । ତାହାଙ୍କର କାର୍ଯ୍ୟ ନବୀନ ଓ ପ୍ରବୀଣ ସାହିତ୍ୟସେବୀମାନଙ୍କର ଅନୁକରଣଯୋଗ୍ୟ କହିଲେ ବୋଧହୁଏ ଅନ୍ୟାୟ ହେବ ନାହିଁ । ତାଙ୍କର ଅମାୟିକ ସ୍ୱଭାବ, ସମସ୍ତଙ୍କ ସହିତ ମିଷ୍ଟ ବ୍ୟବହାର ଓ ଗଭୀର ଭାବମୂର୍ତ୍ତିକା ଦେଖିଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ନୀଳମଣିଙ୍କ ପରଲୋକଗମନ ପରେ ଉତ୍କଳର ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରି ଗଦ୍ୟପଦ୍ୟ ପ୍ରବନ୍ଧ ପ୍ରକାଶ କରୁଥିଲେ, ସେଥିରୁ କେତେକ ନିମ୍ନରେ ପ୍ରକାଶିତ ହେଲା ।

 

ସ୍ୱର୍ଗତ ନୀଳମଣି ବିଦ୍ୟାରତ୍ନ

(ଉତ୍କଳ-ସାହିତ୍ୟ, ୨୮ଶ ଭାଗ, ୪ର୍ଥ ସଂଖ୍ୟା)

 

ଆହେ ନୀଳମଣି ଉତ୍କଳମଣି,

ଅକାଳରେ ଗଲ ଏ ଭବ ତେଜି,

ତୁମ୍ଭ କାର୍ଯ୍ୟ ଭାଳି ତୁମ୍ଭ ଗୁଣ ଗୁଣି,

ବ୍ୟାକୁଳ ହେଉଛୁଁ ତୁମ୍ଭଙ୍କୁ ହେଜି ।୧।

‘ହିତୈଷିଣୀ’, ‘ପ୍ରଜାବନ୍ଧୁ’ ପ୍ରକାଶିଣ,

କଲ ଏ ଦରିଦ୍ର ଉତ୍କଳ-ହିତ,

‘ଉତ୍କଳ-ମଧୁପ’ ପ୍ରକାଶ କରିଣ

କଲ କେତେ କେତେ ଜ୍ଞାନ ସଞ୍ଚିତ ।୨।

ଥିଲ ସ୍ୱଦେଶର ହିତେ ସଦା ରତ,

ସାହିତ୍ୟ-ସେବାରେ ତଦ୍‌ଗତ ମନ,

ଯେତେବେଳେ ଯେଉଁ କାର୍ଯ୍ୟ ଲାଗୁଥିଲ,

ପ୍ରାଣପଣେ କରୁଥିଲ ସାଧନ ।୩।

ତୁମ୍ଭରି ଯତନେ ‘ପ୍ରଜାବନ୍ଧୁ’ ମୁଖେ,

ଉତ୍କଳ-ମିଳନ ପାଇଁ ଘୋଷଣା,

ପ୍ରଥମ ‘ଉତ୍କଳ-ସମ୍ମିଳନୀ’ ପାଇଁ

ତୁମ୍ଭରି ପ୍ରାଣରୁ ହେଲା ପ୍ରେରଣା ।୪।

ଦରିଦ୍ର ଗୃହରେ ଜନ୍ମି ନୀଳମଣି,

ଅଳ୍ପ ଶିକ୍ଷା ପାଇ କରିଛ ଯାହା,

ଧନାଢ୍ୟ ସନ୍ତାନ ସୁଶିକ୍ଷିତ ପକ୍ଷେ,

ନୁହଇ କି ସୁଧି, ଅସାଧ୍ୟ ତାହା ? ।୫।

ସଂସାରରେ ନୁହେ ପୂର୍ଣ୍ଣସୁଖୀ କେହି,

ଏ ଜଗତେ ନାହିଁ ପୂର୍ଣ୍ଣତା କାହିଁ,

ପ୍ରାଣେ କେଉଁ ସ୍ଥାନେ ଥିଲା ଦୁର୍ବଳତା

ତାହା ପାଇଁ ଆଜି ନିନ୍ଦିବୁଁ ନାହିଁ ।୬।

ଯାଅ ଯାଅ ଭାଇ, ସେ ଦେଶେ ଯେ ଦେଶେ,

ଅଭାବ ଯାତନା ବାଧଇ ନାହିଁ,

ସ୍ୱକୃତ-ସୃକୃତ-ସୁଫଳ ଭୁଞ୍ଜିଣ,

ଥାଅ ବିଭୁପଦ-ଫଙ୍କଜ ଧ୍ୟାୟି ।୭।

ଯେଉଁ ସ୍ୱଦେଶର ଶୁଭ ମନାସିଣ

ସାରା ଜୀବନଟା କଲା ଯାପନ,

ମଧୁପ ସମାନ ସତ୍କର୍ମ-ସଦଗୁଣ-

ମଧୁ ସେ ଉତ୍କଳ କରୁ ଗ୍ରହଣ ।୮।

ଶ୍ରୀ ନନ୍ଦକିଶୋର ବଳ ବି. ଏ. (ରାୟସାହେବ)

 

 

ଶୋକ ସଙ୍ଗୀତ

 

(ଉତ୍କଳସାହିତ୍ୟସମାଜର ୧୯ ।୭ ।୨୪ ତାରିଖର ବିଶେଷ ଅଧିବେଶନ ଉପଲକ୍ଷେ ରଚିତ)

 

ରାଗ-ରସକୁଲ୍ୟା

ଦୁଃଖିନୀ ଜନନୀ ନୟନନୀର,

Unknown

ନ ଶୁଖୁଁ ଦାରୁଣ ବିଧି ବିଧିର,

ବଳେ କୋଳୁଁ ତୋର କଲ କର୍ଷଣ,

ପୁଣି ଗୁଣମଣି ପୁତ୍ରରଜନ,

ହୃଦୟ ଯାଉଛି ଫାଟି ଯେ,

କାନ୍ଦଇ ବିକଳେ ଦୀନବନ୍ଧୁ ହରି

ଦେଲ ମୋର ଗଳା କାଟି ଯେ ।୧।

 

କାନ୍ଦୁଛି ବାମଣ୍ଡା ପ୍ରଧାନପାଟ,

କାନ୍ଦେ ମାଲ୍ୟଗିରି ଗିରିସମ୍ରାଟ,

କାନ୍ଦଇ ବିକଳେ ଗଞ୍ଜାମ ମହୀ,

ଦାରୁଣ ସନ୍ଦେଶ ନ ପାରେ ସହି,

ତବ ପ୍ରିୟ ଲୀଳାସ୍ଥଳୀ ଯେ,

ସୁନୀଳ ଚିଲିକା ଲହରୀମାଳିକା

ବିକ୍ଷୁବ୍‌ଧ ରମ୍ଭା ନଗରୀ ଯେ ।୨।

 

କର୍ମବୀର, ଧୀର, ଜ୍ଞାନୀ ସୁଜନ,

ପରାଣ-ଗଗନ-ଶତ୍ରୁଶୋଭନ,

ସ୍ୱଦେଶ-ବତ୍ସଳ ଭାଷା-ରସିକ,

ବସନ୍ତ-ବିଳାସୀ ରସଜ୍ଞ ପିକ,

ଭାବୁକ ମୁକୁଟମଣି ଯେ,

କାହିଁ ଚାଲିଗଲ ? ନ ପାହୁ ରଜନୀ

ବିଦ୍ୟାରତ୍ନ ନୀଳମଣି ହେ ! ।୩।

 

ସୂଚନା କରିଲ ଉତ୍କଳଭାଷି-

ସମ୍ମିଳନୀ ଆହେ ସୁଲୋକବାସି !

ନ ଦେଖି ସେ ଶୁଭ କର୍ମର ଫଳ,

କିପରି ଛାଡ଼ିଲ ପ୍ରିୟ ଉତ୍କଳ,

ବିଶ୍ୱରାଜ ଶ୍ରୀଚରଣେ ଯେ,

ନ ସେବିଲେ ଆଶା ନ ହେବ ପୂରଣ

ବୋଲି କି କଲ ଗମନ ହେ ? ୪ ।

ଶ୍ରୀ କୁଳମଣି ଦାସ, କଟକ

 

ଅନୁଶୋଚନା

 

ଧନ୍ୟ କର୍ମବୀର ! ତବ ଜନମ ସଫଳ,

ତୁମ୍ଭେହିଁ ତୁମ୍ଭର ସାଧୁଦୃଷ୍ଟାନ୍ତର ସ୍ଥଳ ।

ଦେଶହିତ-ବ୍ରତ ପାଳି ଯାବତ ଜୀବନ,

ବୋଲାଉଛ ପ୍ରତିଲୋକ ମୁଖେ ଧନ୍ୟ ଧନ୍ୟ ।

ଯେତେବେଳେ ସାଳପାଞ୍ଚ ତୁମ୍ଭ ଗୁଣ ଭାବୁଁ,

ମନେହୁଏ ବଞ୍ଚିଛନ୍ତି ନୀଳମଣି ବାବୁ ।

ହାତୁଁ ଖାଇ ପର କାମ କରିବା ପ୍ରବୃତ୍ତି,

ଯାବତ ଜୀବନ ଥିଲ କରି ଶ୍ରେଷ୍ଠ ବୃତ୍ତି ।

ମିଶାଇବା ପାଇଁ ତୁମ୍ଭେ ଉତ୍କଳେ ଗଞ୍ଜାମ,

କାନ୍ଦୁଥିଲ ସଦା ଆମ୍ଭେ କରୁଛୁଁ ଅଞ୍ଜାମ ।

ଆଣିଥିଲେ ଜାହ୍ନବୀକି ଯେହ୍ନେ ଭାଗୀରଥି,

ଆଣିଥିଲେ ତୁମ୍ଭେ ତେହ୍ନେ ଗଞ୍ଜାମେ ଉନ୍ନତି ।

ଦେଶମିଶ୍ରଣର ମୂଳ ନେତା ବୋଲି ଜାଣି,

ଇଚ୍ଛାକଲେ ତେଲଙ୍ଗାଏ ଦେବେ ବୋଲି ହାଣି ।

ମାତ୍ର ବିଶ୍ୱପତି ହରି ସହାୟ ଯାହାର,

କି କରିପାରିବେ ତାର ତେଲଙ୍ଗାଏ ଛାର !

ମହାବୀର ସମ ମହାଦର୍ପରେ ହେ ଆର୍ଯ୍ୟ,

ସାଧିଲ ନିର୍ଭୀକଭାବେ ସ୍ୱଦେଶର କାର୍ଯ୍ୟ ।

କରିଅଛ ଗଞ୍ଜାମରେ କାର୍ଯ୍ୟ ଯାହା ଯାହା,

ହୋଇବ ପ୍ରକାଣ୍ଡୁ ଗ୍ରନ୍ଥ ବଖାଣିଲେ ତାହା ।

ନୁହ ତୁମ୍ଭେ ରାଜା କିମ୍ବା ନୁହ ଜମିଦାର,

ମାତ୍ର ରାଜୋଚିତ ଥିଲା ହୃଦ ମହୋଦାର ।

ପରର ଉନ୍ନତି ଦେଖି ଆନନ୍ଦିତ ହେବା,

ଅଛି ଉତ୍କଳରେ ଜଣେ ତୁମ୍ଭ ବିନା କେବା ?

ଚିନ୍ତାମଣି, ଦାମୋଦର ପୁଣି ଗଙ୍ଗାଧର,

କବି ହେଲେ ଏହିମାନେ ଉତ୍ସାହେ ତୁମ୍ଭର ।

ଘେନିଣ ପରୋପକାର ସାଧନର ଦୀକ୍ଷା,

ପର ପାଇଁ ପରଦ୍ୱାରେ ମାଗିବୁଲ ଭିକ୍ଷା ।

ଗର୍ବ ଅଭିମାନ ତିଳେ ମନରେ ନ ଥାଇ,

ଦେଖିଲେ ଓଡ଼ିଆ ମଣ ସହୋଦର ଭାଇ ।

ଦେଖିଛି ମୁଁ ଶୁଣି ଦେଶ-ଦୁର୍ଦ୍ଦଶା ସକଳ,

ତିନ୍ତିଯାଏ ନେତ୍ରଜଳେ ତୁମ୍ଭ ବକ୍ଷସ୍ଥଳେ ।

ଅଛନ୍ତି ଖ୍ୟାତି-ପ୍ରତ୍ୟାଶୀ ନେତା ଦେଶେ ପଣେ,

ମାତ୍ର ପକା କର୍ମବୀର ତୁମ୍ଭେ ଏକା ଜଣେ ।

ଲେଖ ଯେ ପ୍ରବନ୍ଧ କରି କେଡ଼େ ମିଷ୍ଟଭାଷା,

ପଠନେ ଲୋକର ଯାହା ନିରନ୍ତର ଆଶା ।

ଗରିବର ପୁତ୍ର ତୁମ୍ଭେ ହୋଇଲେ କି ହେଲା,

ଗରିବ ଛାତ୍ରଙ୍କୁ ତୁମ୍ଭ ପରାଏ କେ ଦେଲା ।

ପାଶ୍ଚାତ୍ୟ ଦେଶରେ ଜନ୍ମିଥାନ୍ତ ଯେବେ ଭାଇ,

କେତେ ଆୟୋଜନ ହେଉଥାନ୍ତା ତୁମ୍ଭ ପାଇଁ ।

ଯଥାର୍ଥ କହିଲେ ଏଡ଼େ ଅକୃତଜ୍ଞ ଜାତି,

ଓଡ଼ିଆଙ୍କ ପରି କେହି ଜଗତେ ନାହାନ୍ତି ।

ଦେଖୁ ଦେଖୁ ବର୍ଷଟାଏ ହୋଇଲାଣି ଶେଷ,

ଦେଖୁ ନାହିଁ ସ୍ମୃତିରକ୍ଷା ପାଇଁ ଯତ୍ନ ଲେଶ ।

ମାତ୍ର ତୁମ୍ଭେ ତୁମ୍ଭ ସ୍ମୃତି ରଖିଛ ହେ ଯାହା,

ନୁହନ୍ତା ତ ବଳିକରି ଏହାଠାରୁ ତାହା ।

କି କହନ୍ତେ ବିଜ୍ଞେ ମାତ୍ର ମୋହ ପରି ଅଜ୍ଞ,

ବୋଲୁଥିବେ ଓଡ଼ିଆଏ ଅତି ଅକୃତଜ୍ଞ ।

କରିଛ ଯେ ମହାଯାତ୍ରା ମହନୀୟ ସ୍ଥଳେ,

ରଖିଣ ପବିତ୍ର ନାମସ୍ମୃତି ମହୀତଳେ ।

ଦିବ୍ୟନେତ୍ରେ ଦିବ୍ୟଲୋକୁଁ ଦେଖୁଛ କି ଭାଇ,

କାନ୍ଦନ୍ତି ଉତ୍କଳେ କେତେ ତୁମ୍ଭ ଗୁଣ ଗାଇ ।

ଶ୍ରୀ ଗଦାଧର ମଙ୍ଗରାଜ ସାମନ୍ତ

ବିରୁଳି

 

ଶୋକ-ଗୀତିକା

 

ରାଗ-ରସକୁଲ୍ୟା

(ମୁକୁର, ୧୯ଶ ଭାଗ, ୬ଷ୍ଠ ସଂଖ୍ୟା)

ଉତ୍କଳ-ବିରେଣ୍ୟ ବାଣୀ-ପୂଜକ,

ନିରଳସ ନିଷ୍ଠାପର ସାଧକ,

କର୍ମବୀର ଧୀର ସୁଧୀପ୍ରବର,

ସାହିତ୍ୟ-ରସିକ ସୁଗୁଣାଧାର,

କାହିଁ ଚାଲିଗଲ ଏକା ହେ,

ତବ କର୍ମଭୂମି ଉତ୍କଳ ଅବନୀ

ଝୁରୁଅଛି ଦିଅ ଦେଖା ହେ ।୧ ।

କି ଅତୁଳନୀୟ ତବ ଲେଖନୀ,

ଗଢିଅଛି କେତେ ଗୁଣୀ ସୁଜ୍ଞାନୀ,

ଫୁଟାଇଛି ବହୁ କବି-କୋରକ,

ଫିଟାଇଛି କେତେ ଭାବୁକ ମୁଖ,

ରଟାଇଛି ହିତ କଥା ହେ,

ଭାବିଲେ ହୃଦୟ ବିଦୀର୍ଣ୍ଣ ହେଉଛି

କାନ୍ଦି କାନ୍ଦି ମଥା ବ୍ୟଥା ହେ ।୨ ।

ଆଡ଼ମ୍ବରଶୂନ୍ୟ ତବ ଜୀବନ,

ନ ଥିଲା ମନେ ଅଭିମାନ ଚିହ୍ନ,

କେତେ କେତେ ନବ କାର୍ଯ୍ୟ ଦର୍ଶାଇ,

ଦେଶବାସୀ ମନ ନେଇଛ ମୋହି,

ଆଜୀବନ ଦେଶ କଥା ହେ,

ଭାବି ଭାବି ବହୁ ଆଶା ବାନ୍ଧିଥିଲ

ସବୁ ହୋଇଗଲା ବୃଥା ହେ ।୩ ।

କେତେ ନିର୍ଯ୍ୟାତନ ନ ଥିଲ ସହି,

ବିଚ୍ଛିନ୍ନ ଉତ୍କଳ ମିଳନ ପାଇଁ,

ପ୍ରତିବେଶୀଙ୍କର ତୀବ୍ର ଯାତନା

ଘଟାଇଲା ଘୋର ହୃଦ-ବେଦନା,

କିନ୍ତୁ କାର୍ଯ୍ୟେ ଦୃଢବ୍ରତ ହେ,

ବହୁ ବାଧାବିଘ୍ନ ଘଟିଲେ ହେଁ ଦିନେ

ହୋଇ ନାହିଁ ବିଚଳିତ ହେ ।୪ ।

ସ୍ପଷ୍ଟବାଦୀ ବିଚକ୍ଷଣ ନିର୍ଭୀକ,

ଦେଖିଛି ତୁମ୍ଭ ସମ ଅଳ୍ପ ଲୋକ,

ସ୍ୱାର୍ଥସିଦ୍ଧି ପାଇଁ ନ ଥିଲା ଲକ୍ଷ୍ୟ,

ବିପନ୍ନ ଜନଙ୍କ ସେବାରେ ଦକ୍ଷ,

ପ୍ରତିଭା-ପୂଜା ପ୍ରବୃତ୍ତି ହେ,

ଉତ୍କଳେ ବିରଳ ଦେଖାଯାଏ; କିନ୍ତୁ

ତବ ହୃଦେ ତା ବସତି ହେ ।୫ ।

‘ପ୍ରଜାବନ୍ଧୁ’, ‘ହିତୈଷିଣୀ’, ‘ଦର୍ପଣ’,

କେତେ ସୁଲେଖକ କରି ସୃଜନ,

ଜାତି-କୁସସ୍କାର କରିଛ ଧ୍ୱଂସ,

ବିଜାତି-ପ୍ରଭାବ ହୋଇଛି ହ୍ରାସ,

ପର-ଉପକାର-ବ୍ରତ ହେ,

ପାଳନେ ପଟୁତା ଲାଭ କରି ନିଜ

ଜୀବନକୁ କଲ ସାର୍ଥ ହେ ।୬ ।

‘ମଧୁପ’ ନିମନ୍ତେ ମଧୁ ସଂଗ୍ରହ,

ହୋଇ କେ କରିବ ହୋଇ ସାଗ୍ରହ,

ସଞ୍ଚୟ କରିଛ ଯାହା ତା ପାଇଁ,

ବଞ୍ଚିବ ସିନା କିଛି କାଳ ଖାଇ,

ପରେ ତା ଦଶା କି ହେବ ହେ,

ସ୍ୱର-ସ୍ୱପାଳିତ ନନ୍ଦନ-କାନନୁଁ

ଆହୁରି କି ଯୋଗାଇବ ହେ ।୭ ।

ନାହିଁ ମୋର ଜ୍ଞାନ ଶକ୍ତି ସାଧନା,

କରିବାକୁ ତବ ଗୁଣ ବର୍ଣ୍ଣନା,

ମାତ୍ର ଉତ୍କଳର ଇତିହାସରେ,

ନାମୋଲ୍ଲେଖ ହେବ ହୀରକାକ୍ଷରେ,

ତବକୃତ ଗ୍ରନ୍ଥାବଳୀ ହେ,

ପ୍ରତି ଘରେ ରହି ସମାଦରେ ତବ

ସ୍ମୃତିଦୀପ ଦେବ ଜାଳି ହେ ।୮ ।

ଦେଖାଦିଅ ଦେବ ସ୍ୱପ୍ନରେ ଥରେ,

ଜୁହାରିବି ତବ ପଦ୍ମପୟରେ,

ଜଣାଇବି ମୋର ହୃଦ-ବେଦନା,

ଭାଗ୍ୟହୀନ ବୋଲି ନ କର ଘୃଣା,

ତବ ପ୍ରିୟ ପୁତ୍ରଦ୍ୱୟ ହେ,

ଆତୁର ହେଲେଣି ଆଶୀର୍ବାଦ କର

ହେଉ ତାଙ୍କ ଚିତ୍ତ ଥୟ ହେ ।୯ ।

ଏତିକି ହେ ଦେବ ! ଶେଷ ମାଗୁଣି,

ଉତ୍କଳ-ଅବସ୍ଥା ଅଛ ତ ଜାଣି,

ପ୍ରତିକାର ପାଇଁ ବିଭୁ-ଛାମୁରେ,

ପ୍ରାର୍ଥୀ ହେବ ପ୍ରତିନିଧି ଭାବରେ,

ତବ ସଙ୍କଳ୍ପିତ କାର୍ଯ୍ୟ ହେ,

ଉତ୍କଳ-ମିଳନ ଆଶୁ ହେବ ପାଇଁ

ଜଣାଉଥିବଟି ଆର୍ଯ୍ୟ ହେ ।୧୦ ।

ଶ୍ରୀ ତ୍ରିପତି ଗାୟକରତ୍ନ

ବଡ଼ଖେମୁଣ୍ଡି

 

‘ଉତ୍କଳ ସାହିତ୍ୟ’ ପତ୍ରକାର ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ କର ତାଙ୍କ ପତ୍ରିକାରେ ବିଦ୍ୟାରତ୍ନଙ୍କ ସମ୍ବନ୍ଧରେ ଲେଖିଅଛନ୍ତି :–

 

‘‘ଉତ୍କଳ ଚକ୍ଷୁରୁ ଶୋକାଶ୍ରୁ ଆଉ ଶୁଖିବ ନାହିଁ ପରା? କିଛିଦିନ ହେଲା ବିଶେଷରେ ସାହିତ୍ୟ କ୍ଷେତ୍ର ପ୍ରତି ଶନିଦୃଷ୍ଟି ପଡ଼ିଅଛି । ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ନାମ ଉତ୍କଳର ଗ୍ରାମେ ଗ୍ରାମେ, ଘରେ ଘରେ ସୁପରିଚିତ । ଆଜି ଆଉ ସେ ନୀଳମଣି ଏ ସଂସାରରେ ନାହାନ୍ତି । ଗତ ଜୁଲାଇ ୨୬ ତାରିଖ ରାତ୍ରି ପ୍ରାୟ ୧୨ ଘଣ୍ଟା ସମୟରେ ସେ ଜରାଜୀର୍ଣ୍ଣ, ରୋଗଶୀର୍ଣ୍ଣ, ଚିନ୍ତାକ୍ଷୀଣ ପାର୍ଥିବ ଦେହ ପରିତ୍ୟାଗ କରି ଅମର ଧାମକୁ ଚାଲିଯାଇଅଛନ୍ତି ।

 

ଆଜି ‘ଦେଶ ସେବକ’, ‘ସାହିତ୍ୟିକ’, ‘କର୍ମବୀର’ ଇତ୍ୟାଦି କଥାଗୁଡ଼ାକ ଯେପରି ସୁଲଭ ହୋଇଅଛି, ୩୦ ।୩୫ ବର୍ଷ ପୂର୍ବେ ସେପରି ନ ଥିଲା । ଆଜି ଯେପରି ଦେଖୁ ଦେଖୁ ଅଜାତଶ୍ମଶ୍ରୁ ବାଳକ ପର୍ଯ୍ୟନ୍ତ ସମ୍ବାଦ ପତ୍ରର ସମ୍ପାଦକ ହୋଇପଡ଼ି ଗଗନ ମେଦିନୀ ବିକମ୍ପିତ କରି ଦେଉଅଛନ୍ତି, ସେତେବେଳେ ତାହା ମଧ୍ୟ ନ ଥିଲା । କେବଳ ମୁଷ୍ଟିମେୟ ବ୍ୟକ୍ତି ବିଭିନ୍ନ କେନ୍ଦ୍ରରେ ଥାଇ ପ୍ରାଣର ଗଭୀରତମ ପ୍ରଦେଶର ପ୍ରେରଣାରେ ଜାତୀୟ ଜୀବନର ଭିତ୍ତି ପ୍ରତିଷ୍ଠା କାର୍ଯ୍ୟରେ ଆତ୍ମନିୟୋଗ କରିଥିଲେ, ଜାତୀୟ ଅବସାଦ ଓ ଜଡତା ଦୂରୀକରଣ ପାଇଁ ପ୍ରାଣମନ ସମର୍ପଣ କରି କଠୋର ସାଧନାରେ ପ୍ରବୃତ୍ତ ହୋଇଥିଲେ । ତନ୍ମଧ୍ୟରେ ଜୀବନ୍ତ ଉତ୍ସାହ ଓ ଉଦ୍ୟମର ଅବତାର, ଅଧ୍ୟବସାୟର ପ୍ରତିମୂର୍ତ୍ତି, ଅକ୍ଳାନ୍ତକର୍ମା, ସୁନାମଧନ୍ୟ ପୁରୁଷ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ନାମ ଅଗ୍ରଗଣନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦିବାନିଶି କର୍ମ ଭିତରେ ବୁଡ଼ିରହିବା, ନିତ୍ୟ ନୂତନ ନୂତନ କର୍ମକ୍ଷେତ୍ରର ସନ୍ଧାନ କରିବା, କର୍ମସାଧନର ସୁଗମ ପନ୍ଥା ଉଦ୍‌ଭାବନ କରିବା, ବିଭିନ୍ନ ବିଷୟରେ କର୍ମୀ ନିର୍ବାଚନ କରି ଏବଂ ନିତ୍ୟ ଉତ୍ସାହର ଜଳ ସେଚନ କରି କର୍ମୀର ଜୀବନକୁ ସରସ ଓ ସତେଜ ରଖିବା, ଗୁଣୀର ଗୁଣ ପ୍ରତି ସମୁଚିତ ସମାଦର ପ୍ରଦର୍ଶନ କରିବା ଏବଂ ନାନାଭାବରେ ଗୁଣର ପୁରସ୍କାର ପାଇଁ ଆୟୋଜନ କରିବା ବିଷୟରେ ନୀଳମଣି ତୁଲ୍ୟ ଦ୍ୱିତୀୟ ବ୍ୟକ୍ତି ଉତ୍କଳରେ କେହି ଅଛନ୍ତି ବୋଲି ଆମ୍ଭମାନଙ୍କୁ ଜଣା ନାହିଁ । ଗତ ୩୬।୩୭ ବର୍ଷ କାଳ ତାଙ୍କ ସହିତ ଘନିଷ୍ଠ ବନ୍ଧୁତା-ସୁତ୍ରରେ ଆବଦ୍ଧଥାଇ ଆମ୍ଭେମାନେ ତାଙ୍କୁ ନାନାକ୍ଷେତ୍ରରେ ନାନାଭାବରେ ଦେଖିବାର ସୁଯୋଗ ପାଇଅଛୁଁ; ନାନା ବିଷୟରେ ତାଙ୍କ ଉନ୍ନତ ଉଦାର ଭାବ ପ୍ରତ୍ୟକ୍ଷ କରିଅଛୁଁ । ପରନ୍ତୁ ତାଙ୍କ ଜୀବନରେ ମାନବୀୟ ତ୍ରୁଟି ଦୁର୍ବଳତା ଯାହା ଥିଲା, ତାହା ମଧ୍ୟ ଆମ୍ଭମାନଙ୍କର ଆଗୋଚର ନ ଥିଲା-

 

ତାଙ୍କ ଜୀବନର ସମସ୍ତ ଦିଗ ଓ କାର୍ଯ୍ୟକଳାପ ଆଲୋଚନା କରି ବୁଝିଥିଲୁଁ, ଦେଶଭକ୍ତି କାହାକୁ କହନ୍ତି ? ଦେଶ-ସେବା କିପରି କରିବାକୁ ହୁଏ ? ମହତ୍ତ୍ୱ ପ୍ରତି ସମ୍ମାନ କିପରି ଦେଖାଇବାକୁ ହୁଏ ? ଗୁଣର ଆଦର ଦ୍ୱାରା ଗୁଣକୁ କିପରି ଫୁଟାଇବାକୁ ହୁଏ–ଏଗୁଡ଼ିକ ଶଖିବା ଓ ଶିଖାଇବା ତାଙ୍କ ଜୀବନଧାରଣ ଉଦ୍ଦେଶ୍ୟ ଥିଲା । ତାଙ୍କର ଜ୍ଞାନ, ଧ୍ୟାନ, ଚିନ୍ତା, ଆଲୋଚନା କର୍ମ–ସମସ୍ତଙ୍କର ଗତି ଏହି ଏକ ଲକ୍ଷ୍ୟର ଅଭିମୁଖରେ ନିୟତ ଚାଳିତ ହେଉଥିଲା । ନିଷ୍କର୍ମ ହୋଇ ବସିରହିବା ଅଥବା ଅସାର ବିଷୟରେ କାଳକ୍ଷେପ କରିବା ନୀଳମଣିଙ୍କର ପ୍ରକୃତିବିରୁଦ୍ଧ ଥିଲା । କର୍ମରେ ତାଙ୍କର ଶାନ୍ତି, କର୍ମରେ ଆନନ୍ଦ, କର୍ମରେ ଆପଣାକୁ ନିୟତ ନିଯୋଜିତ ରଖି ସେ ଚିର ପ୍ରସନ୍ନତା ଲାଭ କରିପାରିଥିଲେ । ମୃତ୍ୟୁର ୨।୩ ମାସପୂର୍ବରୁ ନିତାନ୍ତ ଯନ୍ତ୍ରଣାଦାୟକ ପୀଡ଼ାର ସୂତ୍ରପାତ ହୋଇ ତାଙ୍କର ଜୀବନଶକ୍ତି କ୍ରମଶଃକ୍ଷୟପ୍ରାପ୍ତ ହେଉଥିଲା । ଏ ସମୟଟା ତାଙ୍କର ପ୍ରାୟ ନିଃସଙ୍ଗଭାବରେ ଅତିବାହିତ ହୋଇଅଛି କହିଲେ ଚଳେ । ସମୟ ସମୟରେ ଜଣେ ଅଧେ ବନ୍ଧୁଙ୍କ ସହିତ କଥୋପକଥନ ଛଡ଼ା ସମୟ କଟାଇବାର ଅନ୍ୟ ଅବଲମ୍ବନ କିଛି ନ ଥିଲା । ସେ ଅବସ୍ଥାରେ ସୁଦ୍ଧା ନୂତନ କିଛି ଜ୍ଞାନ ଅର୍ଜନ କରିବା ଓ ସାଧାରଣଙ୍କର ପ୍ରୋୟୋଜନୀୟ ବିଷୟ କିଛି ସଂଗ୍ରହ କରିବା ତାଙ୍କର ନିତ୍ୟକର୍ମ ଥିଲା । ସେତେବେଳେ ସୁଦ୍ଧା ଶେଷ ଜୀବନରେ ଗୋଟିଏ କିଛି ନୂତନ କର୍ମକ୍ଷେତ୍ରରେ ପ୍ରବେଶ କରିବା ପାଇଁ ତାଙ୍କ ଚିତ୍ତ ଉଠୁଥିଲା । ପ୍ରାୟ ପ୍ରତିଦିନ ଆମ୍ଭମାନଙ୍କ ସହିତ ସେ ବିଷୟରେ ଆଲୋଚନା ଚାଲିଥିଲା । ହାୟ ! କର୍ମର ବ୍ୟବସ୍ଥା ପୂର୍ଣ୍ଣ ହେବା ବେଳକୁ ସେ ଆମ୍ଭମାନଙ୍କୁ ପାଙ୍କିଦେଇ ଚାଲିଗଲେ । ହାୟ ! ଏହା କଅଣ ଅଦୃଷ୍ଟର ପରିହାସ । ଶଶ୍ମାନକ୍ଷେତ୍ରରେ ତାଙ୍କ ବଦନମଣ୍ଡଳରେ ଗୋଟିଏ ସୁମଧୁର ହାସ୍ୟରେଖା ପ୍ରତ୍ୟକ୍ଷ କରି ଆମ୍ଭବାନଙ୍କ ମନରେ ଏହି କଥାଟା ବାରମ୍ବାର ଉଦିତ ହୋଇଥିଲା । ଦେଶହିତକର ସମସ୍ତ ବ୍ୟାପାରରେ ନୀଳମଣିଙ୍କର କିପରି ପ୍ରାଣର ଗଭୀର ଯୋଗ ଥିଲା, ତାହା ଅନେକଙ୍କୁ ଜଣାଅଛି ।

 

ଉତ୍କଳ ସମ୍ମିଳନୀର କଳ୍ପନା ସର୍ବପ୍ରଥମେ ତାଙ୍କରି ଉର୍ବର ମସ୍ତିଷ୍କରେ ଉଦିତ ହୋଇଥିଲା-। ସମ୍ମିଳନୀର କାର୍ଯ୍ୟରେ ତାଙ୍କର ଉତ୍ସାହ, ଅନୁରାଗ, ଚିନ୍ତା ଓ ଶ୍ରମର ଅନ୍ତ ନ ଥିଲା । ଅନ୍ୟ ବହୁବିଧ ବ୍ୟାପାରରେ ସେ ନାନା ଭାବରେ ଶକ୍ତି ଓ ସମୟ ବ୍ୟୟ କରିଯାଇଅଛନ୍ତି । କିନ୍ତୁ ସମ୍ବାଦପତ୍ର ପରିଚାଳନରେ ସେ ଯେଉଁ ବୃତିତ୍ୱ ଦକ୍ଷତା ଓ କୌଶଳ ଦେଖାଯାଇଅଛନ୍ତି, ସେଥିରେ ତାଙ୍କୁ ଆଜନ୍ମ ସମ୍ପାଦକ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଦ୍ୟାରତ୍ନଙ୍କ ହିତୈଷିଣୀ ଓ ‘ପ୍ରଜାବନ୍ଧୁ’ ତାହାର ଜ୍ୱଳନ୍ତ ସାକ୍ଷୀ । ଏହି କ୍ଷେତ୍ରରେ ସର୍ବାପେକ୍ଷା ଉଲ୍ଲେଖଯୋଗ୍ୟ ବିଷୟ ତାଙ୍କର ଉଦାରତା ଓ ନିରପେକ୍ଷତା । ନିଜର ମତ ବିରୁଦ୍ଧ ହେଲେ ମଧ୍ୟ ନାନାମତ ପ୍ରତି ସମାଦର ପ୍ରଦର୍ଶନ କରିବାରେ ସେ କେବେହେଲେ ପଶ୍ଚାତ୍‌ପଦ ନ ଥିଲେ । କୌଣସି ପକ୍ଷ ଅବଲମ୍ବନ କରି ପରସ୍ପରବିରୁଦ୍ଧ ମତାବଲମ୍ବୀ ଲେଖକମାନଙ୍କ ସ୍ୱାଧୀନ ମତ ପ୍ରକାଶ ପାଇଁ ସ୍ୱୀୟ ପତ୍ରିକାରେ ସ୍ତମ୍ଭ ସେ ସର୍ବଦା ମୁକ୍ତ ରଖୁଥିଲେ । ଏହି କାରଣରୁ ତାଙ୍କ ପତ୍ରିକା ସକଳ ଶ୍ରେଣୀରେ ଲେଖକ ଓ ସମାଲୋଚକଙ୍କର ପ୍ରିୟ ହୋଇପାରିଥିଲା ।

 

ସ୍ୱଜାତି-ପ୍ରୀତିରେ ନୀଳମଣି କାହାରିଠାରୁ ହୀନ ନ ଥିଲେ । କିନ୍ତୁ ପରଜାତି-ବିଦ୍ୱେଷ ତାଙ୍କ ପ୍ରାଣକୁ କେବେ ହେଲେ ସ୍ପର୍ଶ କରି ନ ଥିଲା । ସତ୍ୟର ଅନୁରୋଧରେ ସ୍ୱଜାତି ବା ପରଜାତି କାହାରି ଦୋଷ ଉଦ୍‌ଘାଟନ କରିବାକୁ ସେ ଭୀତ କରିବାକୁ ବା କୁଣ୍ଠିତ ହେଉ ନ ଥିଲେ । ନୀଳମଣିଙ୍କ ଜୀବନରେ ବହୁଶତ ଘଟଣା ଆଜି ଆମ୍ଭମାନଙ୍କ ସ୍ମୃତିମନ୍ଦିରର ଦ୍ୱାରଦେଶ ଆଚ୍ଛାନ୍ନ କରି ପକାଇଅଛନ୍ତି, କେଉଁ କଥା ଲେଖିବୁଁ ? କେତେଟା କଥା ଲେଖିବୁ ? ଏ ସ୍ଥଳରେ ନୀରବତାହିଁ ଶ୍ରେୟସ୍କର ।

 

ବନ୍ଧୁରୂପରେ ନୀଳମଣି ଆମ୍ଭମାନଙ୍କ ପ୍ରାଣର କେତେ ସ୍ଥାନ ଅଧିକାର କରିଥିଲେ, ତାହା ଅନ୍ତର୍ଯ୍ୟାମୀ ପୁରୁଷଙ୍କ ଛଡ଼ା ଆଉ କିଏ ବୁଝିବ, ବୁଝିବାର ପ୍ରୋୟୋଜନୀୟତା ବା କଅଣ ? ଅବସ୍ଥାରେ ଶତ ବିପର୍ଯ୍ୟୟରେ ଘଟଣାଚକ୍ରରେ ଶତ ଘୂର୍ଣ୍ଣନରେ ତାହାର ତିଳେମାତ୍ର ବ୍ୟତିକ୍ରମ ଘଟି ନାହିଁ । ତାଙ୍କପରି ବନ୍ଧୁ ବତ୍ସଳ ବ୍ୟକ୍ତି ଜୀବନରେ ଅତି ଅଳ୍ପ ଦେଖିଅଛି ।’’

 

କଟକର ଶ୍ରୀଯୁକ୍ତ କୃଷ୍ଣପ୍ରସାଦ ଚୌଧୁରୀ ଲେଖିଥିଲେ :–

 

‘‘ପ୍ରିୟ ନୀଳମଣି ବାବୁ, ୩୫ ବର୍ଷର ପାର୍ଥିବ ବନ୍ଧୁତା ଛିନ୍ନ କରି ଚାଲିଗଲ ! ଆଉ ତୁମ୍ଭଠାରୁ ‘‘ପ୍ରିୟ କୃଷ୍ଣପ୍ରସାଦ ବାବୁ’’ ମଧୁର ସମ୍ଭାଷଣଟି ଶୁଣିପାରିବି ନାହିଁ । ତୁମ୍ଭେ ଶୋକଦୁଃଖର ଅତୀତ ପ୍ରଦେଶକୁ ଚାଲିଯାଇଅଛି, ତୁମ୍ଭ ସକାଶେ ଶୋକ କରିବା ବୃଥା ଜାଣି ସୁଦ୍ଧା ଏ କ୍ଷୁଦ୍ର ପତ୍ରିକା ଖଣ୍ଡିକ ଲେଖୁଅଛି । ଥରେ ତାହା ତୁମ୍ଭ ସ୍ୱର୍ଗୀୟ ବନ୍ଧୁମାନଙ୍କ ବୈଠକରେ ପେସ କରିବ କି ?

 

ମହାମହୋପାଧ୍ୟାୟ ପଠାଣିସାମନ୍ତ ଜ୍ୟୋତିଷ ଗଣନା ଦ୍ୱାରା ପୁରୀଧାମରେ ନିଜର ମହାଯାତ୍ରା କାଳ ନିର୍ଣ୍ଣୟ କରିଥିଲେ । ତୁମ୍ଭେ ଜ୍ୟୋତିଷୀ ନ ହୋଇ ସୁଦ୍ଧା ତାଙ୍କୁ ବଳିଗଲ ପରା ! ଅଳ୍ପଦିନ ପୁର୍ବେ ତୁମ୍ଭେ ‘‘ଗଙ୍ଗାଧର ପ୍ରସଙ୍ଗ’ ଶେଷ କରିବାକୁ ଯାଇ କହିଥିଲି–‘‘ଭାଇ ଗଙ୍ଗାଧର, ଦ୍ୱେଷ-ହିଂସା-କପଟତା-କଳୁଷିତ, ଆତ୍ମାଭିମାନଜର୍ଜରିତ ଏ ଦେଶ ତୁମ୍ଭର ବାସସ୍ଥାନର ଉପଯୁକ୍ତ ନୁହେଁ । ରାଧାନାଥ, ମଧୁସୂଦନ ଓ ଫକୀରମୋହନଙ୍କ ବିଜେସ୍ଥଳୀ ଅମର ଧାମ ତୁମ୍ଭର ଉପଯୁକ୍ତ ସ୍ଥାନ । କେବେ କଥା ଅଛି–‘‘କ୍ଷଣମିହ ସଜ୍ଜନ ସଙ୍ଗତିରେକା, ଭବତି ଭବାର୍ଣ୍ଣବ ତରଣେ ନୌକା ।’

 

ତୁମ୍ଭମାନଙ୍କର ସହବାସ ଫଳରେ ଯଦି କିଛି ପୁଣ୍ୟ ଲାଭ କରିପାରିଥାଏ, ତେବେ ସେହି ପୁଣ୍ୟ ବଳରେ ଅଚିରେ ତୁମ୍ଭମାନଙ୍କ ସାକ୍ଷାତ୍‌ଲାଭ କରିବାର ଭରସା ରହିଲା । ଭରସା ଯେ ବାସ୍ତବିକ ଅଚିରେ କାର୍ଯ୍ୟରେ ପରିଣତ ହେଲା । ତୁମ୍ଭର ମହାପ୍ରୟାଣ ଯେ ପ୍ରାୟ ଇଚ୍ଛାମୃତ୍ୟୁ ହେଲା-

 

ଭାଇ ସ୍ୱର୍ଗର ସ୍ୱାର୍ଥପରତା ନାହିଁ ବୋଲି ଲୋକେ କହିଥାଆନ୍ତି । ମାତ୍ର ତୁମ୍ଭର ସ୍ୱର୍ଗୀୟ ବନ୍ଧୁମାନେ ଅକାଳରେ ତୁମ୍ଭଙ୍କୁ ଆହ୍ୱାନ କରି ଘେନିଯିବାରୁ ତାହା ଅପ୍ରମାଣିତ ହେଉ ନାହିଁ କି ? ‘ବିଜୁଳି’ ର ଲାଲା ରାମନାରାୟଣ ରାୟ, ‘ଇନ୍ଦ୍ରଧନୁ’ର ଗୋପାଳବଲ୍ଲଭ, ‘ଦୀପିକା’ ର ଗୌରୀଶଙ୍କର, ‘ଗଞ୍ଜାମନିଉଜ’ର ଶ୍ୟାମସୁନ୍ଦର, ‘ଷ୍ଟାର ଅଫ୍‌ ଉତ୍କଳ’ର କ୍ଷୀରୋଦଚନ୍ଦ୍ର, ‘ସମ୍ବାଦବାହିକା’ ର ଗୋବିନ୍ଦଚନ୍ଦ୍ର, ‘ଆଶା’ ର ସାଧୁଚରଣ, ‘ଉତ୍କଳପ୍ରଭା’ ର ଗୋବିନ୍ଦଚନ୍ଦ୍ର ପ୍ରଭୃତି ସମ୍ପାଦକ ଯେଉଁ ବୈଠକର ଠୁଳ ରାଜକବି ସାର ସୃଢ଼ଳଦେବ, ମହାରାଜା ରାମଚନ୍ଦ୍ରଭଞ୍ଜ ଯେଉଁ ମହାସଭା ଅଳଙ୍କୃତ କରିଅଛନ୍ତି, କବିବର ରାଧାନାଥ, ମଧୁସୂଦନ, ଫକୀରମୋହନ, ଗଙ୍ଗାଧର ଯହିଁର ଭୂଷଣ-ଉତ୍ସାହର ଉତ୍ସ ଓ ଓଡ଼ିଆ ସାହିତ୍ୟର ନିଷ୍ଠାପର ସାଧକ, ଗୋପୀନାଥ ଓ ମୃତ୍ୟୁଞ୍ଜୟ ନରସିଂହ ଯେଉଁ ଠାରେ ସମାସୀନ, ତହିଁରେ ତୁମ୍ଭର ଆସନଖଣ୍ଡିକ କେତେ ଦିନ ଶୂନ୍ୟ ପଡ଼ିଥାଆନ୍ତା ?

 

ଭାଇ, ପତ୍ରିକା ସମ୍ପାଦନ ତୁମ୍ଭର ଜନ୍ମଗତ ବ୍ୟବସାୟ ଥିଲା ପରା ! ‘ସମ୍ବଲପୁର ହିତୈଷିଣୀ’ ଠାରୁ ଆରମ୍ଭ କରି ‘ପ୍ରଜାବନ୍ଧୁ’, ‘ଗୁଣଦର୍ପଣ’, ‘ଉତ୍କଳ ଦୀପିକା’, ‘ଉତ୍କଳମଧୁପ’, ‘ଆଲୋଚନା’, ‘ସଂସ୍କାରକ’- ଛଅ ସାତ ଖଣ୍ଡ ସାପ୍ତାହିକ ଓ ମାସିକ ପତ୍ରିକା ଦକ୍ଷତା ସହିତ ସମ୍ପାଦନ କରିଗଲ । ‘ହିତୈଷିଣୀ’ ଓ ‘ପ୍ରଜାବନ୍ଧୁ’ ଓଡ଼ିଆଭାଷୀ ଅଞ୍ଚଳମାନଙ୍କରେ ଯେଉଁ ଯୁଗାନ୍ତର ପ୍ରବର୍ତ୍ତନା କରିଥିଲା, ତାହା ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଅଙ୍କିତ ରହିବ । ସତ୍‌ସାହିତ୍ୟପ୍ରଚାର ମାନସରେ ଯେଉଁ ରତ୍ନଗୁଡ଼ିକ ସୁସମ୍ପାଦନ କରି ରଖିଗଲ, ସେଗୁଡ଼ିକ ସାହିତ୍ୟ ଭଣ୍ଡାରର ଶୋଭା ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଦେଶର ଅଶେଷ କଲ୍ୟାଣ ସାଧନ କରିବ ।

 

ବନ୍ଧୁବର, ଓଡ଼ିଆଭାଷୀ ମଧ୍ୟପ୍ରଦେଶ, ଗଞ୍ଜାମ ଓ ମୋଗଲବନ୍ଦି ଏହି ତିନି ଅଞ୍ଚଳ ତୁମ୍ଭର କର୍ମଭୂମି ହୋଇଥିଲା । ବିକ୍ଷିପ୍ତ ଓଡ଼ିଆ ଜାତିକୁ ଏକତ୍ର କରି ଏକ ମହାଜାତିରେ ପରିଣତ କରବା ଲାଗି ଯେଉଁ ଅଗ୍ରଣୀ ମହାତ୍ମାମାନେ କାର୍ଯ୍ୟ କରିଥିଲେ, ସେମାନଙ୍କ ମଧ୍ୟରେ ତୁମେ ଅନ୍ୟତମ ଥିଲ-। ଗଞ୍ଜାମ ବ୍ରହ୍ମପୁରଠାରେ ପ୍ରଥମେ ‘‘ଉତ୍କଳ-ସମ୍ମିଳନୀ’’ର ଜନ୍ମଦାତାମାନଙ୍କ ମଧ୍ୟରେ ତୁମ୍ଭେ ଅଗ୍ରଣୀ-। ଦେଶ-ମିଶ୍ରଣ ବିଷୟରେ ଲର୍ଡ଼ କର୍ଜନଙ୍କ ସମୀପକୁ ଡେପୁଟିସନ ପଠାଇବାରେ ତୁମ୍ଭେ ଅକ୍ଳାନ୍ତ ପରିଶ୍ରମ କରିଥିଲ । ତୁମ୍ଭେ ସ୍ୱପ୍ନରେ ସୁଦ୍ଧା ସ୍ୱଦେଶ-ସେବା କରୁଥିଲ । ସ୍ୱଦେଶ-ପ୍ରେମ ତୁମ୍ଭଠାରେ ମୂର୍ତ୍ତି ପରିଗ୍ରହ କରିଥିଲା ।

 

ପ୍ରିୟବର, ଦାରିଦ୍ର୍ୟ ସହିତ ତୁମ୍ଭର ଚିରକାଳ ସଦ୍‌ଭାବ ଥିଲା । ମାତ୍ର କଦାପି ତାହା ତୁମ୍ଭଙ୍କୁ କର୍ତ୍ତବ୍ୟ ଭ୍ରଷ୍ଟ କରିପାରି ନ ଥିଲା । ସାହିତ୍ୟ କ୍ଷେତ୍ରରେ–ପୁଣି ଓଡ଼ିଶାରେ ଦାରିଦ୍ର୍ୟପୀଡ଼ିତ ହୋଇ ଅନେକ ଶକ୍ତିଶାଳୀ ଲେଖକ ଓ ଗ୍ରନ୍ଥପ୍ରଣେତା ହତାଶ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି । ମାତ୍ର ମୋତେ ଅଡ଼ୁଆ ଲାଗୁଅଛି, ତୁମ୍ଭେ କିପରି ନିରୁତ୍ସାହ ନ ହୋଇ ଏତେ କାର୍ଯ୍ୟ କରିଗଲ । ଦରିଦ୍ର ଦେଶର କର୍ମୀମାନଙ୍କ ନିକଟରେ ତୁମ୍ଭର ଆଦର୍ଶ ସଫଳ ହେଉ ।

 

ବନ୍ଧୋ ! ଦେଶର ପ୍ରତ୍ୟେକ ହିତକର ଅନୁଷ୍ଠାନ ସହିତ ତୁମ୍ଭର ଯୋଗ ଥିଲା । ତୁମ୍ଭ ସହିତ କଥୋପକଥନ ବେଳେ ଏବଂ ତୁମ୍ଭର ପତ୍ରାଦିରୁ ତାହା ସ୍ପଷ୍ଟରୂପେ ଜଣା ଯାଉଥିଲା । ତୁମ୍ଭର ମୁକ୍ତାବିନିନ୍ଦିତ ହସ୍ତଲିପି ପାଠକରିବର ମୋ ପକ୍ଷରେ ସୌଭାଗ୍ୟର ବିଷୟ ଥିଲା । ‘ହିତୈଷିଣୀ’ ପରିଚାଳନା ବେଳେ ତୁମ୍ଭେ ସାହିତ୍ୟସେବାରେ ଯେଉଁ ଉଚ୍ଚ ଆଦର୍ଶ ଦେଶସମ୍ମୁଖରେ ସ୍ଥାପନ କରିଥିଲ, ତଦ୍ଦ୍ୱାରା ଅନେକ ସୁଲେଖକ ପ୍ରସ୍ତୁତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ଆଜି ସୁଦ୍ଧା ସାହିତ୍ୟ ସେବାରେ ରତ ଅଛନ୍ତି । ଗଞ୍ଜାମ ଅଞ୍ଚଳରେ ତୁମ୍ଭେ ଓଡ଼ିଆ ଭାଷା ଓ ସାହିତ୍ୟର ମର୍ଯ୍ୟାଦା ବଢ଼ାଇବାରେ ପ୍ରଭୁତ ଚେଷ୍ଟା କରିଥିଲ । ସେଠାରେ ଓ ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଧାନତଃ ରାଜା ଏବଂ ଜମିଦାରମାନଙ୍କ ସିରସ୍ତାରେ ପ୍ରବେଶ ଲାଭ କରିପାରିଅଛି । ତୁମ୍ଭର ପ୍ରରୋଚନାରେ ଅନେକ ମୋଗଲବନ୍ଦିର ଓଡ଼ିଆ ଉକ୍ତ ଦୁଇ ଅଞ୍ଚଳରେ ପ୍ରବେଶ ଲାଭ କରି ତତ୍‌ପ୍ରଦେଶର ଭାଷା ଓ ଆଚାର ବ୍ୟବହାର ବହୁତ ପରିମାଣରେ ସଂଶୋଧନ କରିପାରି ଅଛନ୍ତି । ଭାଇ, ସମ୍ବାଦପତ୍ର ପରିଚାଳନା ତୁମ୍ଭ ଜୀବନର ପ୍ରଧାନ କାର୍ଯ୍ୟ ଥିଲା । ଉକ୍ତ କାର୍ଯ୍ୟ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ଓ ବିପଦସଙ୍କୁଳ । ନିର୍ଭୀକତା ସମ୍ପାଦକ ପଦର ଗୋଟିଏ ପରମ ଭୂଷଣ, ତୁମ୍ଭଠାରେ ତାହା ପୂର୍ଣ୍ଣମାତ୍ରରେ ଥିଲା । ଦେଶର କଥା ଓ ଅବସ୍ଥା ସରଳ ଓ ନିର୍ଭୀକଭାବରେ କହିବାକୁ ତୁମ୍ଭେ ତିଳେମାତ୍ର ପଶ୍ଚାତ୍‌ପଦ ହେଉ ନ ଥିଲ ।

 

ଆଉ କଅଣ କହିବି ଭାଇ, ଗଙ୍ଗାଧର ପ୍ରସଙ୍ଗର କାଳି ନ ଶୁଖୁଣୁ ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲି । ତୁମ୍ଭର କାର୍ଯ୍ୟ କଅଣ ଶେଷ ହୋଇଥିଲା ? ଯାହାହେଉ, ତୁମ୍ଭେ ମେହେରଙ୍କୁ ଳକ୍ଷ୍ୟ କରି ଯାହା କହିଥିଲି, ତାହାହିଁ କହି ମୁଁ ଏ ପତ୍ର ଶେଷ କରୁଅଛି । ତୁମ୍ଭେମାନେ ତ ଏବେ ଏବେ ଦେଶ ତ୍ୟାଗ କରିଗଲ । ତୁମ୍ଭମାନଙ୍କ ସ୍ଥାନ ପୂରଣ କରିବାକୁ ବର୍ତ୍ତମାନ ବା ନିକଟ ଭବିଷ୍ୟତ୍‌ରେ ଦେଶରେ ଉପଯୁକ୍ତ ଲୋକର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ତୁମ୍ଭେମାନେ ଅମର ଧାମରେ ଥାଇ ସ୍ୱଦେଶରେ ଏହି ଶୋଚନୀୟ ଅଭାବ ପୂରଣ ପାଇଁ ଆଶୀର୍ବାଣୀ ଉଚ୍ଚାରଣ କର ।

 

ତୁମ୍ଭର ପ୍ରିୟ ‘‘କୃଷ୍ଣପ୍ରସାଦ ଚୌଧୁରୀ’’

 

ଶ୍ରୀଯୁକ୍ତ ଶ୍ରୀବତ୍ସ ପଣ୍ଡା ବି:ଏ: ‘ପ୍ରଦୀପ’ ମାସିକପତ୍ରିକାରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ୱନ୍ଧରେ ଲେଖିୁଥିଲେ–

 

ସମ୍ପାଦକ, ‘‘ସମ୍ବଲପୁର ହତୈଶିଣୀ’’ ଉତ୍କଳରେ ଗୋଟିଏ ପ୍ରାଚୀନ ପ୍ରସିଦ୍ଧ ସାପ୍ତାହିକ ସମ୍ପାଦପତ୍ର ଥିଲା । ବିଦ୍ୟାରତ୍ନ ବହୁକାଳ ତାହାର ସୁଦୃକ୍ଷ ବିଖ୍ୟାତ ସମ୍ପାଦକ ଥିଲେ । ଅନେକ କବି, ପଣ୍ଡିତ ବିଦ୍ୱାନ୍‌ବ୍ୟକ୍ତି ତହିଁର ଲେଖକ ଥିଲେ । ବିଦ୍ୟାରତ୍ନଙ୍କ ଅମଳରେ ହିତୈଷିଣୀର ବହୁପ୍ରଚାର ଓ ଆଦର ଗୌରବ ବଢ଼ିଥିଲା । ତା ପରେ ନୀଳମଣି ଗଞ୍ଜାମକୁ ଆସି ଖଲ୍ଲିକୋଟ ରାଜାଙ୍କ ଆନୁକଲ୍ୟରେ ରମ୍ଭାରୁ ‘‘ପ୍ରଜାବନ୍ଧୁ’’ ପ୍ରକାଶ କଲେ । ଏହି ପ୍ରଜାବନ୍ଧୁ କ୍ରମେ କ୍ରମେ ପ୍ରଭାବଶାଳୀ ପତ୍ରିକା ହେଲା । ପ୍ରଜାବନ୍ଧୁ ଯୋଗୁଁ ଗଞ୍ଜାମର ଜାତୀୟ ଜାଗରଣରେ ସୂତ୍ରପାତ ହେଲା, ଦେଶମିଶ୍ରଣ, ଉତ୍କଳସମ୍ମିଳନୀ ଇତ୍ୟାଦି ଜାଗରଣରେ ସୁତ୍ରପାତ ହେଲା, ଦେଶମିଶ୍ରଣ, ଉତ୍କଳସମ୍ମିଳନୀ ଇତ୍ୟାଦି ଜାତୀୟ ଆନ୍ଦୋଳନ ଆରମ୍ଭ ,ହେଲା । ଖଲ୍ଲିକୋଟ ରାଜାଙ୍କ ବିୟୋଗ ପରେ ନୀଳମଣି ବଡ଼ଖେମୁଣ୍ଡି ରାଜଧାନୀରୁ ‘ଗଞ୍ଜାମ ଗୁଣ ଦର୍ପଣ’ ସମ୍ପାଦନ କଲେ । ପରିଶେଷରେ ବଡ଼ଖେମୁଣ୍ଡିରୁ ଯାଇ କଟକରେ ‘ଉତ୍କଳଦୀପିକା’ ର ସମ୍ପାଦକ ହେଲେ । ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସୁଦକ୍ଷତା ଓ ସୁଖ୍ୟାତିର ସହିତ ନୀଳମଣି ଏହିସବୁ ସମ୍ବାଦପତ୍ରର ସମ୍ପାଦନ ଓ ସୁପରିଚାଳନା କରିପାରୁଥିଲେ । ଏହିପରି ସମଗ୍ର ଉତ୍କଳର ନୀଳମଣି ବିଦ୍ୟାରତ୍ନ ଜଣେ ପ୍ରବୀଣ ବିଖ୍ୟାତ ସମ୍ପାଦକରୂପରେ ଆଦରଗୌରବ ପାଉଥିଲେ ।

 

ସଂଗ୍ରାହକ–ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ଇଙ୍ଗ୍‌ରାଜୀ କାଗଜ ଓ ପୁସ୍ତକମାନଙ୍କରୁ ବିଦ୍ୟାରତ୍ନ ବିବିଧ ବିଦ୍ୟା ତତ୍ତ୍ୱ ସଂଗ୍ରହ କରିପାରୁଥିଲେ ଏବଂ ସେହିସବୁ ସଂଗୃହୀତ ତଥ୍ୟ ‘ଉତ୍କଳ-ମଧୁପ’ ନାମକ ମାସିକ ପତ୍ରିକାରେ ଧାରାବାହିକଭାବରେ ପ୍ରକାଶ କରୁଥିଲେ । ଉତ୍କଳ ମଧୁପୁର ରାଜା ପ୍ରଜା, କୃଷକ, ବଣିକ, ଶିକ୍ଷକ, ସେବକ, ସ୍ତ୍ରୀପୁରୁଷ, ଯୁବକ, ବାଳକ, ନାନାଶ୍ରେଣୀର ଲୋକ କିଛି କିଛି ଜ୍ଞାନ ଲାଭ କରୁଥିଲା । ‘ଉତ୍କଳ-ମଧୁପ’ ସତ ଉତ୍କଳମଧୁପ ଥିଲା, ନାନା ଦେଶରୁ ଆଣି ଉତ୍କଳ ପାଇଁ ମଧୁ ସଞ୍ଚୟ କରୁଥିଲା ।

 

ସୁଲେଖକ–ନୀଳକଣ୍ଠ ଜଣେ ଭାରୀ ବଡ଼ ଲେଖକ ଥିଲେ । ଉତ୍କଳର ଏପରି ଲେଖକ ବିରଳ ବୋଲିବାକୁ ହେବ । ଯେଡ଼େ ଗୂଢ ଓ ଜଟିଳ ଭାବ ହେଉପଛେ ସେ ସୁନ୍ଦର ସରଳ ସୁବୋଧ୍ୟ ଭାଷାରେ ବ୍ୟକ୍ତ କରିପାରୁ ଥିଲେ । ସେ କୌଣସି ବିଷୟ ଧରିଲେ ଶେଷ ନ କରି ଛାଡ଼ନ୍ତି ନାହିଁ । ତାଙ୍କ କଲମଟା ପାଣି ସୁଅ ପରି ଚାଲିଥାଏ, କେବେ କୌଣସି ଜାଗାରେ ଅଟକି ଯାଏ ନାହିଁ ବୋଲିବାକୁ ହେବ । ସେ ଜଣେ ଚିନ୍ତାଶୀଳ ଅବିଶ୍ରାନ୍ତ ଲେଖକ ଥିଲେ । ସେ ସାଧାରଣ ଗ୍ରାମ୍ୟଭାବକୁ ଉଚ୍ଚ ସାଧୁଭାଷାରେ ଓ ଉଚ୍ଚ ଗମ୍ଭୀର ଭାବକୁ ସାଧାରଣ ସରଳ ଅଥଚ ସାଧୁଭାଷାରେ ବ୍ୟକ୍ତ କରିପାରୁଥିଲେ । ବିବିଧବିଷୟକ ଅତ୍ୟନ୍ତ ଉପାଦେୟ ଅନେକ ଛୋଟ ଛୋଟ ବହି ସେ ଲେଖିଯାଇଅଛନ୍ତି । ତାହାଙ୍କର ପୁସ୍ତକଗୁଡ଼ିକୁ ଏକାଠି କଲେ, ନୀଳମଣି–ଲେଖାବଳୀ ଗୋଟିଏ ପ୍ରକାଣ୍ଡ ଗ୍ରନ୍ଥ ହେବ । କେହି ସାହିତ୍ୟରସିକ ଧନାଢ଼୍ୟ ଲୋକ ଏହି ଗ୍ରନ୍ଥ ସଙ୍କଳନ କଲେ ବହୁ ଉପକାର ହୁଅନ୍ତା । ନୀଳମଣି ବିଦ୍ୟାରତ୍ନ ଉତ୍କଳ ସମାଜରୁ ଗଲେ; କିନ୍ତୁ ଉତ୍କଳ ସାହିତ୍ୟ କ୍ଷେତ୍ରରେ ବିବିଧ ବିଦ୍ୟାରେ ମଣି ବିଞ୍ଚିଦେଇ ଯାଇଅଛନ୍ତି । ସେହିସବୁ ମଣି ନୀଳମଣିଙ୍କୁ ଉତ୍କଳର ଚିରକାଳ ଅମର କରି ରଖିପାରିବ ।

 

ଉଦ୍‌ଯୋଗୀ–ବିଦ୍ୟାରତ୍ନ ସର୍ବଦା ବିବିଧଚିନ୍ତା କରି ନାନାଦିଗରେ ଉଦ୍‌ଯୋଗ କରନ୍ତି । ବିଘ୍ନଭୟରୁ କୌଣସି କାର୍ଯ୍ୟ ଆରମ୍ଭ ନ କରି ରହନ୍ତି ନାହିଁ ଓ ଆରବ୍‌ଧ କାର୍ଯ୍ୟ ଛାଡ଼ନ୍ତି ନାହିଁ; ବିଘ୍ନ ଆଶଙ୍କାରେ ବିଚଳିତ ନ ହୋଇ ମନୋଯୋଗପୂର୍ବକ କାର୍ଯ୍ୟରେ ଲାଗିଥାଆନ୍ତି, ମନ୍ଦ ହେଉ ପଛେ କାର୍ଯ୍ୟ ସିନା କରନ୍ତି, ଅକର୍ମା ହୋଇ ବସିବା ଜାଣନ୍ତି ନାହିଁ, କାପୁରୁଷ ପରି ଦେବ ଉପରେ ନିର୍ଭର କରି ବସନ୍ତି ନାହିଁ, ପୁରୁଷସିଂହ ପରି ସର୍ବଦା ଉଦ୍‌ଯୋଗଶାଳୀ । ଅଭାବଗ୍ରସ୍ତ ହେଲେହେଁ ସେ ସର୍ବଦା ଅଧ୍ୟବସାୟୀ ଓ ସାହସ ସମ୍ପନ୍ନ ।

 

ଉତ୍ସାହୀ–ଅଭାବଗ୍ରସ୍ତ ଓ ବୟୋବୃଦ୍ଧ ହେଲେହେଁ ତାହାଙ୍କର ଉତ୍ସାହ ଊଣା ହୋଇ ନଥାଏ । ନୀଳମଣି ବାଳକ ମେଳରେ ବାଳକ ପରି ଓ ବୃଦ୍ଧ ସଙ୍ଗରେ ବୃଦ୍ଧଙ୍କ ପରି ଆଚାର ବିଚାର କରୁଥିଲେ । ସେ କୌଣସି କାର୍ଯରେ କେବେହେଁ ହତୋସ୍ଥାହ ଥିବା ଦେଖାଯାଏ ନାହିଁ । ତାହାଙ୍କର ଉତ୍ସାହର ଅନୁପ୍ରାଣିତ ହୋଇ ଅକର୍ମ ଅଳସ ଲୋକ କର୍ମକ୍ଷେତ୍ରରେ ପ୍ରବେଶ କରିଅଛନ୍ତି ।

 

ସଂସ୍କାରପ୍ରିୟ–ସମ୍ପାଦକ ନୀଳମଣି ସଂସ୍କାରପ୍ରିୟ ଥିଲେ । ପ୍ରାଚୀନ ପରମ୍ପରାର ଅନୁସରଣ କରୁଥିଲେହେଁ କୁସଂସ୍କାରବିଶିଷ୍ଟ ଅନ୍ଧ ରକ୍ଷଣଶୀଳ ନ ଥିଲେ–ଦେଶରୁ, ଜାତିରୁ, ସମାଜରୁ କୁସଂସ୍କାର ଦୂର କରିବାକୁ ସର୍ବଦା ଚେଷ୍ଟା କରୁଥିଲେ, କୁରୀତି କୁନୀତି ପ୍ରତିବାଦ କରିବାକୁ ଛାଡ଼ୁ ନ ଥିଲେ, ସମାଜର ଆକ୍ଷେପ ପ୍ରତି ଭ୍ରୁକ୍ଷେପ ନ କରି ଯେତେଦୂର ପାରନ୍ତି ନିଜେ ସଂସ୍କାର କରିଯାଉଥିଲେ ନେତାଠାରୁ ବିଦ୍ୟାରତ୍ନ ନ୍ୟୁନ ନ ଥିଲେ । ରାଜଧାନୀମାନଙ୍କରେ ରହି ପରାଧୀନତା ପଙ୍କରେ ନିମଗ୍ନ ଥିଲେହେଁ କାହାରି ସ୍ୱାଧୀନତା ବାଧା ଦେଉ ନ ଥିଲେ । ସ୍ୱାଧୀନ ଚିନ୍ତା, ସ୍ୱାଧୀନ କର୍ମ ଓ ସ୍ୱେଚ୍ଛାସେବତା ଦେଖିଲେ ସେ ଆନନ୍ଦିତ ହୁଅନ୍ତି ।

 

ଦୟାଳୁ ପରୋପକାରୀ ନୀଳମଣି–ବିପନ୍ନ ଲୋକଙ୍କୁ ଦେଖିଲେ ତାଙ୍କ ହୃଦୟ ତରଳିଯାଏ, ଆପଣା ଶକ୍ତ୍ୟନୁସାରେ ସାହାଯ୍ୟ କରନ୍ତି, କୌଣସି ଯାଚକକୁ ହତାଶ କରନ୍ତି ନାହିଁ; ନିଜେ କିଛି ଦିଅନ୍ତି ବା ଦିଅଇ ଦିଅନ୍ତି, ଆବଶ୍ୟକ ହେଲେ ଆପଣାର ବଢ଼ାହେବା ଅନ୍ନ ଓ ପରିଧେୟ ବସ୍ତ୍ରଖଣ୍ଡି ଦେଇ ଆନନ୍ଦ ଭୋଗ କରନ୍ତି । ସେ ଅନ୍ୟର କୌଣସି ଉପକାର କରିବାକୁ ଅବକାଶ ପାଇଲେ ନାହିଁ; ବୈଧ ବା ଅବୈଧ ଯେ କୌଣସି ପ୍ରକାର ସାହାଯ୍ୟ କରିଥାଆନ୍ତି, କୌଣସି ପରୋପକାର, ଦେଶହିତକର କାର୍ଯ୍ୟ ବା ନାମଖ୍ୟାତ ସକାଶେ ବହୁଲୋକଙ୍କୁ ପ୍ରବର୍ତ୍ତାଇ ମତାଇ ତତାଇ ସଙ୍ଗେ ବାହାରନ୍ତି ।

 

ବିଦ୍ୟାରତ୍ନେ ନିଜେ ବିଳାସୀ ବା ଆଡ଼ମ୍ବରପ୍ରିୟ ନ ଥିଲେ, ଭୂଷଣ ବେଶଭୂଷାରେ ଅତ୍ୟନ୍ତ ସଂଯତ ଥିଲେ, ମୁଠେମାତ୍ର ଅନ୍ନରେ ଉଦର ପୂର୍ଣ୍ଣ କରିଥାଆନ୍ତି, ସମାନ୍ୟ ଖଦିପଟାରେ ଦିନ ଯାପନ କରନ୍ତି, କେବଳ ସାଧାରଣ କାର୍ଯ୍ୟସାଧନରେ ବହୁ ଆଡ଼ମ୍ବର ଓ ଚହଳ ପ୍ରିୟ ଥାଆନ୍ତି ।

 

ବିଦ୍ୟରତ୍ନଙ୍କ ଅନ୍ୟାନ୍ୟ ଗୁଣ ଦୋଷ ଯାହା ଥାଉ, ଏହି ଗୁଣମଣି ନୀଳମଣିଙ୍କ ପରି ସମ୍ପାଦକ, ସଂଗ୍ରାହକ, ସୁଲେଖକ ଉତ୍କଳରେ ବିରଳ । ଏହାଙ୍କ ସ୍ଥାନ କେବେ ପୂର୍ଣ୍ଣ ହେବ କେଜାଣି-? ଏହାଙ୍କର ଅକାଳ ବିୟୋଗରେ ଆଜି ଆମ୍ଭେମାନେ ବଡ଼ ଦୁଃଖିତ । ଭଗବାନଙ୍କ ଏହି ଭବଲୀଳାକ୍ଷେତ୍ରରେ ଯେ ଯାହାର ଅଭିନୟ ସାରି ଚାଲିଯାଉଅଛନ୍ତି, ତଥାପି ଥିବା ଲୋକେ ମୁଗ୍‌ଧ ଓ ଶୋକସନ୍ତପ୍ତ ।

 

ନୀଳମଣି ବିଦ୍ୟାରତ୍ନଙ୍କ ଅକାଳବିୟୋଗ ପରେ ମୁଁ ଗୋଟିଏ ପ୍ରବନ୍ଧ ୧୯ଶ ଲାଗ, ୫ମ ସଂଖ୍ୟା ‘ମୁକୁର’ ରେ ଲେଖିଥିଲି । ତାହା ଏଠାରେ ଉଦ୍ଧୃତ ହେଲା :–

 

ବାଣୀବୀରପୁତ୍ର ଗଙ୍ଗାଧର, ଗୋପୀନାଥ ଓ ମୃତ୍ୟୁଞ୍ଜୟଙ୍କ ବିୟୋଗଜନିତ ଶୋକାଶ୍ରୁଧାରା ଶୁଷ୍କ ନ ହେଉଣୁ ଉତ୍କଳଗଗନର ଆଉ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ଅନନ୍ତ ଅନ୍ଧକାରରେ ମିଶିଗଲା । ଏ ଶୋକ ରଖିବାକୁ ଠାବ ନାହିଁ । ଏ ବର୍ଷଟା ଉତ୍କଳ ପକ୍ଷରେ ବଡ଼ ଦୁର୍ଦ୍ଧଷ । ମାତୃସାହିତ୍ୟମନ୍ଦିରରୁ ଗୋଟି ଗୋଟି ଦୀପ ନିଭିଯାଉଅଛି, ଏହା କେବଳ କ୍ଷୋଭର ବିଷୟ ନୁହେ–ଦାରୁଣ ଦୂର୍ଭାଗ୍ୟର ବିଷୟ । ଆଜି ଚୌଦିଗ ହାହାକାରମୟ । ଶୋକ ବ୍ୟତୀତ ଶୋକର ସାନ୍ତ୍ୱନା ନାହିଁ । ମୃତ୍ୟୁ ସଂସାରର ନିତ୍ୟନୈମିତ୍ତିକ ଘଟଣା । ପ୍ରତ୍ୟେହ କେତେ ମରୁଅଛିନ୍ତ, ମାତ୍ର କାହା ପାଇଁ କେତେ ଜଣ ଝୁରିହୁଅନ୍ତି ? ଯାହାର ମୃତ୍ୟୁରେ ଜଗତ କାନ୍ଦେ ଓ ଅଭାବ ଅନୁଭବ କରେ, ତାହାର ଜନ୍ମ ଯେଉଁପରି ଧନ୍ୟ, ମୃତ୍ୟୁ ସୁଦ୍ଧା ସେହିପରି ସାର୍ଥକ । ସେହି ଭାଗ୍ୟଧରମାନଙ୍କ ବିୟୋଗରେ ସମାଜ ଯେଉଁ ଆଘାତ ପାଏ, ସେହି ଆଘାତ କ୍ଷତ ବହୁକାଳ ପର୍ଯ୍ୟନ୍ତ ଶୁଷ୍କ ହୁଏ ନାହିଁ-। ସେମାନେ ହସି ହସି ଯାଆନ୍ତି; କିନ୍ତୁ କନ୍ଦାଇଯାଆନ୍ତି ।

 

ଉତ୍କଳର ସମୁଜ୍ଜ୍ୱଳ ରତ୍ନ–ଦୁଃଖିନୀ ଉତ୍କଳ ଜନନୀଙ୍କ ଦୁର୍ଲଭ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଆଉ ଇହଲୋକରେ ନାହାନ୍ତି । ସେ ଦେଶ, ଜାତି, ସମାଜ, ପୁତ୍ର, ପରିବାର ଓ ବନ୍ଧୁବର୍ଗଙ୍କ ପକ୍ଷରେ ଦୁର୍ଭାର ଶୋକଶିଳା ଚାପିଦେଇ ଭବଲୀଳା ସମ୍ବରଣ କରିଅଛନ୍ତି । ହାୟ ଦୁର୍ଦ୍ଦୈବ, ଏ ଦୁଃସମ୍ବାଦ ଲେଖିବାକୁ ହେଲା । ଲେଖିବାବେଳକୁ ନେତ୍ର ଆର୍ଦ୍ର ହୋଇଆସୁଅଛି–ବକ୍ଷ ବିଦୀର୍ଣ୍ଣ କରି ଗୋଟାଏ ଅଗ୍ନିମୟ ହାହାକାର ଅନ୍ତଃକରଣରେ ଅନ୍ତସ୍ଥଳରୁ ବାହାରି ଆସୁଅଛି ଏବଂ ଲେଖନୀ ଅଚଳ ହୋଇଯାଉଅଛି । ଅହୋ,କି ଦୁର୍ବିପାକ ! କର୍ମ-ଯୋଗୀ କର୍ମଯଜ୍ଞ ଶେଷ କରି ନିଜକୁ ସେହ ଯଜ୍ଞର ପୂର୍ଣ୍ଣହୂତି ପ୍ରଦାନପୂର୍ବକ ଜ୍ୟେତିର୍ମୟ କର୍ମବିମାନରେ ଆରୋହଣ କରି ଯେଉଁ ରାଜ୍ୟରେ କର୍ମର ପାରିତୋଷିକ କରି ଯେଉଁ ରାଜ୍ୟରେ କର୍ମର ପାରିତୋଷିକ ମିଳେ, ସେହି ଅଜ୍ଞେୟ ଅନାମୟ ଅନନ୍ତ ସୁନ୍ଦର ପୁଣ୍ୟଧାମକୁ ଚାଲିଯାଇଅଛନ୍ତି ସୁତରାଂ ତାଙ୍କ ପାଇଁ ଶୋକ କରିବା ଅନୁଚିତ୍‌ । ଶୋକ କେବଳ ନିଜ ପାଇଁ । ମାନବ-ସ୍ୱଭାବ ବଡ଼ ବିଚିତ୍ର, ସେ ଯାହାଠାରୁ ଯେତିକି ପାଉଥାଏ, ତାହାଠାରୁ ତାହାର ବହୁଗୁଣ ପ୍ରତ୍ୟାଶା କରୁଥାଏ । ଶୋକ ସେହି ହତାଶ ହୁତାଶମୟ ଅତୃପ୍ତ ଅପୂର୍ଣ୍ଣ ବାସନାର ।

 

ନୀଳମଣିଙ୍କ ଅକ୍ଳାନ୍ତ କର୍ମମୟ ଜୀବନ ଅନୁଧ୍ୟାନ କଲେ କେବଳ କର୍ମହିଁ ମିଳେ । ତାଙ୍କ ମନରେ ଯେତେବେଳେ ଯେଉଁ ସାଧୁ କଳ୍ପନାର ଉଦ୍ଭବ ହୁଏ, ସେ କଳ୍ପନାକୁ ସେ ବାସ୍ତବରେ ପରିଣତ କରିବା ପାଇଁ ନିଜର ସମଗ୍ର ଶକ୍ତି ପ୍ରୟୋଗ କରନ୍ତି । ଦେଶ ପାଇଁ ସେ ଆହାରନିଦ୍ରା ତ୍ୟାଗ କରୁଥିଲେ; ଶରୀରର ସ୍ୱାସ୍ଥ୍ୟପ୍ରତି ମଧ୍ୟ ଉପେକ୍ଷା ପ୍ରଦର୍ଶନ କରୁଥିଲେ । ସ୍ଥୁଳତଃ ସେ ନିଜର ପ୍ରାଣକୁ ଦେଶ ସଙ୍ଗରେ ମିଶାଇ ଦେଇଥିଲେ । ଦେଶର ପ୍ରତ୍ୟେକ ମହଦନୁଷ୍ଠାନ ମୂଳରେ ତାଙ୍କ ଚିନ୍ତା, ଯତ୍ନ ଚେଷ୍ଟା ବିଦ୍ୟମାନ ।

 

ସମ୍ବଲପୁରବାସୀ ବହୁକାଳ ପରେ ସ୍ୱୀୟ ମହିମାମୟୀ ମାତୃଭାଷାକୁ ଯେପରି ପାଇଅଛନ୍ତି, ସେ ଆନ୍ଦୋଳନ ମୂଳରେ ନୀଳମଣିଙ୍କ କର୍ମନିପୁଣ ହସ୍ତ ବିଦ୍ୟମାନ ଥିଲା । ଯେଉଁ ଉତ୍କଳ-ସମ୍ମିଳନୀ ଯୋଗୁଁ ଓଡ଼ିଆ ଜାତିର ଅସାର ପ୍ରାଣରେ ସ୍ପନ୍ଦନ ଏବଂ ଆକାଙ୍‌କ୍ଷା ଜାତ ହୋଇଅଛି, ସେହି ଉତ୍କଳ ମହାସମ୍ମିଳନୀ ନୀଳମଣିଙ୍କର ମାନସୀ କନ୍ୟା । ଦେଶ ସକାଶେ ସେ ବିପଦର ସମ୍ମୁଖୀନ ହୋଇ ବିପଦ ସଙ୍ଗରେ ଯୁଦ୍ଧ କରିବାକୁ ପଶ୍ଚାତ୍‌ପଦ ହେଉ ନ ଥିଲେ । ଗଞ୍ଜାମ ମିଶ୍ରଣ ଆନ୍ଦୋଳନ ସମୟରେ ତେଲଙ୍ଗାମାନେ ତାଙ୍କୁ ବିପନ୍ନ କରିବାକୁ ଚେଷ୍ଟା କରିଥିଲେ; ମାତ୍ର ସେ ସେଥିରେ ଭୀତ ହୋଇ ଲକ୍ଷ୍ୟଚ୍ୟୁତ ହୋଇ ନ ଥିଲେ । ସ୍ପଷ୍ଟବାଦିତା, ନୈତିକ ସାହସ ଓ ପରୋପକାରିତା ଦ୍ୱାରା ତାଙ୍କର ଚରିତ୍ର ଅଳଙ୍କୃତ ଥିଲା । ଶ୍ଳେଷଭଙ୍ଗୀରେ କଥା କହି ବା ମୁରବିଆନା ଦେଖାଇ ସେ ନିଜକୁ ବଡ଼ ମଣୁ ନ ଥିଲେ । ତାଙ୍କର ବିପୁଳ ପ୍ରତିଭା ଓ କର୍ମଚିକିର୍ଷା ବଡ଼ପଦକୁ ଉନ୍ନୀତ କରାଇଥିଲା । ସେ ପିଲା ପାଖରେ ପିଲା, ଯୁବକ ଏବଂ ବୃଦ୍ଧ ପାଖରେ ବୃଦ୍ଧ । ତାଙ୍କର ଏହି ସରଳ ବ୍ୟବହାରର ମଧୁରିମା କେବଳ ଉପଭୋଗ୍ୟ ନୁହେ ଅନୁକରଣୀୟ ।

 

ନୀଳମଣିଙ୍କର ବନ୍ଧୁବାତ୍ସଲ୍ୟ ଅତୁଳନୀୟ । ସେ ସମଗ୍ର ଉତ୍କଳରୁ ଯଥେଷ୍ଟ ବନ୍ଧୁ ସଂଗ୍ରହ କରିପାରିଥିଲେ । ତାଙ୍କର ବନ୍ଧୁସଂଗ୍ରହ ଉପକାର-ପ୍ରାପ୍ତ୍ୟାଶାମୂଳକ ନୂହେ । ସେ ଉପକାର ବାଣ୍ଟିବା ପାଇ ବନ୍ଧୁ ସଂଗ୍ରହ କରୁଥିଲେ । ତାଙ୍କର ଅତିଥିସତ୍କାର ଅବିସ୍ମରଣୀୟ । ନିଜ ଖାଦ୍ୟର ଆଡ଼ମ୍ବର କିଛି ନାହିଁ; ମାତ୍ର ବନ୍ଧୁମାନଙ୍କୁ ଷୋଡ଼ଶୋପାଚାରରେ ପୂଜା କରନ୍ତି । ତାଙ୍କର ଆତିଥ୍ୟ ଗ୍ରହଣ କଲାବେଳେ କୌଣସି ରାଜା ମହାରାଜାଙ୍କ ଗୃହରେ ଅତିଥି ହେଲା ପରି ବୋଧହୁଏ । ବିପନ୍ନକୁ ସାହାଯ୍ୟ କରିବା ଏବଂ ଅକ୍ଷମ ଦରିଦ୍ରକୁ ଦାନ କରିବା ତାଙ୍କ ଜୀବନରେ ବ୍ରତ ଥିଲା । ବିପନ୍ନ ବା ଅଭାବଗ୍ରସ୍ତକୁ ସମାଦରପୂର୍ବକ ବସାରେ ରଖି ପାଥେୟ ଦେଇ ବିଦାୟ କରିବାର ଦେଖାହୋଇଅଛି-

 

ସାହିତ୍ୟରେ ନୀଳମଣିଙ୍କର ସ୍ଥାନ ଖୁବ୍‌ଉଚ୍ଚରେ ନିର୍ଦ୍ଦିଷ୍ଟ । ସାହିତ୍ୟରେ ସେ ଅନେକ କାର୍ଯ୍ୟ କରିଅଛନ୍ତି । ସେ ଯେତେ କରିଅଛନ୍ତି, ତାହାର ବହୁଗୁଣ କରାଇ ଅଛନ୍ତି । ରାଜା ମହାରାଜାଙ୍କ ସାହାଯ୍ୟରେ ଅନେକ ଗରିବ ଗ୍ରନ୍ଥାକାରଙ୍କର ପୁସ୍ତକ ଛପାଇଦେଇଅଛନ୍ତି । ନିଜେ ମଧ୍ୟ ଅନେକ କ୍ଷୁଦ୍ର କ୍ଷୁଦ୍ର ଉପାଦେୟ ପୁସ୍ତକ ଲେଖି ପ୍ରକାଶ କରିଯାଇଅଛନ୍ତି । ସେଥିମଧ୍ୟରୁ ଅଧିକାଂଶ ନୀତିଶିକ୍ଷା-ପୁସ୍ତକ । ସେ ଯେଉଁ ପରି ଗୁଣୀ, ସେହିପରି ଗୁଣଗ୍ରାହୀ ଏବଂ ସତ୍‌ସାହିତ୍ୟର ଉତ୍ସାହଦାତା । ସାହିତ୍ୟର ତଥା ଦେଶର ଉନ୍ନତି ସକାଶେ ସେ ଶତହସ୍ତ ହୋଇ କାର୍ଯ୍ୟ କରୁଥିଲେ । ସେ ହିତୈଷିଣୀରେ ସାହିତ୍ୟର କଥା ଦେଶର ଉନ୍ନତି ସକାଶେ ସେ ଶତହସ୍ତ ହୋଇ କାର୍ଯ୍ୟ କରୁଥିଲେ । ସେ ହିତୈଷିଣୀରେ ସାହିତ୍ୟସନ୍ଦର୍ଭ ବିଷୟରେ ଦୀର୍ଘ ଦୀର୍ଘ ସୁଚିନ୍ତିତ ପ୍ରବନ୍ଧ ଲେଖି ସାହିତ୍ୟର ପନ୍ଥା ପରିବର୍ତ୍ତନ କରିଦେଇଥିଲେ । ତାଙ୍କରି ପ୍ରବର୍ତ୍ତନାରେ ଅନେକ କୃତବିଦ୍ୟ ବ୍ୟକ୍ତି ସାହିତ୍ୟ ସଂସ୍କାରରେ ମନୋନିବେଶ କରିଥିଲେ । ଫଳତଃ ବିଜୁଳି ଓ ଇନ୍ଦ୍ରଧନୁ ଆବିର୍ଭୁତ ହୋଇ ସାହିତ୍ୟର ଅନେକ ଜଟିଳ ସମସ୍ୟାର ସମାଧାନ କରିଥିଲେ । ସମ୍ବାଦପତ୍ରର ସମ୍ପାଦକରୂପରେ ସେ ଦେଶର ମହୋପକାର ସାଧନ କରିଯାଇଅଛନ୍ତି । ତାଙ୍କର ବିଷୟ-ନିର୍ବାଚନ ଯେପରି ଉତ୍କୃଷ୍ଟ ଭାଷା ସେହିପରି ଭାବପ୍ରାଣ, ଉତ୍ତେଜକ ଏବଂ ବିଷୟର ଉପଯୋଗୀ । ତାଙ୍କର ଲେଖା ସହଜରେ ହୃଦୟ ସ୍ପର୍ଶ କରିପାରୁଥିଲା । ସମାଜର କୁରୀତି, କୁନୀତି ଓ ଅନ୍ଧସଂସ୍କାରର ନିରାକରଣ ସକାଶେ ସେ ସମାଜ-ସଂସ୍କାରରେ ବିଶେଷ ମନୋଯୋଗୀ ହୋଇଥିଲେ । ସେଥିପାଇଁ ତାଙ୍କୁ ଅନେକ ଥଟ୍ଟା, ବିଦ୍ରୁପ, ଲାଞ୍ଛନା ସହିବାକୁ ହୋଇଥିଲା । ମାତ୍ର ସେ ସେଥିପ୍ରତି ତିଳେମାତ୍ର ଭ୍ରୂକ୍ଷେପ କରିନାହାନ୍ତି । ତାଙ୍କୁ ମୂର୍ତ୍ତମାନ ଉଦାରତା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

କଟକ ଜିଲାନ୍ତର୍ଗତ ବାଙ୍କି ତହସିଲର ବୈଦ୍ୟଶ୍ୱର ଗ୍ରାମସଂଲଗ୍ନ ବ୍ରଜବିହାରୀପୁର ଶାସନରେ ନୀଳମଣି ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ସୌରିଚରଣ ମିଶ୍ର ଜଣେ ନିଷ୍ଠାପର ବ୍ରାହ୍ମଣ । ଶାସନ ମଧ୍ୟରେ ତାଙ୍କର ବିଂଶ ଜାତୀୟ ମର୍ଯ୍ୟଦାରେ ଉତ୍କୃଷ୍ଟ । ତାଙ୍କ ପୂର୍ବପୁରୁଷ ରାଜସମ୍ମାନିତ ଥିଲେ । ଗ୍ରାମ୍ୟପାଠ ଶାଳାରେ ନୀଳମଣିଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ବାଲ୍ୟକାଳରୁ ନୀଳମଣିଙ୍କ ଶିକ୍ଷାର ଅନୁରାଗ ପ୍ରବଳ ହୋଇ ଫୁଟି ଉଠିଲା । ବାଙ୍କିର ତାତ୍କାଳିକ ତହସିଲଦାର ଶ୍ରୀନାଥ ବୋଷ ନୀଳମଣିଙ୍କ ଶିକ୍ଷାନୁରାଗିତା ବିଷୟରେ ବହୁବାର ସ୍କୁଲ ଦର୍ଶକାଭିପ୍ରାୟ ପୁସ୍ତକରେ ଅନେକ ପ୍ରଶଂସା ଲେଖିଯାଇଅଛନ୍ତି ।

 

ବିଦ୍ୟାରତ୍ନ ‘ସମ୍ବଲପୁର ହିତୈଷିଣୀ’ ର ସମ୍ପାଦକ ନିଯୁକ୍ତ ହୋଇ ତେରବର୍ଷକାଳ ଦକ୍ଷତା ସହିତ ଉନ୍ନତ ଧରଣର ପତ୍ରିକା ପରିଚାଳନ କରି ବିଶେଷ ପ୍ରଶଂସା ଲାଭ କରିଥିଲେ ।

 

ବିଦ୍ୟାରତ୍ନ ବାମଣ୍ଡାରୁ ଆସି ଖଲ୍ଲିକୋଟରାଜା ହରିହର ମର୍ଦ୍ଦରାଜଙ୍କ ସାହାଯ୍ୟରେ ରମ୍ଭାରୁ ‘ପ୍ରଜାବନ୍ଧୁ’ ପତ୍ର ପ୍ରକାଶ କଲେ । ସେ ‘ଉତ୍କଳ-ମଧୁପ’ ର ଜନ୍ମଦାତା । ତାଙ୍କରି ପ୍ରରୋଚନାରେ ରମ୍ଭାରୁ ‘ସଂସ୍କାରକ’ ନାମକ ମାସିକ-ପତ୍ରିକା ପଣ୍ଡିତ ଗଦାଧର ବିଦ୍ୟାଭୂଷଣଙ୍କ ସମ୍ପାଦକତ୍ୱରେ ପ୍ରକାଶିତ ହୋଇଥିଲା । ଖଲ୍ଲିକୋଟ ରାଜାଙ୍କ ମୃତ୍ୟୁ ପରେ ‘ପ୍ରଜାବନ୍ଧୁ’ ବନ୍ଦ ହୋଇଗଲା । ତହୁଁ ନୀଳମଣି ବଡ଼ଖେମୁଣ୍ଡି ଯାଇ ସେଠାରେ ‘ଗୁଣଦର୍ପଣ’ ପତ୍ରର ସମ୍ପାଦକ ହେଲେ-। ତତ୍ପରେ ‘ଉତ୍କଳଦୀପିକା’ ର ସମ୍ପାଦକ ହୋଇ କଟକ ଆସିଲେ; ମାତ୍ର ଉତ୍କଳଦୀପିକାର ସମ୍ପାଦନ ଭାର ତାଙ୍କୁ ଅଧିକ ଦିନ ବହନ କରିବାକୁ ହେଲା ନାହିଁ । ସମ୍ପାଦକୀୟ ସ୍ୱାଧୀନତା ଅଭାବରୁ ସେ ଦୀପିକାର ସମ୍ପର୍କ ଛାଡ଼ି କଟକରେ ରହି ‘ଉତ୍କଳ ମଧୁପ’ ପ୍ରକାଶ କରୁଥିଲେ । ଦୁର୍ଦୈବ ସେଥିରୁ ସୁଦ୍ଧା ତାଙ୍କୁ ବଞ୍ଚିତ କଲା । କଟକରେ ସେ ପୀଡ଼ିତ ହୋଇ ଜୁଲାଇ ୨୬ ତାରିଖ ରାତ୍ରି ୧୨ ଘଣ୍ଟା ସମୟରେ ଦେହ ତ୍ୟାଗ କଲେ । ମୃତ୍ୟୁ ସମୟରେ ତାଙ୍କର ବୟସ ପ୍ରାୟ ୬୦ ବର୍ଷ ହୋଇଥିଲା ।

 

ନୀଳମଣିଙ୍କର ପୌତ୍ତଳିକା ପ୍ରତି ପ୍ରଥମତଃ ଘୋର ଆସ୍ଥା ଥିଲା । ତାହା କ୍ରମେ ଅନ୍ତରିତ ହେବାକୁ ଲାଗିଲା । ପ୍ରଧାନପାଟ ପ୍ରପାତ ନିକଟରେ ଭକ୍ତକବି ମଧୂସୁଦନ ରାଓଙ୍କ ପ୍ରାର୍ଥନା ଶ୍ରବଣ କରି ବ୍ରାହ୍ମଧର୍ମ ପ୍ରତି ସେ ଆକୃଷ୍ଟ ହେଲେ । ତହିଁପରେ ନଗେନ୍ଦ୍ରନାଥ ବନ୍ଦୋପାଧ୍ୟାୟଙ୍କ ‘ଧର୍ମଜିଜ୍ଞାସା’, ଅଶ୍ୱିନୀକୁମାରଙ୍କ ‘ଭକ୍ତିଯୋଗ’ ଓ ଶିବନାଥ ଶାସ୍ତ୍ରୀଙ୍କ ପୁସ୍ତକମାନ ପାଠକରି ସେ ବ୍ରାହ୍ମଧର୍ମ ପ୍ରତି ଅତ୍ୟନ୍ତ ଅନୁରକ୍ତ ହେଲେ ।

 

ପ୍ରଚଳିତ ଜାତିଭେଦ ପ୍ରଥାକୁ ସେ ଭାରି ଘୃଣା କରୁଥିଲେ ଏବଂ ଅନେକ ସମ୍ବନ୍ଧରେ ବିଭିନ୍ନ ସମୟରେ ଜାତୀୟ ବନ୍ଧୁବାନ୍ଧବଙ୍କ ସହିତ ଏକତ୍ର ଭୋଜନ କରୁଥିଲେ । ତାଙ୍କ ଚେଷ୍ଟାରେ ଓ ତାଙ୍କ ଅନ୍ନରେ କେତେ ଜଣ ଗ୍ରନ୍ଥ ଶିକ୍ଷାଲାଭ କରି ସ୍ୱୀୟ ଜୀବିକା ନିର୍ବାହରେ ସମର୍ଥ ହୋଇଅଛନ୍ତି । ଶିକ୍ଷା ନିମନ୍ତେ ସେ ଛାତ୍ରମାନଙ୍କୁ ସର୍ବଦା ଉତ୍ସାହିତ ଏବଂ ପୁରସ୍କୃତ କରୁଥିଲେ ।

 

ନୀଳମଣି ଚାଲିଗଲେ, ତାଙ୍କ ସୌମ୍ୟସୁନ୍ଦର ମୂର୍ତ୍ତି କାଳତରଙ୍ଗରେ ମିଶିଗଲା, ରହିଲା କେବଳ ସ୍ମୃତି । ଏଣିକି ତାଙ୍କ କର୍ମ ମଧ୍ୟରେ ତାଙ୍କର ଉଜ୍ୱଳ ମୂର୍ତ୍ତି ପ୍ରତିଭାତ ହେବ । ତାଙ୍କସ୍ମୃତି ମଧ୍ୟ ତାଙ୍କୁ ସହସ୍ର ମୂର୍ତ୍ତିରେ ପ୍ରକାଶ କରିବ । ସେ ଅନନ୍ତଯୋଜନ ବ୍ୟବଧାନରେ ଦେବମେଳରେ ଅଛନ୍ତି-। ପୃଥିବୀର ଶବ୍ଦ ସେ ଦିବ୍ୟଧାମ ପର୍ଯ୍ୟନ୍ତ ଯାଏ ନାହିଁ କିଏ କହିବ ? ନୀଳମଣି ମୁକ୍ତିକାମୀ ନୁହନ୍ତି, ସେ କର୍ମଯୋଗୀ । କର୍ମଯୋଗୀଙ୍କର ମୁକ୍ତି ନାହିଁ । ବାରମ୍ବାର ଜନ୍ମ ବାରମ୍ବାର ଦେଶସେବାରୂପ କର୍ମସାଧନରେ ଯେ ସୁଖ, ଯେ ଆନନ୍ଦ, ଯେ ତୃପ୍ତି, ମୁକ୍ତିରେ ସେ ସୁଖ, ସେ ଆନନ୍ଦି ବା ତୃପ୍ତି ନାହିଁ । କର୍ମଯୋଗୀମାନେ ମୁକ୍ତି ଅପେକ୍ଷା କର୍ମକୁ ଉଚ୍ଚାସନ ପ୍ରଦାନ କରିଥାଆନ୍ତି । ନୀଳମଣି ଯାଇଅଛନ୍ତି ସତ୍ୟ; କିନ୍ତୁ ଆସିବା ପାଇଁ ଯାଇଅଛନ୍ତି । ଜୀର୍ଣ୍ଣଦେହ କର୍ମସାଧନରେ ଅକ୍ଷମ ହେବାରୁ ସେ ତାହା ପରିବର୍ତ୍ତନ କରିବା ପାଇଁ ଯାଇଅଛନ୍ତି । ଯଥାସମୟରେ ନବକଳେବର, ନବଶକ୍ତି, ନବଉତ୍ତେଜନା ଘେନି ପୁଣି କର୍ମଭୂମିରେ ଅବତୀର୍ଣ୍ଣ ହୋଇ ସେ ସ୍ୱୀୟ ଅପୂର୍ଣ୍ଣ କର୍ମର ପୁର୍ଣ୍ଣତାରେ ମନୋନିବେଶ କରିବେ । ଜନ୍ମାନ୍ତର ଯଦି ସତ୍ୟ ହୁଏ, ପୂର୍ବଜନ୍ମର ସଂସ୍କାର ଯଦି ସତ୍ୟ ହୁଏ, ତେବେ ନୀଳମଣି ନିଶ୍ଚୟ ଆସିବେ ।

 

ନୀଳମଣି ଧନୀ ନ ଥିଲେ; କିନ୍ତୁ ବିଭବଶାଳୀ ରାଜା ମହାରାଜାଙ୍କଠାରୁ ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଆଦର-ସମ୍ମାନ କରୁଥିଲେ । ତାଙ୍କ ପରି ସାମୟିକ ଅବସ୍ଥାବିଶେଷରେ ସଦାପ୍ରଫୁଲ୍ଲଚିତ୍ତ ବ୍ୟକ୍ତି ବିରଳ ପରିଲକ୍ଷିତ ହୁଅନ୍ତି । ସେ ପ୍ରତିଷ୍ଠାର ପ୍ରୟାସୀ ନ ଥିଲେ, କର୍ମରେହିଁ ତାଙ୍କର ଆନନ୍ଦ । କର୍ମ-ଦେବତାର ଉପଯୁକ୍ତ ପୂଜାରୀ ତାଙ୍କ ପରି କିଏ ? ଦୀନଦରିଦ୍ର ଓ ବିପନ୍ନକୁ ଯଥାଶକ୍ତି ସାହାଯ୍ୟ କରିପାରିଲେ ସେ ନିଜକୁ କୃତାର୍ଥ ମଣୁଥିଲେ । ଅଭାବ ତାଙ୍କର ମନର ଶାନ୍ତି ହରଣ କରିବାକୁ କେବେହେଲେ କ୍ଷମ ହୋଇ ନାହିଁ ।

 

ଉପଦ୍ରବ, ଅତ୍ୟାଚାର, ଅବିଚାର, ମିଥ୍ୟା, ପ୍ରବଞ୍ଚନା ପ୍ରଭୃତି ପାପ ଦେଖିଲେ ବିଦ୍ୟାରତ୍ନଙ୍କାର ଲେଖନୀ ବିପନ୍ନର ନିତ୍ୟ ସହାୟ ଏବଂ ଦରିଦ୍ରର ଏକାନ୍ତ ଅନୂକୂଳ । ମହତ୍ତ୍ୱ ଦେଖିଲେ ଲୋକେ ଯେପରି ମୁଗ୍‌ଧ ହୁଅନ୍ତି , ସେହିପରି ଅନେକେ କ୍ଷୁବ୍‌ଧ ମଧ୍ୟ ହୁଅନ୍ତି, ଏହା ସଂସାରର ନିତ୍ୟ ପରିଦୃଶ୍ୟମାନ ଘଟଣା । ଗୁଣୀକୁ ଲୋକେ ଈର୍ଷା କରନ୍ତି; ମାତ୍ର ନିର୍ଗୁଣକୁ କିଏ କାହିଁକି ଈର୍ଷା କରିବ ? ଯେଉଁ ମାନେ ବିଦ୍ୟାରତ୍ନଙ୍କ ପ୍ରତିଷ୍ଠାରେ ଈର୍ଷା କରୁଥିଲେ ସେମାନେ ବଡ଼ ଭୁଲ୍‌କରୁଥିଲେ । ଗୁଣକୁ ଈର୍ଷା ନ କରି ବ୍ୟକ୍ତିକୁ ଈର୍ଷା କଲେ କିଛି ଫଳ ମିଳେ ନାହିଁ । ସେମାନେ ବିଦ୍ୟାରତ୍ନଙ୍କୁ ଈର୍ଷା ନ କରି ତାଙ୍କ ଗୁଣକୁ ଈର୍ଷା କରିଥିଲେ, ତଦ୍ଦ୍ୱାରା ସେମାନଙ୍କର ଅଶେଷ ଉପକାର ହୋଇଥାଆନ୍ତା ।

 

ବିଦ୍ୟାରତ୍ନ ଅନେକ ପ୍ରକାର ଦୁଃଖକଷ୍ଟର ଚରମ ସୀମାରେ ଉପସ୍ଥିତ ହୋଇ ସୁଦ୍ଧା କ୍ଷଣକ ସକାଶେ ତାଙ୍କ ପ୍ରିୟ ପୂଜନୀୟ ମାତୃଭୂମି-ସେବାରୁ ବିରତ ହୋଇ ନାହାନ୍ତି । ବିପଦ ଯେତେ ବଡ଼ ହୁଏ, ତାଙ୍କର ପ୍ରତିଜ୍ଞା ସେତେ ଦୃଢ ହୁଏ । ସେ ବିପଦ ସଙ୍ଗରେ ମହାବୀର ପରି ଯୁଦ୍ଧ କରନ୍ତି; ମାତ୍ର ପୃଷ୍ଠଭଙ୍ଗ ଦିଅନ୍ତି ନାହିଁ । ତାଙ୍କର ଏହି ନିଷ୍ଠା, ଏହି ନୈତିକ ସାହସ ପରିଶେଷରେ ତାଙ୍କୁ ଜୟଶ୍ରୀରେ ମଣ୍ଡିତ କରେ । ତାଙ୍କର ଜୀବନଚରିତ ଆଲୋଚନା କଲେ ଏହି ମହତ୍‌ଶିକ୍ଷା ମିଳେ ଯେ, ନିଷ୍ଠା, ଅଧ୍ୟବସାୟ ଅକ୍ଷତ ଥିଲେ ସାଧନାର ସିଦ୍ଧି ଅବଶ୍ୟ ହୁଏ । ଲକ୍ଷ୍ୟ ପଥର ବାଧାବିପତ୍ତି ଯେତେ ଦୁଲଘଂନୀୟ ହେଉପଛେ, ପ୍ରାଣପଣେ ଯତ୍ନ ଏବଂ ଚେଷ୍ଟାରେ ତାହା ନିଶ୍ଚୟ ଅତିକ୍ରମ କରିହୁଏ ।

 

ଉତ୍କଳର ମହାମଣି ହେ ନୀଳମଣି, ତୁମ୍ଭେ ଉତ୍କଳକୁ ଯାହା ଦାନ କରିଛ ଉତ୍କଳ ତାହାର ପ୍ରତିଦାନ କରିପାରି ନାହିଁ । ମୂମୁର୍ଷ ଅବସ୍ଥାରେ ତୁମ୍ଭ ତୁଣ୍ଡରେ ଟୋପାଏ ଔଷଧ ଦେବାକୁ ଜାତିର ସାଧ୍ୟ ହେଲା ନାହିଁ । ତୁମ୍ଭେ ହତାଶ ହୋଇ ଆତ୍ମୀୟ-ପରିବାରଶୂନ୍ୟ କଟକରେ ଦେହ ତ୍ୟାଗକଲେ, ଏ ଦୁଃଖ, ଏ ଲଜ୍ଜା ରଖିବାକୁ ସ୍ଥାନ ନାହିଁ । କିନ୍ତୁ ତୁମେ ବର୍ତ୍ତମାନ ପ୍ରତିଦାନର ଅତୀତ ଅନାମୟ ଅମୃତଧାମରେ ଅବସ୍ଥାନ କରୁଅଛ, ସ୍ଥାନ ପ୍ରଭାବରେ ତୁମ୍ଭର କ୍ଷମାହିଁ ଧର୍ମ ହୋଇଥିବ । ତେଣୁ ଆଶାହୁଏ ତୁମ୍ଭେ ନିଜ ଗୁଣରେ ଜାତିର ଅପରାଧ କ୍ଷମା କରିବ । ତୁମ୍ଭେ ଦେଶସେବାରେ ଯେଉଁ ପୁଣ୍ୟାର୍ଜନ କରିଅଛି, ତାହାରି ଫଳରେ ସ୍ୱର୍ଗରେ ଅମୃତ ସୁଖଶାନ୍ତି ଉପଭୋଗ କରୁଥିବ । ଉତ୍କଳରେ ତୁମ୍ଭର ଗତଜୀବନ ସୁଖମୟ ହୋଇ ନାହିଁ, ତଥାପି ଆମ୍ଭମାନଙ୍କର ବିଶ୍ୱାସ, ତୁମ୍ଭେ ପୁଣି ଏହି ଦେବଧାମ ଉତ୍କଳର ଜନ୍ମଗ୍ରହଣ କରିବ । ତୁମ୍ଭର ମାତୃସେବା ତପସ୍ୟାର ଫଳ ତୁମ୍ଭଙ୍କୁ ନିଶ୍ଚୟ ଉତ୍କଳବକ୍ଷକୁ ଟାଣିଆଣିବ । ତୁମ୍ଭେ ଆସ, ନାନାଶାସ୍ତ୍ରରୁ ନାନାରତ୍ନ ସଂଗ୍ରହ କରି ମାତୃସାହିତ୍ୟ ଭଣ୍ଡାର ପୂର୍ଣ୍ଣକର । ବଜାଅ ନୀଳମଣି ତୁମ୍ଭର ସ୍ୱାଭାବିକ ଉତ୍ତେଜନା ଶଙ୍ଖ । ସେ ପବିତ୍ରଧ୍ୱନି ସ୍ୱଦେଶରେ ପ୍ରାଣ ଓ ଆତ୍ମାକୁ ସ୍ପର୍ଶକରୁ; ଅର୍ଦ୍ଧସୁପ୍ତ ଉତ୍କଳ ପୂର୍ଣ୍ଣଭାବରେ ଜାଗ୍ରତ ହୋଇୁଉଠୁ ।

 

ଗ୍ରନ୍ଥାବଳୀର କଳେବର ଦୃଷ୍ଟିରେ ବିଦ୍ୟାରତ୍ନଙ୍କ ଜୀବନରଚିତ ସଂକ୍ଷେପରେ ପ୍ରଦତ୍ତ ହେଲା । ଯୋଗଜନ୍ମା ନୀଳମଣିଙ୍କ ନିକଟରେ ମୁଁ ନାନା ଭାବରେ କୃତଜ୍ଞ । ତାଙ୍କରି ପ୍ରବର୍ତ୍ତନାରେ ମୁଁ ଗଞ୍ଜାମ ଯାଇ ବ୍ରହ୍ମପୁରରୁ ପ୍ରକାଶିତ ‘ହତବାଦିନୀ’ ପତ୍ରିକାର ସମ୍ପାଦକ ହୋଇଥିଲେ । ସେ ବରାତ କରି ମୋ ଦ୍ୱାରା ପୁସ୍ତକ ଲେଖାଉଥିଲେ । ମୋର କେତେ ଖଣ୍ଡ ପୁସ୍ତକ ତାଙ୍କରି ଯତ୍ନରେ ମୁଦ୍ରିତ ହୋଇଥିଲା । ସେ ମୋତେ ସାନ ଭାଇ ପରି ସ୍ନେହ କରୁଥିଲେ । ତାଙ୍କ ଉତ୍ସାହ ମୋ ହୃଦୟରେ ଅଦ୍ୟାପି ମୁଦ୍ରିତ ରହିଅଛି । ସେ କାଳର ବନ୍ଧୁତା ଉତ୍ସାହ, ସହାନୁଭୂତି ଏବେ ଦୂର୍ଲଭ ହୋଇଅଛି । ନୀଳମଣିଙ୍କ ବୃହତ୍‌ଜୀବନଚରିତ ପୁସ୍ତକ ଲିଖିତ ହେବା ଆବଶ୍ୟକ । କେହି ବିସ୍ତୃତ ଭାବରେ ତାଙ୍କର ଜୀବନଚରିତ ଲେଖିଲେ ମୁଁ ବିଶେଷ ସୁଖୀ ହେବି; କିନ୍ତୁ ସେ ସୁଖାନୁଭୂତି ମୋ ଜୀବଦ୍ଦଶାରେ ଘଟିଲା ପରି ଜଣା ହେଉ ନାହିଁ । ତାହା ଶୀଘ୍ର ନ ହେଉ ପଛକେ; ମାତ୍ର ଦିନେ ଯେ ନିଶ୍ଚୟ ହେବ, ଏ ଭରସା ମୁଁ ରଖିଅଛି । ଉପସଂହାରରେ ମୁଁ ଏତିକି କହି କ୍ଷାନ୍ତ ହେଲି ।

Image